/odisha-reporter/media/post_attachments/uploadimage/library/16_9/16_9_0/Sindhu_1756385057.jpg)
Sindhu
ଦେଶର ସୁନା ଝିଅ ପିଭି ସିନ୍ଧୁ କମାଲ କରିଛନ୍ତି। ଏବେ ବି ତାଙ୍କ ଭିତରେ ଅନେକ ଖେଳ ବାକି ରହିଛି ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି। ବେଶ କିଛି ସିଜିନରେ ଆଶା ଅନୁସାରେ ପ୍ରଦର୍ଶନ କରି ପାରୁ ନଥିବା ୩୦ ବର୍ଷୀୟ ସିନ୍ଧୁ ପ୍ୟାରିସରେ କମାଲ କରିଛନ୍ତି। ବିଶ୍ୱ ଚାମ୍ପିୟନ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ସିନ୍ଧୁ ବିଶ୍ୱର ଦୁଇ ନମ୍ବରର ଶଟଲର ୱାଙ୍ଗ ଝି ୟିଙ୍କୁ ଜଳକା କରି ଦେଇଛନ୍ତି।
ଚାଇନିଜ ଶଟଲର ୱାଙ୍ଗ ସିଜିନର ସବୁଠାରୁ ସ୍ଥିର ଖେଳାଳି ହୋଇଥିଲେ ହେଁ ସିନ୍ଧୁ ତାଙ୍କୁ ସିଧାସଳଖ ୨-୦ ସେଟରେ ମାତ ଦେଇ ବିଶ୍ୱ ଚାମ୍ପିୟନଶିପରୁ ବିଦା କରିଦେଇଛନ୍ତି। ମ୍ୟାଚ୍କୁ ସିନ୍ଧୁ ୨୧-୧୭ ଓ ୨୧-୧୫ରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୧ ପରେ ପ୍ରଥମଥର ପାଇଁ ସିନ୍ଧୁ ବିଶ୍ୱ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲ ଶୁକ୍ରବାର ଖେଳିବେ।
ବିଶ୍ୱର ୧୫ନମ୍ବର ସ୍ଥାନରେ ଥିବା ସିନ୍ଧୁଙ୍କ ମୁକାବିଲା ଇଣ୍ଡୋନେସିଆର ପୁଟ୍ରି କୁସୁମା ୱାର୍ଡାନିଙ୍କ ସହ ହେବ। ସିନ୍ଧୁ ନିଜ ବ୍ୟାଡମିଣ୍ଟନ କ୍ୟାରିୟରର ୬ଷ୍ଠ ମେଡାଲ ଜିତିବା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। ସେମିରେ ପ୍ରବେଶ କରିବା କ୍ଷଣି ସେ ଅତିକମରେ ବ୍ରୋଞ୍ଜ ମେଡାଲ ପକ୍କା କରି ନେବେ।
ରିଓରେ ରୌପ୍ୟ ପଦକ ଜିତିବା ଓ ୨୦୧୯ରେ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ସିନ୍ଧୁଙ୍କ ପ୍ରଦର୍ଶନ ବେଶ କିଛି ବର୍ଷ ହେବ ନିମ୍ନଗାମୀ ହୋଇ ଚାଲିଥିଲା। ଆଜିର ମ୍ୟାଚ୍ରେ ମଧ୍ୟ ୱାଙ୍ଗ ଜିତିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ବଡ଼ ଖେଳାଳି ଠିକ ସମୟରେ ଋଣହୁଙ୍କାର ଦେଇ କମବ୍ୟାକ କରନ୍ତି। ଏହାକୁ ସିନ୍ଧୁ ପ୍ୟାରିସ କୋର୍ଟରେ ପ୍ରମାଣିତ କରି ଦେଖାଇଛନ୍ତି। ଏହି ବିଜୟ ହିଁ ତାଙ୍କ ଦକ୍ଷତାର କାହାଣୀକୁ ପ୍ରଦର୍ଶିତ କରିଛି।
ଚଳିତ ସିଜିନରେ ୱାଙ୍ଗ ସ୍ଥିର ପ୍ରଦର୍ଶନ କରି ଆସିଥିଲେ। ସେ ଚାଇନା ଓପନ ଜିତିବା ସହ ୬ଟି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ପୂର୍ବରୁ ଭଲ ପ୍ରଦର୍ଶନ କରି ନଥିବାରୁ ୱାଙ୍ଗ ବାଜି ମାରିନେବ ବୋଲି କୁହାଯାଉଥିଲା। ହେଲେ ୪୮ ମିନିଟ ଭିତରେ ୫ଥରର ବିଶ୍ୱ ଚାମ୍ପିୟନଶିପ ପଦକ ବିଜେତା ସିନ୍ଧୁ ସମସ୍ତଙ୍କୁ ଜଳକା କରି ୱାଙ୍ଗକୁ ହରାଇ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
