Advertisment

ସ୍ୱର୍ଣ୍ଣ ପାଇଁ ଲଢ଼ିବେ ଲଭଲିନା, ବ୍ରୋଞ୍ଜରେ ସନ୍ତୁଷ୍ଟ ହେଲେ ପ୍ରୀତି

ପ୍ରୀତି ଦ୍ୱିତୀୟ ମହିଳା ବକ୍ସର ଭାବେ ଚଳିତ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୁ ନିଖତ ଜରୀନ ମଧ୍ୟ ସେମିରେ ହାରି ବ୍ରୋଞ୍ଜ ପଦକ ଜିତିଥିଲେ।

author-image
Hemant Lenka
Boxing

Boxing

ଏସିଆନ ଗେମ୍ସ ବକ୍ସିଂ ଇଭେଣ୍ଟରୁ ଆଜି ଭାରତକୁ ମିଶ୍ରତ ଫଳ ମିଳିଛି। ମହିଳା ୭୫ କେଜି ବର୍ଗରେ ଦେଶର ଷ୍ଟାର ବକ୍ସର ଲଭଲିନା ବୋର୍ଗୋହେନଙ୍କୁ ଡବଲ ସଫଳତା ମିଳିଛି।
ସେ ଏହି ବର୍ଗରେ ଫାଇନାଲରେ ପ୍ରବେଶ କରିବା ସହ ଦେଶ ପାଇଁ ପଦକ ପକ୍କା କରିଛନ୍ତି। ସେହିପରି ଫାଇନାଲ ଟିକେଟ ହାତେଇବା କ୍ଷଣି ତାଙ୍କୁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ ମିଳି ଯାଇଛି।

Advertisment

ସେମି ଫାଇନାଲରେ ଲଭଲିନାଙ୍କ ମୁକାବିଲା ଥାଇଲ୍ୟାଣ୍ଡର ବାଇସନ ମାନୀକୋନଙ୍କ ସହ ହୋଇଥିଲା। ଆରମ୍ଭରୁ ହିଁ ଲଭଲିନା ନିଜର ଦବଦବା ଦେଖାଇଥିଲେ। ଉଭୟ ଆଟାକ ଓ ଡିଫେନ୍ସରେ ସେ ନିଜର ଯାଦୁ ଦେଖାଇ ମାନୀକୋନଙ୍କୁ ଚିତ କରି ଦେଇଥିଲେ। ଶେଷରେ ସେ ସର୍ବସମ୍ମତିକ୍ରମେ ଏହି ମ୍ୟାଚ୍‌କୁ ଜିତି ନେଇଛନ୍ତି। ବୁଧବାର ଲଭଲିନା ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ।

ଅନ୍ୟପକ୍ଷରେ ୫୪ କେଜି ବର୍ଗର ସେମିରେ ୧୯ ବର୍ଷୀୟ ପ୍ରୀତି ପାୱାର ହାରି ଯାଇଛନ୍ତି। ଫଳରେ ତାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଆଜି ସେମି ଫାଇନାଲରେ ପ୍ରୀତିଙ୍କ ମୁକାବିଲା ଚାଇନାର ୟୁଆନ ଚାଙ୍ଗ ସହ ହୋଇଥିଲା। ଚାଙ୍ଗ ଜଣେ ଅଭିଜ୍ଞ ବକ୍ସର ହୋଇଥିଲେ ହେଁ ପ୍ରୀତି ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ।

Advertisment

ଚାଙ୍ଗ ପ୍ରଥମ ରାଉଣ୍ଡକୁ ୪-୧ରେ ଜିତି ନେଇଥିଲେ। କିନ୍ତୁ ଦ୍ୱିତୀୟ ରାଉଣ୍ଡରେ ପ୍ରୀତି କମବ୍ୟାକ କରିଥିଲେ। ତାଙ୍କ ପଞ୍ଚ ମଧ୍ୟ ଚାଙ୍ଗଙ୍କ ମୁହଁରେ ଠିକଠାକ କନେକ୍ଟ ହୋଇଥିଲା। ଏହି ସେଟକୁ ପ୍ରୀତି ଜିତି ନେଇଥିଲେ।

ତୃତୀୟ ରାଉଣ୍ଡରେ ମଧ୍ୟ ପ୍ରୀତି ଆଟାକିଂ ଖେଳ ଖେଳିବା ସହ ଅପର କଟ ମଧ୍ୟ ମାରିଥିଲେ। କିନ୍ତୁ ଚାଙ୍ଗ ନିଜ ଅଭିଜ୍ଞତାର ପ୍ରଦର୍ଶନ କରିଥିଲେ। ଶେଷରେ ଚାଇନିଜ ବକ୍ସର ୫-୦ରେ ମ୍ୟାଚ୍‌କୁ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି।

ପ୍ରୀତି ଦ୍ୱିତୀୟ ମହିଳା ବକ୍ସର ଭାବେ ଚଳିତ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୁ ନିଖତ ଜରୀନ ମଧ୍ୟ ସେମିରେ ହାରି ବ୍ରୋଞ୍ଜ ପଦକ ଜିତିଥିଲେ।

Asian Games Update 19th Asian Games Asian Games Boxing