PV Sindhu
ବିଶ୍ୱ ଚାମ୍ପିୟନଶିପରେ ନିଜର ୬ଷ୍ଠ ପଦକ ଜିତିବା ଲକ୍ଷ୍ୟରେ ଥିବା ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁଙ୍କୁ ବଡ଼ ଝଟକା ଲାଗିଛି। ଆଜି ସେ କ୍ୱାର୍ଟର ଫାଇନାଲରେ ବିଶ୍ୱର ୯ ନମ୍ବର ଖେଳାଳି ଇଣ୍ଡୋନେସିଆର ପୁଟ୍ରି କୁସୁମା ୱାର୍ଡାନିଙ୍କ ଠାରୁ ହାରି ଯାଇଛନ୍ତି।
କୁସୁମାଙ୍କୁ ସିନ୍ଧୁ କଡ଼ା ଟକ୍କର ଦେଇଥିଲେ ହେଁ ୧-୨ ସେଟରେ ପରାସ୍ତ ହୋଇଛନ୍ତି। ଦୁଇ ଶଟଲରଙ୍କ ମଧ୍ୟରେ ଦୀର୍ଘ ୧ ଘଣ୍ଟା ୨ ମିନିଟ ଧରି ଲଢ଼େଇ ଦେଖିବାକୁ ମିଳିଥିଲା। ଶେଷରେ କୁସୁମା ୨୧-୧୪, ୧୩-୨୧ ଓ ୨୧-୧୬ରେ ସିନ୍ଧୁଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ନିଜ ପାଇଁ ପଦକ ମଧ୍ୟ ପକ୍କା କରିଛନ୍ତି।
ପ୍ୟାରିସରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ୩୦ ବର୍ଷୀୟ ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ବିଶ୍ୱର ଦୁଇ ନମ୍ବର ଶଟଲର ୱାଙ୍ଗ ଝି ୟିଙ୍କୁ ଜଳକା କରିଥିଲେ। ସିନ୍ଧୁ ତାଙ୍କୁ ସିଧାସଳଖ ୨-୦ ସେଟରେ ମାତ ଦେଇ ବିଶ୍ୱ ଚାମ୍ପିୟନଶିପରୁ ବିଦା କରିଥିଲେ। ଏଥିସହ ୨୦୨୧ ପରେ ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।
ଆଜି କ୍ୱାର୍ଟର ଫାଇନାଲର ପ୍ରଥମ ସେଟକୁ ବିଶ୍ୱର ୧୫ନମ୍ବର ସ୍ଥାନରେ ଥିବା ସିନ୍ଧୁ ୧୪-୨୧ରେ ହାରି ଯାଇଥିଲେ। କିନ୍ତୁ ଦ୍ୱିତୀୟ ସେଟରେ ଜବରଦସ୍ତ କମବ୍ୟାକ କରିଥିଲେ। ଏଥିସହ ସେ ସେଟକୁ ୨୧-୧୩ରେ ଜିତି ନେଇଥିଲେ। ସ୍ଥିତି ୧-୧ ରହିବାରୁ ମ୍ୟାଚ୍ ଫାଇନାଲ ସେଟକୁ ଯାଇଥିଲା।
ଏହି ସେଟରେ ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। କେହି ବି ପରସ୍ପରକୁ ବାଟ ଛାଡ଼ି ନଥିଲେ। ୧୫ ପଏଣ୍ଟ ଯାଏ ସଂଘର୍ଷ ଚାଲିଥିଲା। ଏହାପରେ କୁସୁମା ଆଗେଇ ଯାଇଥିଲେ। ସିନ୍ଧୁ ତାଙ୍କୁ ଅଟକାଇଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ଶେଷରେ ସେ ତୃତୀୟ ସେଟକୁ ୨୧-୧୬ରେ ଜିତି ନେଇଥିଲେ। କୁସୁମା ଜିତିବାରୁ ବିଶ୍ୱ ଚାମ୍ପିୟନଶିପରେ ସିନ୍ଧୁଙ୍କ ୬ଷ୍ଠ ମେଡାଲ ହାତେଇବା ସ୍ୱପ୍ନ ଚୂରମାର ହୋଇଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/PV_Sindhu_1756472663.jpg)