Advertisment

PHF: ବାସନ ମାଜିଲା ପାକିସ୍ତାନର ହକି ଟିମ, ୧୫ ଘଣ୍ଟା ଧରି ମିଳିଲାନି ଖାଦ୍ୟ!

ଖେଳାଳିମାନେ ରହିବାକୁ ଥିବା ହୋଟେଲକୁ ପାକିସ୍ତାନ ହକି ମହାସଂଘ ଟଙ୍କା ଦେଇ ନଥିଲା। ଏଥିପାଇଁ ସାଧାରଣ ଲୋକଙ୍କ ଭଳି ଜାତୀୟ ସ୍ତରର ଖେଳାଳିଙ୍କୁ ଦୀର୍ଘ ସମୟ ଧରି ରାସ୍ତାରେ ବୁଲିବାକୁ ପଡ଼ିଛି।

author-image
Hemant Lenka
Pakistan

ପାକିସ୍ତାନ ଖେଳାଳି(ଏଆଇ ଫଟୋ)

ପୁଣି ବିଶ୍ୱ ଦରବାରରେ ନିଜ ଖେଳାଳିଙ୍କୁ ଅପମାନିତ କରିଛି ପାକିସ୍ତାନ। ପାକିସ୍ତାନ(Pakistan) ସରକାରଙ୍କ ଭୁଲ ଯୋଗୁ ଅନ୍ତର୍ଜାତୀୟ ଖେଳାଳିଙ୍କୁ ପଶୁ ଠାରୁ ହୀନ ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ିଛି। ଅଷ୍ଟ୍ରେଲିଆର ସିଡ୍‌ନୀ ଗସ୍ତରେ ଯାଇଥିବା ପାକିସ୍ତାନର ଜାତୀୟ ହକି ଟିମକୁ ଅର୍ଥ ଅଭାବରୁ ବାସନ ମାଜିବାକୁ ପଡ଼ିଛି। ସେମାନଙ୍କୁ ୧୫ ଘଣ୍ଟା ଧରି ରହିବାକୁ ହୋଟେଲ କିମ୍ବା ଖାଇବାକୁ ଖାଦ୍ୟ ମିଳିନି।

Advertisment

ଖେଳାଳିମାନେ ରହିବାକୁ ଥିବା ହୋଟେଲକୁ ପାକିସ୍ତାନ ହକି ମହାସଂଘ ଟଙ୍କା ଦେଇ ନଥିଲା। ଏଥିପାଇଁ ସାଧାରଣ ଲୋକଙ୍କ ଭଳି ଜାତୀୟ ସ୍ତରର ଖେଳାଳିଙ୍କୁ ଦୀର୍ଘ ସମୟ ଧରି ରାସ୍ତାରେ ବୁଲିବାକୁ ପଡ଼ିଛି। ଏକଥା ଜଣାପଡ଼ିବା ପରେ ବି ପାକିସ୍ତାନ ସରକାର ବାଟକୁ ଆସି ନଥିଲେ, ବରଂ ପାକିସ୍ତାନ ହକି ଟିମର ଖେଳାଳିଙ୍କୁ ମିଛ କହିବାକୁ ବାଧ୍ୟ କରିଥିଲେ।

ହେଲେ ଏବେ ପାକିସ୍ତାନ ହକି ଟିମର କ୍ୟାପ୍ଟେନ ଶକୀଲ ଅହମଦ ବଟ୍ଟ ଦେଶକୁ ଫେରିବା ପରେ ଜାତୀୟ ମହାସଂଘକୁ ତୀବ୍ର ସମାଲୋଚନା କରିଛନ୍ତି। ତାଙ୍କ କହିବା କଥା ଯେ ପାକିସ୍ତାନ ଟିମର ରହିବା ପାଇଁ ବ୍ୟବସ୍ଥା ହୋଇ ନଥିବାରୁ ଖେଳାଳିଙ୍କୁ କେବଳ ରାସ୍ତାରେ ବୁଲିବାକୁ ପଡ଼ି ନଥିଲା, ବରଂ ମ୍ୟାଚ୍‌ ଖେଳିବାକୁ ଯିବା ପୂର୍ବରୁ ବାସନ ମଧ୍ୟ ମାଜିବାକୁ ପଡ଼ିଥିଲା। 

Advertisment

ଲାହୋର ଏୟାରପୋର୍ଟରେ ବଟ୍ଟ ଗଣମାଧ୍ୟମକୁ କହିଛନ୍ତି ଯେ ପାକିସ୍ତାନ ହକି ମହାସଂଘ ସେମାନଙ୍କୁ ମିଛ କହିଥିଲା ଓ ଏବେ ବହୁତ ହୋଇଗଲା ବୋଲି ସେ ବେଶ ନିରାଶ ହୋଇ କହିଛନ୍ତି। ସେ କହିଛନ୍ତି, “ଆମେ ବର୍ତ୍ତମାନର ସଂଘ ପରିଚାଳକଙ୍କ ଦ୍ୱାରା କାମ କରିପାରିବୁ ନାହିଁ। ମ୍ୟାଚ୍‌ ଖେଳିବା ପାଇଁ ଯିବା ପୂର୍ବରୁ ଖେଳାଳିଙ୍କୁ ରୋଷେଇ ଘର ସଫା ଓ ବାସନ ମାଜିବାକୁ ପଡ଼ୁଥିଲା। ଏପରି ସ୍ଥିତିରେ ଆପଣମାନେ ଆମ ଠାରୁ କେଉଁ ପ୍ରକାରର ରେଜଲ୍ଟ ଆଶା କରୁଛନ୍ତି।”

