Advertisment

ପାକିସ୍ତାନର ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ନେଇ କ’ଣ କହିଲେ ନୀରଜଙ୍କ ମା’, ନଦୀମଙ୍କ ମା’ ବି ରଖିଲେ ପ୍ରତିକ୍ରିୟା

ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନରେ ପାକିସ୍ତାନର ନଦୀମ ସ୍ୱର୍ଣ୍ଣ ଜିତିଥିବା ବେଳେ ଭାରତର ନୀରଜ ଜିତିଛନ୍ତି ରୌପ୍ୟ।

author-image
Jitendra Garnayak
Neeraj and Nadeem

Neeraj and Nadeem

ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ଭାରତର ନୀରଜ ଚୋପ୍ରା। ଫାଇନାଲରେ ସେ ୮୯.୪୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ପାକିସ୍ତାନର ଅର୍ଶଦ ନଦୀମ ପ୍ରଥମ ସ୍ଥାନରେ ରହି ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ନଦୀମ ଅଲିମ୍ପିକ୍ସ ରେକର୍ଡ ସହିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୯୨.୯୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ। ତାଙ୍କ ପୂର୍ବରୁ ୨୦୦୮ରେ ବେଜିଂ ଅଲିମ୍ପିକ୍ସରେ ଆନ୍ଦ୍ରିୟାସ ତୋରକିଲ୍‌ଡସେନ୍ ୯୦.୫୭ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଥିଲେ।

Advertisment

ପଦକ ଜିତିବାକୁ ନେଇ କେବଳ ନୀରଜ ନୁହନ୍ତି କି କେବଳ ତାଙ୍କ ପରିବାର ଲୋକେ ନୁହନ୍ତି, ପୂରା ଦେଶ ଖୁସି ଅଛି। ନୀରଜଙ୍କ ପାଖକୁ ଛୁଟୁଛି ଅଭିନନ୍ଦନର ସୁଅ। ଠିକ୍ ସେମିତି ଅବସ୍ଥା ଅର୍ଶଦ ନଦୀମଙ୍କର। ସେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ କେବଳ ତାଙ୍କ ପରିବାର ନୁହେଁ, ତାଙ୍କ ଦେଶ ବି ଖୁସି ହୋଇଛି। ତେବେ ଏ ସବୁ ଭିତରେ ଯେଉଁ କଥାଟି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି, ତାହା ହେଉଛି ନୀରଜ ଚୋପ୍ରା ଓ ଅର୍ଶଦ ନଦୀମଙ୍କ ମା’ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା। 

ନୀରଜ ରୌପ୍ୟ ପଦକ ପାଇବା ପରେ ତାଙ୍କ ମା’ ସରୋଜ ଦେବୀ କହିଛନ୍ତି, ଆମେ ରୌପ୍ୟରେ ଖୁସି। ରୌପ୍ୟ ବି ଆମକୁ ସ୍ୱର୍ଣ୍ଣ ଭଳି ଲାଗୁଛି। ଯିଏ (ଅର୍ଶଦ ନଦୀମ) ସ୍ୱର୍ଣ୍ଣ ଜିତିଲେ, ସେ ମଧ୍ୟ ମୋ ଛୁଆ। 

Advertisment

ସେହିପରି ଅର୍ଶଦ ନଦୀମଙ୍କ ମା’ କହିଛନ୍ତି, ସେ (ନୀରଜ ଚୋପ୍ରା) ମଧ୍ୟ ମୋ ପୁଅ ଭଳି। ସେ ନଦୀମଙ୍କ ବନ୍ଧୁ ଓ ଭାଇ ମଧ୍ୟ। ବିଜୟ ପରାଜୟ ଖେଳର ଏକ ଅଂଶ। ଭଗବାନ ତାଙ୍କର (ନୀରଜଙ୍କର) ମଙ୍ଗଳ କରନ୍ତୁ। ସେ ଆହୁରି ପଦକ ଜିତନ୍ତୁ। ସେମାନେ ଦୁଇ ଭାଇ ଭଳି। ମୁଁ ନୀରଜଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିଛି। ମୁଁ ପୂରା ପାକିସ୍ତାନ ନିକଟରେ କୃତଜ୍ଞ ଯେ ସମସ୍ତେ ନଦୀମଙ୍କୁ ସମର୍ଥନ କରିଛନ୍ତି ଓ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। 

ଏହାକୁ ନେଇ ସୋଶାଲ ମିଡିଆରେ ଜଣେ ଲେଖିଛନ୍ତି ଯେ ଯଦି ମା’ମାନେ ପୃଥିବୀକୁ ଚଲାଇବେ, ତା’ହେଲେ ପରସ୍ପର ପ୍ରତି ଘୃଣାଭାବ ରହିବ ନାହିଁ କି ଯୁଦ୍ଧ ହେବ ନାହିଁ। 

ସମସ୍ତେ ଜାଣନ୍ତି ନୀରଜ ଓ ନଦୀମ ପ୍ରତିଦ୍ୱନ୍ଦ୍ୱୀ ହେଲେ ମଧ୍ୟ ପରସ୍ପରର ଭଲ ବନ୍ଧୁ। ସେମାନେ ପରସ୍ପରକୁ ସମ୍ମାନ କରନ୍ତି। ଏମିତିକି ଥରେ ନଦୀମ ସୋଶାଲ ମିଡିଆ ଯୋଗେ ଉନ୍ନତମାନର ଜାଭେଲିନ କିଣିବା ପାଇଁ ଆର୍ଥିକ ସହାୟତା ମାଗିଥିବା ବେଳେ ଏଥିପାଇଁ ନୀରଜ ମଧ୍ୟ ଆଗେଇ ଆସିଥିଲେ। 

ସୂଚନାଯୋଗ୍ୟ, ଗତ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିଥିଲେ। 

Neeraj Chopra Paris Olympics 2024 Olympics 2024 Arshad Nadeem