Advertisment

ନୀରଜ ଚୋପ୍ରା ଓ ପ୍ରମୋଦ ଭଗତଙ୍କୁ ଖେଳରତ୍ନ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଆଜି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ତାଙ୍କୁ ଖେଳରତ୍ନ ମିଳିବ ବୋଲି ଘୋଷଣା କରାଯାଇଥିଲା। ପ୍ରମୋଦଙ୍କ ବ୍ୟତୀତ ଚଳିତ ବର୍ଷ ଓଡ଼ିଆ ହକି ଷ୍ଟାର୍ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ପଅବଦାନ ପାଇଁ ବୀରେନ୍ଦ୍ର […]

author-image
Hemant Lenka
ଅଦ୍ୟତନ ହୋଇଛି
ନୀରଜ ଚୋପ୍ରା ଓ ପ୍ରମୋଦ ଭଗତଙ୍କୁ ଖେଳରତ୍ନ ଦେଲେ ରାଷ୍ଟ୍ରପତି

pramod

ନୂଆଦିଲ୍ଲୀ: ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଆଜି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ତାଙ୍କୁ ଖେଳରତ୍ନ ମିଳିବ ବୋଲି ଘୋଷଣା କରାଯାଇଥିଲା। ପ୍ରମୋଦଙ୍କ ବ୍ୟତୀତ ଚଳିତ ବର୍ଷ ଓଡ଼ିଆ ହକି ଷ୍ଟାର୍ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ପଅବଦାନ ପାଇଁ ବୀରେନ୍ଦ୍ର ଓ ଅମିତଙ୍କ ବ୍ୟତୀତ ମୋଟ ୩୫ ଜଣଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ମିଳିଛି।

Advertisment

ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ପ୍ରଦାନ ପୂର୍ବରୁ ରାଷ୍ଟ୍ରପତି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଆଗରେ ପ୍ରମୋଦ ଜଣେ ପାରା ଆଥଲେଟ ଭାବେ ଦେଶ ପାଇଁ ହାସଲ କରିଥିବା ସଫଳତାକୁ ଉପସ୍ଥାପନ କରାଯାଇଥିଲା। ଏହାପରେ ସେ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ମେଡାଲ ସହ ପ୍ରମାଣପତ୍ର ଗ୍ରହଣ କରିଥିଲେ।

ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇବେ। ଏହା ପୂର୍ବରୁ କୌଣସି ଓଡ଼ିଆଙ୍କୁ ‘ଖେଳ ରତ୍ନ’ରେ ସମ୍ମାନିତ କରାଯାଇନଥିଲା।

Advertisment

ପ୍ରମୋଦଙ୍କ ବ୍ୟତୀତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଜାଭେଲିନରେ ସୁନା ଜିତିଥିବା ନୀରଜ ଚୋପ୍ରାଙ୍କୁ ମଧ୍ୟ ରାଷ୍ଟ୍ରପତି ଖେଳରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି। ଏମାନଙ୍କ ବ୍ୟତୀତ ରେସଲର୍ ରବି ଦାହିୟା, ଭାରତୀୟ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲୀନା ବୋର୍ଗୋହେନ୍, ଫୁଟବଲର ସୁନୀଲ ଛେତ୍ରୀ, ମହିଳା କ୍ରିକେଟର୍ ମିତାଲୀ ରାଜ, ଆଥଲେଟ୍ ସୁମିତ୍ ଅନ୍ତିଲ୍, ପାରା ଶୁଟର୍ ଅବନୀ ଲେଖରା, ପାରା ବ୍ୟାଡମିଣ୍ଟନ୍ ଖେଳାଳି କ୍ରିଷ୍ଣା ନାଗର ଓ ପାରା ଶୁଟର୍ ଏମ୍ ନରୱାଲଙ୍କୁ ମଧ୍ୟ ଆଜି ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଖେଳରତ୍ନ ସମ୍ମାନରେ ସମ୍ମାନୀତ କରିଛନ୍ତି। ଚଳିତ ବର୍ଷ ପ୍ରମୋଦଙ୍କ ସମେତ ମୋଟ ୧୨ ଜଣ କ୍ରୀଡ଼ାବିତଙ୍କୁ ଚଳିତ ବର୍ଷ ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନୀତ କରାଯାଇଛି।


ଗତ ବୁଧବାର ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ପ୍ରମୋଦ ନାଁ ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରିଥିଲା। ଏହା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଏଥିରେ ମୋହର୍ ମାରିଥିଲା।

୨୦୨୧ ବର୍ଷ ଭାରତୀୟ କ୍ରୀଡ଼ା ଜଗତ ପାଇଁ ବେଶ୍ ସ୍ମରଣୀୟ ବର୍ଷ ରହିଛି। ଭାରତୀୟ କ୍ରୀଡ଼ାବିତ୍ ଭାବେ ଉଭୟ ଟୋକିଓ ଅଲିମ୍ପିକ୍ସ ଓ ଟୋକିଓ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଥିଲେ। ଚଳିତ ବର୍ଷ ଟୋକିଓରେ ଆୟୋଜିତ ପାରାଲିମ୍ପିକ୍ସରେ ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ ବ୍ୟାଡମିଣ୍ଟନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।


ସେହିପରି ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେ ଭାରତର ପ୍ରଥମ କ୍ରୀଡ଼ାବିତ୍ ଭାବେ ଅଲିମ୍ପିକ୍ସର ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର କ୍ରୀଡ଼ାବିତ୍ ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନାଁ ବଦଳାଇ ଦିଆଯାଇଥିଲା। ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାଁକୁ ହଟାଇ ଦିଆଯାଇ ଏହାକୁ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର‘ ନାଁରେ ନାମିତ କରାଯାଇଥିଲା।