ସଫଳତାର ଅନନ୍ୟ ପ୍ରତୀକ ହେଉଛି ଅଲିମ୍ପିକ୍ସ ପଦକ। ଅନ୍ତର୍ଜାତୀୟ ସ୍ତରରେ ଜଣେ ପାଇଥିବା ସଫଳତାକୁ ଏହି ପଦକ ବଖାଣିଥାଏ। ଅଲିମ୍ପିକ୍ସର ଏହି ଯାତ୍ରା ୧୮୯୬ ମସିହାରୁ ଗ୍ରୀସର ଏଥେନ୍ସରୁ ଆରମ୍ଭ ହୋଇଥିଲା।
କିଛି ପରିବର୍ତ୍ତନ ସହିତ ଏହି ପ୍ରକ୍ରିୟା ପ୍ରାଚୀନ ଗ୍ରୀକ୍ ପରମ୍ପରାର ପୁନର୍ଜନ୍ମକୁ ଚିହ୍ନିତ କରିଥିଲା। ଆଜି ତୁଳନାରେ ବିଜେତାମାନଙ୍କୁ ସ୍ୱର୍ଣ୍ଣ ପଦକ ଭାବେ ଚାନ୍ଦିର ପଦକ ପ୍ରଦାନ କରାଯାଉଥିଲା। କାରଣ ସେତେବେଳେ ସ୍ୱର୍ଣ୍ଣ ପଦକ ପ୍ରଚଳନ କରାଯାଇ ନଥିଲା।
୧୯୦୪ରେ ସେଣ୍ଟ୍ ଲୁଇସ୍ ଗେମ୍ସ ପର୍ଯ୍ୟନ୍ତ ସ୍ୱର୍ଣ୍ଣ ପଦକର ପ୍ରଚଳନ ନଥିଲା। ୧୯୦୪ ଠାରୁ ତିନି ସ୍ତରୀୟ ସୁନା, ରୁପା ଓ କାଂସ୍ୟ ପଦକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବର୍ଷ ବର୍ଷ ଧରି ଅଲିମ୍ପିକ୍ସ ପଦକଗୁଡ଼ିକ ଆୟୋଜନ କରୁଥିବା ରାଷ୍ଟ୍ରଗୁଡ଼ିକ ଅନୁସାରେ ଡିଜାଇନ୍ କରାଯାଉଛି। ପଦକରେ ଆୟୋଜକ ଦେଶର ଜଲକ ରହୁଛି।
ପ୍ୟାରିସ୍ ୨୦୨୪ ପଦକଗୁଡ଼ିକରେ ଏମିତି କିଛି ଅନନ୍ୟ ମୂଲ୍ୟବାନ ଧାତୁକୁ ମିଶ୍ରିଣ କରାଯାଇଛି, ଯାହାର ଦାମ ମଧ୍ୟ ସମୟକ୍ରମେ ବୃଦ୍ଧି ପାଇଛି। ପ୍ରତ୍ୟେକ ପଦକରେ ଫ୍ରାନ୍ସର ପ୍ରସିଦ୍ଧ ଇଫେଲ ଟାୱାରର ସ୍ପର୍ଶ ଦିଆଯାଇଛି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଲୋଗୋ ଭାବେ ଏହାକୁ ପଦକର କେନ୍ଦ୍ରରେ ସ୍ଥାନିତ ହୋଇଛି।
ଯଦିଓ ଏଥିରେ ଥିବା ସାମଗ୍ରୀଗୁଡ଼ିକ ମୂଲ୍ୟବାନ ହୋଇନପାରେ, କିନ୍ତୁ ଏହାର ଐତିହାସିକ ମହତ୍ତ୍ୱ, କାରିଗରୀ ଓ ଅନନ୍ୟ ବିବରଣୀ ଅଲିମ୍ପିକ୍ସ ପଦକଗୁଡ଼ିକୁ ଅଧିକ ମୂଲ୍ୟବାନ କରିଥାଏ।
ଲୋକଙ୍କ ବିଶ୍ୱାସ ଯେ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ସଂପୂର୍ଣ୍ଣ ସୁନାରେ ତିଆରି। କିନ୍ତୁ ବାସ୍ତବରେ ଏହା ସଂପୂର୍ଣ୍ଣ ସୁନା ନୁହେଁ। ଏହା ଉପରେ କେବଳ ଖୁବ କମ ମାତ୍ରାର ସୁନା ମିଶି ଥାଏ। ପ୍ୟାରିସ ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ୱର୍ଣ୍ଣ ପଦକର ଓଜନ ୫୨୯ ଗ୍ରାମ। କିନ୍ତୁ ଏଥିରେ ସୁନାର ଭାଗ ମାତ୍ର ୬ ଗ୍ରାମ।
ଏହାର ଅର୍ଥ ମୋଟ ପଦକର ଓଜନ ତୁଳନାରେ ଏଥିରେ ସୁନାର ଭାଗ ୧.୩%। ପଦକଟି ଶୁଦ୍ଧ ରୁପାରେ ତିଆରି ହୋଇଛି। ଏହାର ଉପରେ ୬% ସୁନାର ଆସ୍ତରଣ ଦିଆଯାଇଛି।
୧୯୧୨ ଷ୍ଟକହୋମ ଗେମ୍ସ ଯାଏ ମିଳୁଥିବା ସ୍ୱର୍ଣ୍ଣ ପଦକ ପାରମ୍ପରିକ ଭାବେ ପୂରା ସୁନାରେ ତିଆରି ହେଉଥିଲା। କିନ୍ତୁ ପ୍ରଥମ ବିଶ୍ୱ ଯୁଦ୍ଧ ପରେ ଅର୍ଥ ସଞ୍ଚୟ କରିବା ପାଇଁ ସ୍ୱର୍ଣ୍ଣ ପଦକରେ ବ୍ୟବହାର ହେଉଥିବା ସୁନାର ପରିମାଣକୁ ହ୍ରାସ କରାଯାଇଥିଲା। ୧୯୨୦ ଅଲିମ୍ପିକ୍ସ ବେଳକୁ ସୁନାର ସ୍ଥାନ ସଂପୂର୍ଣ୍ଣ ଭାବେ ରୁପା ନେଇ ଯାଇଥିଲା। ଏହା ଉପରେ କେବଳ ସୁନାର ଆସ୍ତରଣ ଦିଆଯାଇଥିଲା।
ଅକ୍ସଫୋର୍ଡ ଇକୋନୋମିକ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପ୍ୟାରିସ ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ୱର୍ଣ୍ଣ ପଦକର ମୂଲ୍ୟ ୯୫୦ ୟୁରୋ ବା ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୮୬ ହଜାର ଟଙ୍କା। ବର୍ତ୍ତମାନ ମାର୍କେଟରେ ଥିବା ୨୪ କ୍ୟାରେଟ ସୁନା ଓ ରୁପାର ମୂଲ୍ୟ ଆଧାରରେ ଏହାର ଦାମ ନିର୍ଦ୍ଧାରଣ କରାଯାଇଛି।
ଅନ୍ୟପକ୍ଷରେ ରୌପ୍ୟ ପଦକ ଏହାର ନାଁ ଅନୁସାରେ ସଂପୂର୍ଣ୍ଣ ରୁପାରେ ତିଆରି। ବ୍ରୋଞ୍ଜ ପଦକରେ ଏକାଧିକ ଧାତୁର ମିଶ୍ରଣ କରାଯାଇଥାଏ। ଏହା ମଧ୍ୟରେ ତମ୍ବା, ଟିଣ ଓ ଜିଙ୍କ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।