ଲାହୋର: କରୋନା ଭାଇରସକୁ ଦୃଷ୍ଟିରେ ରଖି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ର ଚଳିତ ସଂସ୍କରଣକୁ ସ୍ଥଗିତ କରିଦେଇଛି। ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇଥିବା ପିଏସଏଲର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ମଙ୍ଗଳବାରଠାରୁ ନକଆଉଟ୍ ପର୍ଯ୍ୟାୟ ଅର୍ଥାତ୍ ସେମିଫାଇନାଲ୍ ଆରମ୍ଭ ହୋଇଥାନ୍ତା। କିନ୍ତୁ କରୋନା ଭାଇରସର ପ୍ରଭାବ ଏବଂ ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତି କାରଣରୁ ପାକିସ୍ତାନ ଏହି ଲିଗକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି।
ଏ ନେଇ ପିସିବି ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ସୂଚନା ଦେଇଛି ଯେ ଏଚବିଏଲ୍ ପିଏସଏଲ୍ ସ୍ଥଗିତ, ପରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ପିଏସଏଲର ପ୍ରଥମ ସେମିଫାଇନାଲ୍ ଲାହୋରରେ ମଙ୍ଗଳବାର ମୁଲତାନ ସୁଲତାନ୍ସ ଓ ପେଶାୱର ଜାଲମୀ ମଧ୍ୟରେ ହେବାର ଥିଲା। ସେହିପରି ଆଜି ଦ୍ୱିତୀୟ ସେମିଫାଇନାଲ୍ କରାଚୀ କିଙ୍ଗସ ଓ ଲାହୋର କଲନ୍ଦର୍ସ ମଧ୍ୟରେ ଖେଳାଯିବାର ଥିଲା। ସେହିପରି ଫାଇନାଲ୍ ମୁକାବିଲା ମାର୍ଚ୍ଚ ୧୮ ତାରିଖରେ ଆୟୋଜିତ ହୋଇଥାନ୍ତା।
କରୋନା ଭାଇରସ୍ ମାମଲା ସାମ୍ନାକୁ ଆସିବା ପରେ ପିଏସଏଲର କିଛି ମ୍ୟାଚ୍ ବନ୍ଦ ଦ୍ୱାର ଅର୍ଥାତ୍ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯାଇଥିଲା। ଏପରିକି ଏହି ଭାଇରସ ଭୟରେ ପିଏସଏଲରେ ଭାଗ ନେଇଥିବା କିଛି ବିଦେଶୀ କ୍ରିକେଟର ସ୍ୱଦେଶ ଫେରିଯାଇଛନ୍ତି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ପିସିବି ସେମିଫାଇନାଲ୍ ଓ ଫାଇନାଲକୁ ବର୍ତ୍ତମାନ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।