Advertisment

ଜାପାନରେ ଅନୁପ୍ରବେଶ ବେଳେ ଧରାପଡ଼ିଲା ପାକିସ୍ତାନର ନକଲି ଫୁଟବଲ ଟିମ୍‌

ଟୁର୍ଣ୍ଣାମେଣ୍ଟ ଖେଳିବା ନାଁରେ ସେମାନେ ଜାପାନରେ ପହଞ୍ଚିଥିଲେ। କିନ୍ତୁ ଏୟାରପୋର୍ଟରେ ସେମାନଙ୍କ ସବୁ ଖେଳ ଶେଷ ହୋଇଛି।

author-image
Hemant Lenka
AI

AI

ପୁଣି ଚର୍ଚ୍ଚାରେ ପାକିସ୍ତାନ। ଏଥିର ପାକିସ୍ତାନର ଗୋଟିଏ ନକଲି ‍ଫୁଟବଲ ଟିମର ପର୍ଦ୍ଦାଫାସ ହୋଇଛି। ଜାପାନରେ ବେଆଇନ ଭାବେ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଧରା ପଡ଼ିଛି ପାକିସ୍ତାନର ଗୋଟିଏ ନକଲି ‍ଫୁଟବଲ ଟିମ। ନିଜକୁ ପାକିସ୍ତାନର ପ୍ରଫେସନାଲ ଫୁଟବଲ ଖେଳାଳିର ପରିଚୟ ଦେଇ ୨୨ ଜଣ ଯୁବକ ଜାପାନରେ ବେଆଇନ ଭାବେ ପ୍ରବେଶ କରୁଥିଲେ।

Advertisment

ଟୁର୍ଣ୍ଣାମେଣ୍ଟ ଖେଳିବା ନାଁରେ ସେମାନେ ଜାପାନରେ ପହଞ୍ଚିଥିଲେ। କିନ୍ତୁ ଏୟାରପୋର୍ଟରେ ସେମାନଙ୍କ ସବୁ ଖେଳ ଶେଷ ହୋଇଛି। ଜାପାନ ଅଧିକାରୀମାନେ ଏପରି ଜାଲିଆତିର ପର୍ଦ୍ଦାଫାସ କରି ପାକିସ୍ତାନର ନକଲି ଫୁଟବଲ ଟିମକୁ ଏୟାରପୋର୍ଟରୁ ହିଁ ନିଜ ଦେଶକୁ ବିଦା କରି ଦେଇଛି। ଏହାପରେ ପାକିସ୍ତାନର ଫେଡରାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏଫଆଇଏ ଏହା ପଛରେ ଥିବା ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ କରିବାକୁ ସକ୍ଷମ ହୋଇଛି। ନିଜକୁ ପାକିସ୍ତାନର ଫୁଟବଲ ଖେଳାଳି କହୁଥିବା ସମସ୍ତ ୨୨ ଜଣ ଯୁବକଙ୍କୁ ମଧ୍ୟ ପାକିସ୍ତାନରେ ଗିରଫ କରାଯାଇଛି।

ଏଫଆଇଏ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଯୁବକମାନେ ନିଜକୁ ପ୍ରଫେସନାଲ ଫୁଟବଲ ଖେଳାଳି କହୁଥିଲେ। ସେମାନେ ପାକିସ୍ତାନ ଫୁଟବଲ ଫେଡରେସନ ବା ପିଏଫଏଫ ଦ୍ୱାରା ଅନୁବନ୍ଧିତ ବୋଲି କହିବା ସହ ବୈଦେଶିକ ମନ୍ତ୍ରଣାଳୟ ଠାରୁ ହାସଲ କରିଥିବା ଏନଇସି ମଧ୍ୟ ଦେଖାଇଥିଲେ।

Advertisment

ତଥାପି ସେମାନଙ୍କ ଚାଲିଚଳନକୁ ଦେଖି ଏୟାରପୋର୍ଟରେ ଜାପାନ ଅଧିକାରୀମାନଙ୍କ ସନ୍ଦେହ ହୋଇଥିଲା। ସେମାନଙ୍କୁ ଅଟକ ରଖି ଜେରା କରାଯିବାରୁ ସେମାନେ ବେଆଇନ ଭାବେ ଜାପାନରେ ପ୍ରବେଶ କରିବା ମୁଡରେ ଥିବା ଜଣାପଡ଼ିଥିଲା। ଫଳରେ ସେମାନଙ୍କୁ ଏୟାରପୋର୍ଟରୁ ପାକିସ୍ତାନକୁ ପଠାଇ ଦିଆଯାଇଥିଲା। ତେବେ ଏହି ଯୁବକମାନେ କେମିତି ବିନା ଯାଞ୍ଚରେ ପାକିସ୍ତାନ ଏୟାରପୋର୍ଟରୁ ବିମାନରେ ବସିଲେ, ସେକଥା ଏଫଆଇଏ କହି ନାହିଁ।

ଏହି ଘଟଣା ପରେ ତଦନ୍ତକାରୀ ଅଧିକାରୀମାନେ ସିଆଲକୋଟର ପାସରୋରରେ ରହୁଥିବା ପୂରା ରାକେଟର ମାଷ୍ଟରମାଇଣ୍ଡ ମଲିକ ୱାକସକୁ ଗିରଫ କରିଛି। ସେ ଗୋଲ୍ଡେନ ଫୁଟବଲ ଟ୍ରାଏଲ ନାମକ ଗୋଟିଏ ନକଲି କ୍ଲବ ଖୋଲି ସମସ୍ତଙ୍କୁ ଠକି ଚାଲିଥିଲା। ୱାକସ ୨୨ ଜଣ ଯୁବକଙ୍କୁ ଫୁଟବଲ ଖେଳିବାକୁ ଜାପାନ ପଠାଇଥିଲା। ଏଥିପାଇଁ ଜଣଙ୍କ ପିଛା ୪୦ରୁ ୪୫ ଲକ୍ଷ ଟଙ୍କା ମଧ୍ୟ ନେଇଥିଲା। ସେ ନକଲି କ୍ଲବ କରି ଲୋକଙ୍କୁ ଠକେଇ କରୁଥିବା ଜଣାପଡ଼ିବା ପରେ ଏଫଆଇଏ ପକ୍ଷରୁ ତା’କୁ ଗିରଫ କରାଯାଇଛି। ତା’ ନାଁରେ ଏକାଡ଼ିକ ମାମଲା ମଧ୍ୟ କରାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ ୱାକସର ଏପରି ମାନବ ଚାଲାଣ ଫଣ୍ଡା ନୂଆ ନୁହେଁ। ୨୦୨୪ ଜାନୁଆରୀରେ ସେ ସମାନ ନକଲି ଯାତ୍ରା କାଗଜ ଓ ନକଲି ନିମନ୍ତ୍ରଣ ପତ୍ର ଜରିଆରେ ୧୭ ଜଣଙ୍କୁ ଜାପାନ ପଠାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ କେହି ବି ଆଉ ଏଯାଏ ପାକିସ୍ତାନ ଫେରି ନାହାନ୍ତି।

Pakistan