ପାକିସ୍ତାନ କ୍ରୀଡ଼ା ବୋର୍ଡ ଦେଶର ହକି ଟିମ ପାଇଁ ଅଷ୍ଟ୍ରେଲିଆରେ ଆବଶ୍ୟକ ହୋଟେଲ ବ୍ୟବସ୍ଥା କରିବାକୁ ୧୦ ମିଲିୟନରୁ ଅଧିକ ଟଙ୍କା ଦେଇଥିବା କହିବା ପରେ ପାକିସ୍ତାନ ହକି(Hockey) ମହାସଂଘ ତୀବ୍ର ସମାଲୋଚନା ହୋଇଛି। ଟଙ୍କା ପାଇ ମଧ୍ୟ କାହିଁକି ଜାତୀୟ ଟିମ ପାଇଁ ଅଷ୍ଟ୍ରେଲିଆରେ ହୋଟେଲ ବୁକିଂ କରାଯାଇ ନଥିଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି। 

କାନବେରା ଯିବା ପୂର୍ବରୁ ପାକିସ୍ତାନ ହକି ଟିମକୁ ୧୩ରୁ ୧୪ ଘଣ୍ଟା ପ୍ରଥମେ ସିଡ୍‌ନୀ ଏୟାରପୋର୍ଟରେ ବସିବାକୁ ପଡ଼ିଥିଲା। ଏହାପରେ ସେମାନେ ଯେତେବେଳେ ଏଫଆଇଏଚ୍‌ ପ୍ରୋ ଲିଗ ମ୍ୟାଚ୍‌ଗୁଡ଼ିକ ପାଇଁ ହୋଟେଲରେ ପ୍ରବେଶ କରିଥିଲେ ସେତେବେଳେ ଆହୁରି ଲଜ୍ଜାଜନକ ସ୍ଥିତି ସୃଷ୍ଟି ହୋଇଥିଲା।

ବୁକିଂ ପାଇଁ ପାକିସ୍ତାନ ହକି ମହାସଂଘ ହୋଟେଲକୁ ଟଙ୍କା ଦେଇ ନଥିଲା। ଏଥିପାଇଁ ଖେଳାଳିମାନଙ୍କୁ ହୋଟେଲ କର୍ତ୍ତୃପକ୍ଷ କୌଣସି ପ୍ରକାରର ରହିବାକୁ ଅନୁମତି ଦେଇ ନଥିଲେ। ଖେଳାଳିମାନଙ୍କୁ ଦୀର୍ଘ ଘଣ୍ଟା ଧରି ନିଜ ଜିନିଷପତ୍ର ସହ ଅପେକ୍ଷା କରିବାକୁ ପଡ଼ିଥିଲା।

ହୋଟେଲ ବୁକ ହେବା ଯାଏ ସେମାନେ ରାସ୍ତାରେ ବୁଲିବାକୁ ମଧ୍ୟ ବାଧ୍ୟ ହୋଇଥିଲା। ପରବର୍ତ୍ତୀ ମଧ୍ୟାହ୍ନରେ ସେମାନେ ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ୍‌ ଖେଳିଥିଲେ ହେଁ ୨-୩ରେ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆରେ ପାକିସ୍ତାନ ତା’ର ସମସ୍ତ ମ୍ୟାଚ୍‌ ହାରିଛି। 

ବଟ୍ଟ କହିଛନ୍ତି, “ସବୁଠାରୁ ଦୁଃଖର କଥା ହେଉଛି ଯେ ଆମେ ୧୩ ଦିନ ରହିବାକୁ ଥିବା ବେଳେ ଆମ ପାଇଁ ୧୦ ଦିନର ବୁକିଂ ହୋଇଥିଲା। ୧୦ ଦିନ ପରେ ଆମେ ଗୋଟିଏ ଲଜ ଭଳି ସ୍ଥାନରେ ରହିବାକୁ ବାଧ୍ୟ ହୋଇଥିଲୁ।” 

ବଟ୍ଟ ଆହୁରି କହିଛନ୍ତି ଯେ ଯଦି ଖେଳାଳିମାନେ ସେମାନେ ସାମ୍ନା କରିଥିବା ସ୍ଥିତି ସମ୍ପର୍କରେ ଗଣମାଧ୍ୟମ ଆଗରେ କହିବେ, ତା’ହେଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଧମକ ମଧ୍ୟ ପାକିସ୍ତାନ ହକି ମହାସଂଘ ଦେଇଛି। 

ସେ କହିଛନ୍ତି, “ଅଷ୍ଟ୍ରେଲିଆରେ ଆମେ ସାମ୍ନା କରିଥିବା ଭୟଙ୍କର ସ୍ଥିତି ସମ୍ପର୍କରେ ଆମେ ଆଜି କହୁଛୁ। ଆମକୁ ଆଗକୁ ଯିବାକୁ ହେଲେ ଜଣେ ବିଦେଶୀ କୋଚ ଦରକରା। ଆମ ପାଖରେ ଭଲ ଖେଳାଳି ରହିଛନ୍ତି। କିନ୍ତୁ ଆମେ ଜଣେ ଭଲ ବିଦେଶୀ କୋଚ ଓ ଉପଯୁକ୍ତ ମ୍ୟାନେଜମେଣ୍ଟ ଚାହୁଁଛୁ।” 

ବଟ୍ଟଙ୍କ ଏପରି ବୟାନ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ନିଜେ ପୂରା ବିବାଦର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

Pakistan Hockey