ପୃଥ୍ୱୀଙ୍କ ଡେବ୍ୟୁ ସେଞ୍ଚୁରୀ: ଜାଣନ୍ତୁ ଆଉ କେଉଁ ଭାରତୀୟଙ୍କ ନାଁରେ ରହିଛି ଏହି ରେକର୍ଡ

ରାଜକୋଟ୍‌: ରାଜକୋଟ୍‌ରେ ଆଜି ଆରମ୍ଭ ହୋଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟରେ ପୃଥ୍ୱୀ ଶ’ ତାଙ୍କ ପଦାର୍ପଣ ମ୍ୟାଚରେ ସେଞ୍ଚୁରୀ ମାରି ୧୫ତମ ଭାରତୀୟ ଭାବେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏହାସହ ସେ ବିଶ୍ୱର ଚତୁର୍ଥ ଓ ଦ୍ୱିତୀୟ ଭାରତୀୟ ସର୍ବ କନିଷ୍ଠ ଖେଳାଳି ଭାବେ ଏହି ରେକର୍ଡ କରିଛନ୍ତି। ପୃଥ୍ୱୀଙ୍କ ପୂର୍ବରୁ ଅନ୍ୟ ୧୪ ଜଣ ଭାରତୀୟ କ୍ରିକେଟର୍‌ଙ୍କ ପାଖରେ ଏହି ରେକର୍ଡ ରହିଛି। ଆସନ୍ତୁ ଜାଣିବା କେଉଁ ଭାରତୀୟ କ୍ରିକେଟର୍‌ ନିଜ […]

shaw-ton-afp

Rakesh Mallick
  • Published: Thursday, 04 October 2018
  • , Updated: 04 October 2018, 03:46 PM IST

ରାଜକୋଟ୍‌: ରାଜକୋଟ୍‌ରେ ଆଜି ଆରମ୍ଭ ହୋଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟରେ ପୃଥ୍ୱୀ ଶ' ତାଙ୍କ ପଦାର୍ପଣ ମ୍ୟାଚରେ ସେଞ୍ଚୁରୀ ମାରି ୧୫ତମ ଭାରତୀୟ ଭାବେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏହାସହ ସେ ବିଶ୍ୱର ଚତୁର୍ଥ ଓ ଦ୍ୱିତୀୟ ଭାରତୀୟ ସର୍ବ କନିଷ୍ଠ ଖେଳାଳି ଭାବେ ଏହି ରେକର୍ଡ କରିଛନ୍ତି।

ପୃଥ୍ୱୀଙ୍କ ପୂର୍ବରୁ ଅନ୍ୟ ୧୪ ଜଣ ଭାରତୀୟ କ୍ରିକେଟର୍‌ଙ୍କ ପାଖରେ ଏହି ରେକର୍ଡ ରହିଛି। ଆସନ୍ତୁ ଜାଣିବା କେଉଁ ଭାରତୀୟ କ୍ରିକେଟର୍‌ ନିଜ ଡେବ୍ୟୁ ମ୍ୟାଚ୍‌ରେ ସେଞ୍ଚୁରୀ ମାରିଥିଲେ।

ଲାଲା ଅମରନାଥ: ଲାଲା ଅମରନାଥ ଭରଦ୍ୱାଜଙ୍କୁ କ୍ରିକେଟ୍‌ ଜଗତ ଲାଲା ଅମରନାଥ ଭାବେ ଜାଣେ। ଅମରନାଥ ହେଉଛନ୍ତି ପ୍ରଥମ ଭାରତୀୟ, ଯିଏ ଟେଷ୍ଟରେ ସେଞ୍ଜୁରୀ ମାରିଥିଲେ। ଏହି ସେଞ୍ଚୁରୀ ୧୯୩୩ରେ ଇଂଲଣ୍ଡ ବିପକ୍ଷରେ ମାରିଥିଲେ। ଏହା ଥିଲା ତାଙ୍କ ଟେଷ୍ଟରେ ଡେବ୍ୟୁ ମ୍ୟାଚ୍‌। ଏଥିରେ ସେ ୧୧୮ ରନ୍‌ କରିଥିଲେ। ମ୍ୟାଚ୍‌ଟି ମୁମ୍ବାଇର ଜିମ୍‌ଖାନା ଷ୍ଟାଡିୟମରେ ଖେଳା ଯାଇଥିଲା।

ଦୀପକ ଶୋଧନ: ଦ୍ୱିତୀୟ ଭାରତୀୟ ଭାବେ ଦୀପକ ଶୋଧନ ଡେବ୍ୟୁ ମ୍ୟାଚ୍‌ରେ ସେଞ୍ଚୁରୀ ମାରିଥିଲେ। ପାକିସ୍ତାନ ବିପକ୍ଷରେ ଇଡେନ୍‌ ଗାର୍ଡେନରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଦୀପକ ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ୧୯୫୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସେ ୧୧୦ ରନ୍‌ କରିଥିଲେ।

