Advertisment

ବେଙ୍ଗଲ ବିପକ୍ଷରେ ନାଟକୀୟ ବିଜୟ ସହ ବସନ୍ତଙ୍କୁ ବିଦାୟ ଦେଲା ଓଡ଼ିଶା

ଇଡେନ ଗାର୍ଡେନରେ ଖେଳାଯାଉଥିବା ରଣଜୀ ଟ୍ରଫିର ଗୋଟିଏ ମୁକାବିଲାରେ ଓଡ଼ିଶା ୭ ୱିକେଟରେ ବାଜିମାତ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
basant mohanty

basant mohanty

ବେଙ୍ଗଲ ବିପକ୍ଷରେ ଓଡ଼ିଶାର ନାଟକୀୟ ବିଜୟ। ଇଡେନ ଗାର୍ଡେନରେ ଖେଳାଯାଉଥିବା ରଣଜୀ ଟ୍ରଫିର ଗୋଟିଏ ମୁକାବିଲାରେ ଓଡ଼ିଶା ୭ ୱିକେଟରେ ବାଜିମାତ କରିଛି। ଏହି ନାଟକୀୟ ବିଜୟ ସହ ଓଡ଼ିଶା ଟିମ୍‌ ବରିଷ୍ଠ ଖେଳାଳି ବସନ୍ତ ମହାନ୍ତିଙ୍କୁ ବିଦାୟ ଜଣାଇଛି। ଦୀର୍ଘ ୨୦ ବର୍ଷ ହେଲା ଓଡ଼ିଶା ପାଇଁ କ୍ରିକେଟ ଖେଳି ଆସୁଥିବା ଦ୍ରୁତ ବୋଲର ବସନ୍ତ ମହାନ୍ତି ମଧ୍ୟ ନିଜର ଶେଷ ମ୍ୟାଚ୍‌ରେ ଗୋଟିଏ ବରିଳ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ସବୁବେଳେ ଦେଖୁଥିବା ସ୍ୱପ୍ନକୁ ବି ପୂରଣ କରିଛନ୍ତି। ବେଙ୍ଗଲକୁ ଓଡ଼ିଶା ଫଲୋଅନ ଦେବା ସହ ଶେଷ ଦିନରେ ଦିନିକିଆ ଭଳି ବ୍ୟାଟିଂ କରି ମ୍ୟାଚ୍‌କୁ ୭ ୱିକେଟରେ ଜିତି ନେଇଛି।

Advertisment

ଓଡ଼ିଶାର ତା’ର ପ୍ରଥମ ଇନିଂସରେ ୨୬୫ ରନ କରିଥିବା ବେଳେ ବେଙ୍ଗଲ ମାତ୍ର ୧୦୦ ରନ କରିଥିଲା। ଏହାପରେ ଫଲୋଅନ ଖାଇଥିବା ବେଙ୍ଗଲ ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଥିଲା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୪ ୱିକେଟ ହରାଇ ୨୨୦ ରନ କରି ନେଇଥିଲା।

ଅଭିମନ୍ୟୁ ଈଶ୍ୱରନ ଓ ଅଧିନାୟକ ମନୋଜ ତିୱାରୀ କ୍ରିଜ୍‌ରେ ଥିବାରୁ ମ୍ୟାଚ୍‌ ଡ୍ର ରହିବ ବୋଲି ସମସ୍ତେ ଭାବୁଥିଲେ। କିନ୍ତୁ ଆଜି ଶେଷ ଦିନରେ ଓଡ଼ିଶାର ବୋଲରମାନେ ଦମଦାର ବୋଲିଂ କରିଥିଲେ। ଈଶ୍ୱରନ ଶତକ ହାସଲ କରିଥିଲେ ମଧ୍ୟ ବେଙ୍ଗଲ ଟିମ ୨୭୬ ରନରେ ଅଲଆଉଟ ହୋଇ ଯାଇଥିଲା।

Advertisment

ଫଳରେ ଓଡ଼ିଶାକୁ ୧୧୨ ରନର ଟାର୍ଗେଟ ମିଳିଥିଲା। ଏହାକୁ ଦଳ ଅନୁରାଗ ଷଡ଼ଙ୍ଗୀଙ୍କ ୩୭, ଶାନ୍ତନୁ ମିଶ୍ରଙ୍କ ୪, ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ୨୨, ସନ୍ଦୀପ ପଟ୍ଟନାୟକଙ୍କ ଅପରାଜିତ ୨୮ ଓ ରାକେଶ ପଟ୍ଟନାୟକଙ୍କ ଅପରାଜିତ ୨୦ ରନ ବଳରେ ହାସଲ କରି ନେଇଛି। ୧୧୨ ରନର ଟାର୍ଗେଟକୁ ୨୨.୨ ଓଭରରେ ହାସଲ କରି ଓଡ଼ିଶା ସମସ୍ତଙ୍କୁ ଜଳକା କରି ଦେଇଛି। ରଣଜୀ ଟ୍ରଫିର ଚଳିତ ଏଲିଟ ଗ୍ରୁ ଏରେ ବେଙ୍ଗଲ ପ୍ରଥମଥର ପାଇଁ ହାରିଛି। ତଥାପି ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ନିଜ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳୁଥିବା ବସନ୍ତ ମହାନ୍ତି ପ୍ରଥମ ଇନିଂସରେ ଗୋଟିଏ ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୨ଟି ସଫଳତା ପାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ରଣଜୀ ଟ୍ରଫି ଡେବ୍ୟୁରେ ବସନ୍ତ ବେଙ୍ଗଲର ମନୋଜ ତିୱାରୀଙ୍କୁ ଆଉଟ କରି ପ୍ରଥମ ୱିକେଟ ପାଇଥିଲେ। ଆଜି ଶେଷ ମ୍ୟାଚ୍‌ରେ ମଧ୍ୟ ତାଙ୍କ ଶେଷ ୱିକେଟ ମନୋଜ ତିୱାରୀ ରହିଛନ୍ତି। ମନୋଜ ତିୱାରୀ ୫୨ ରନ କରିଥିବା ବେଳେ ବସନ୍ତ ମହାନ୍ତି ତାଙ୍କୁ ଆଉଟ କରିଥିଲେ। ମ୍ୟାଚ୍‌ ପୂର୍ବରୁ ମନୋଜ ତିୱାରୀ ତାଙ୍କର ଶେଷ ୱିକେଟ ହୁଅନ୍ତୁ ବୋଲି ମଧ୍ୟ ବସନ୍ତ ମହାନ୍ତି ଆଗ୍ରହ ଦେଖାଇଥିଲେ। ସତକୁ ସତ ଏକଥା ସତ ହୋଇଛି। ଏପରି କୀର୍ତ୍ତିମାନ କରିବାରେ ବସନ୍ତ ସମ୍ଭବତଃ ପ୍ରଥମ ଖେଳାଳି ବନିଛନ୍ତି। 

ତେବେ ମ୍ୟାଚ୍‌ରେ ଓଡ଼ିଶା ପାଇଁ କମାଲ କରିଛନ୍ତି ଅନ୍ୟତମ ଦ୍ରୁତ ବୋଲର ସୁନୀଲ ରାଉଳ। ସେ ପ୍ରଥମ ଇନିଂସରେ ୨୩ ରନ କରିବା ସହ ୩ଟି ୱିକେଟ ନେଇଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ସେ ବେଙ୍ଗଲର ୬ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହି ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Cricket Oca