ଏଜି କ୍ରିପାଲ ସିଂହ: ଅମ୍ରିତସର ଗୋବିନ୍ଦସିଂହ କ୍ରିପାଲ ସିଂହ ସୁପରିଚିତ କ୍ରିକେଟ୍‌ ପରିବାରରୁ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ତାମିଲନାଡୁ ପାଇଁ ରଣଜୀ ଖେଳୁଥିଲେ। ସିଂହ ଭାରତ ତରଫରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଡେବ୍ୟୁ ମ୍ୟାଚ୍‌ ୧୯୫୫-୫୬ରେ ହାଇଦ୍ରାବାଦ୍‌ରେ ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ଅପରାଜିତ ୧୦୦ ରନ୍‌ କରିଥିଲେ।

ଆବାସ୍‌ ଅଲ୍ଲୀ ବେଗ୍‌: ପ୍ରଥମ ଭାରତୀୟ ଭାବେ ଆବାସ୍‌ଙ୍କ ନାଁରେ ବିଦେଶରେ ଡେବ୍ୟୁ ମ୍ୟାଚ୍‌ରେ ସେଞ୍ଜୁରୀ ମାରିବାର ରେକର୍ଡ ରହିଛି। ୧୯୫୯ରେ ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟର୍‌ରେ ସେ ଏହି ସେଞ୍ଚୁରୀ ମାରିଥିଲେ। ଏହି ମ୍ୟାଚ୍‌ରେ ସେ ୧୧୨ ରନ୍‌ କରିଥିଲେ।

ହନୁମନ୍ତ ସିଂହ: ରଣଜିତ ସିଂହଜୀଙ୍କ ପଣନାତି ହେଉଛନ୍ତି ହନୁମନ୍ତ ସିଂହ। ୧୯୬୩-୬୪ରେ ଦିଲ୍ଲୀରେ ଇଂଲଣ୍ଡ ବିପକ୍ଷରେ ସେ ୧୦୫ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ଏହା ଥିଲା ତାଙ୍କ ଡେବ୍ୟୁ ସେଞ୍ଚୁରୀ।

ଗୁଣ୍ଡାପ୍ପା ବିଶ୍ୱନାଥ: ଭାରତର ସଫଳ କ୍ରିକେଟରଙ୍କ ମଧ୍ୟରେ ଅନ୍ଯତମ ହେଉଛନ୍ତି ଗୁଣ୍ଡାପ୍ପା ବିଶ୍ୱନାଥ। ହାଇ ରିଷ୍ଟ ପାୱାରର ଏହି ଖେଳାଳି ସେ ସମୟରେ ସାରା ବିଶ୍ୱକୁ ନିଜର ବ୍ୟାଟିଂ ପ୍ରତିଭା ବଳରେ ପ୍ରଭାବିତ କରିଥିଲେ। ୧୯୬୯ରେ କାନ୍‌ପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ଟେଷ୍ଟ କ୍ୟାରିଅର ଆରମ୍ଭ କରି ସେଞ୍ଚୁରୀ ମାରିଥିଲେ। ଏହି ମ୍ୟାଚ୍‌ର ପ୍ରଥମ ଇଂନିସ୍‌ରେ ସେ ଶୂନ୍‌ରେ ଆଉଟ୍‌ ହୋଇଥିଲେ। ହେଲେ ଦ୍ୱିତୀୟ ଇଂନିସ୍‌ରେ ତାଙ୍କ ବ୍ୟାଟ୍‌ କଥା କହିଥିଲା। ଏହି ଇଂନିସ୍‌ରେ ସେ ୧୩୭ ରନ୍‌ କରିଥିଲେ।

ସୁରୀନ୍ଦର ଅମରନାଥ: ଲାଲା ଅମରନାଥଙ୍କ ପୁଅ ହେଉଛନ୍ତି ସୁରିନ୍ଦର ଅମରନାଥ। ୧୫ ବର୍ଷ ବର୍ଷରେ ସୁରିନ୍ଦର ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ସେ ଭାରତ ପାଇଁ ପ୍ରଥମ ଟେଷ୍ଟ ୧୯୭୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ୧୨୪ ରନ୍‌ କରିଥିଲେ।

ମହମ୍ମଦ ଆଝାରୁଦ୍ଦିନ୍‌: ୯୦ ଦଶକରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ଥିବା ମହମ୍ମଦ ଆଝାରୁଦ୍ଦିନଙ୍କୁ ବିଶ୍ୱର ସଫଳ ଅଧିନାୟକଙ୍କ ମଧ୍ୟରେ ଗଣାଯାଇଥାଏ। ୧୯୮୪ରେ ଇଡେନ୍‌ ଗାର୍ଡନ୍‌ରେ ଇଂଲଣ୍ଡ ବିପକ୍ଷରେ ସେ ଡେବ୍ୟୁ ଟେଷ୍ଟରେ ସେଞ୍ଚୁରୀ କାରିଥିଲେ। ଏହି ମ୍ୟାଚ୍‌ରେ ସେ ୧୧୦ ରନ୍‌ର ଇଂନିସ୍‌ ଖେଳିଥିଲେ। କେବଳ ସେତିକି ନୁହେଁ, ସେ ତାଙ୍କ ପ୍ରଥମ ୩ଟି ଟେଷ୍ଟ ମ୍ୟାଚ୍‌ରେ ୩ଟି ସେଞ୍ଜୁରୀ ମାରି ବିଶ୍ୱ କ୍ରିକେଟ୍‌ରେ ନିଜର ଉପସ୍ଥିତି ଜାହିର କରିଥିଲେ।

ପ୍ରଭିନ୍‌ ଓମରେ: ମୁମ୍ବାଇ କ୍ରିକେଟ୍‌ ଟିମ୍‌ର ବର୍ତ୍ତମାନ କୋଚ୍‌ ଥିବା ପ୍ରବୀନ୍‌ ଆମ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରି ସେଞ୍ଚୁରୀ ମାରିଥିଲେ। ୧୯୯୨-୯୩ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସେ ୧୦୩ ରନ୍‌ କରିଥିଲେ।

ସୌରଭ୍‌ ଗାଙ୍ଗୁଲି: ୱିସ୍‌ଡେନ୍ ରାଙ୍କ ଅନୁସାରେ ସର୍ବକାଳୀନ ଶ୍ରେଷ୍ଠ ଅନ୍ତର୍ଜାତୀୟ ବ୍ୟାଟ୍ସମ୍ୟାନ୍‌ ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି ଭାରତର ଅନ୍ୟତମ ସଫଳ ଅଧିନାୟକ ସୌରଭ୍‌ ଗାଙ୍ଗୁଲି। ଗାଙ୍ଗୁଲି ତୃତୀୟ ଭାରତୀୟ ଭାବେ ଲର୍ଡ୍ସରେ ଡେବ୍ୟୁ ମ୍ୟାଚ୍‌ରେ ସେଞ୍ଜୁରୀ ମାରିଥିଲେ। ଏହି ମ୍ୟାଚ୍‌ରେ ସେ ୧୩୧ ରନ୍‌ର ଇନିଂସ ଖେଳିଥିଲେ।

ବୀରେନ୍ଦ୍ର ସେହୱାଗ: ଫାଟେଷ୍ଟ ତ୍ରିପୁଲ୍‌ ସେଞ୍ଜୁରୀର ରେକର୍ଡଧାରୀ ବୀରେନ୍ଦ୍ର ସେହୱାଗ ମଧ୍ୟ ଏହି ତାଲିକାରେ ରହିଛନ୍ତି। ସେ ୨୦୦୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଡେବ୍ୟୁ ମ୍ୟାଚ୍‌ରେ ସେଞ୍ଚୁରୀ ମାରିଥିଲେ। ଏହି ମ୍ୟାଚ୍‌ରେ ସେ ୧୦୫ ରନ୍‌ର ଇଂନିସ୍‌ ଖେଳିଥିଲେ।

ସୁରେଶ ରାଇନା: ଦ୍ୱାଦଶ ଭାରତୀୟ ଭାବେ ସୁରେଶ ରାଇନା ଏହି ରେକର୍ଡର ଅଧିକାରୀ ହୋଇଥିଲେ। କଲମ୍ବୋରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ରାଇନା ୧୨୦ ରନ୍‌ର ଇଂନିସ୍‌ ଖେଳିଥିଲେ। ୨୦୧୦ ମହିସାରେ ଏହି ମ୍ୟାଚ୍‌ ଖେଳା ଯାଇଥିଲା।

ଶିଖର ଧୱନ: ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଧୱନ ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍‌ରେ ସେ ୧୭୪ ବଲ୍‌ରୁ ୧୮୭ ରନ୍‌ କରି ଡେବ୍ୟୁ ସେଞ୍ଚୁରୀ ମାରିଥିଲେ। ଏହା ବିଶ୍ୱର ଫାଷ୍ଟେଷ୍ଟ ଡେବ୍ୟୁ ସେଞ୍ଚୁରୀ ଥିଲା।

ରୋହିତ ଶର୍ମା: ୨୦୧୩ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ରୋହିତ ଡେବ୍ୟୁ ଟେଷ୍ଟରେ ସେଞ୍ଚୁରୀ ମାରିଥିଲେ। ଇଡେନ୍‌ ଗାର୍ଡନ୍‌ରେ ଖେଳା ଯାଇଥଇବା ଏହି ମ୍ୟାଚ୍‌ରେ ସେ ୧୭୭ ରନ୍‌ କରିଥିଲେ। ଏହାର ପରବର୍ତ୍ତୀ ମ୍ୟାଚ୍‌ ଅର୍ଥାତ ଦ୍ୱିତୀୟ ଟେଷ୍ଟରେ ସେହି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୧୧ ରନ୍‌ କରି ଦ୍ୱିତୀୟ ସେଞ୍ଚୁରୀ ମାରିଥିଲେ। ଏହି ମ୍ୟାଚ୍‌ଟି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିଲା।

Related story