Advertisment

ରୋହିତ ଓ ଗିଲ୍‌ଙ୍କ ଦମଦାର ଶତକ, ନ୍ୟୁଜିଲ୍ୟାଣ୍ଡକୁ ୩୮୬ ରନର ଟାର୍ଗେଟ

ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିଛି। ଫଳରେ ଦିନିକିଆ ସିରିଜ୍‌ ହାରି ସାରିଥିବା ନ୍ୟୁଜିଲ୍ୟାଣ୍ଡକୁ ଶେଷ ମ୍ୟାଚରେ ଆତ୍ମସମ୍ମାନ ରକ୍ଷା କରିବାକୁ ୩୮୬ ରନର ଟାର୍ଗେଟ ମିଳିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Gill

Gill

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଦିନିକିଆରେ କମାଲ କରିଛନ୍ତି ଭାରତୀୟ ବ୍ୟାଟର। ବିଶେଷ କରି ରୋହିତ ଶର୍ମା ଓ ଶୁବମନ ଗିଲ୍‌ ଦମଦାର ବ୍ୟାଟିଂ କରିଛନ୍ତି। ଉଭୟ ଶତକ ହାସଲ କରିବା ସହ ପ୍ରଥମ ୱିକେଟ ପାଇଁ ୨୧୨ ରନ ଯୋଡ଼ିଥିଲେ। ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫୪ ଓ ମଧ୍ୟକ୍ରମରେ ବିରାଟ କୋହଲିଙ୍କ ୨୭ ବଲରେ ୩୬ ରନ ଯୋଗୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିଛି।

Advertisment

ଫଳରେ ଦିନିକିଆ ସିରିଜ୍‌ ହାରି ସାରିଥିବା ନ୍ୟୁଜିଲ୍ୟାଣ୍ଡକୁ ଶେଷ ମ୍ୟାଚରେ ସମ୍ମାନ ରକ୍ଷା କରିବାକୁ ୩୮୬ ରନର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ଶୁବମନ ଗିଲ୍‌ ୧୧୨ ରନର ଇନିଂସ ଖେଳିଥିବା ବେଳେ ରୋହିତ ୧୦୧ ରନ କରିଛନ୍ତି।

ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯାଉଥିବା ଶେଷ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏହାକୁ ଭୁଲ ପ୍ରମାଣିତ କରି ଦଳର ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ୍‌ ଚମତ୍କାର ବ୍ୟାଟଂ କରିଥିଲେ। ଉଭୟ କିଛି ଓଭର ସତର୍କତାର ସହ ଖେଳିବା ପରେ ଗିୟର ବଦଳାଇଥିଲେ।

Advertisment

ବିଶେଷ କରି ଅର୍ଦ୍ଧଶତକ ଯାଏ ରୋହିତ ଶର୍ମାଙ୍କ ବ୍ୟାଟରୁ ବଡ଼ ଶଟ୍‌ ଦେଖିବାକୁ ମିଳିଥିଲା। ଏହା ଦେଖି ଗିଲ୍‌ ମଧ୍ୟ ଆଟାକ ଆରମ୍ଭ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ରୋହିତ ଓ ଗିଲ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ।  ଏହା ଦେଖି କ୍ୱିୱି ଟିମ୍‌ର ଅଧିନାୟକ ଟମ ଲାଥମ ବାରମ୍ବାର ବୋଲିଂରେ ପରିବର୍ତ୍ତନ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା।

ପ୍ରଥମେ ରୋହିତ ନିଜ ଦିନିକିଆ କ୍ୟାରିୟରରେ ୩୦ତମ ଶତକ ହାସଲ କରିଥିଲେ। ତେବେ ସେ ବଡ଼ ଶଟ୍‌ ଖେଳିବା ଲୋଭରେ ଆଉ ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କୁ ମାଇକେଲ ବ୍ରେସୱାଲ କ୍ଲିନବୋଲ୍ଡ କରି ଦେଇଥିଲେ। ରୋହିତ ଆଉଟ ହେବା ପୂର୍ବରୁ ୮୫ ବଲରେ ୧୦୧ ରନ କରିଥିଲେ। ଏଥିରେ ୯ଟି ଚୌକା ଓ ୯ଟି ଛକା ରହିଥିଲା।

ସେହିପରି ଗିଲଙ୍କ ସହ ମିଶି ସେ ପ୍ରଥମ ୱିକେଟ ପାଇଁ ୨୧୨ ରନ ଯୋଡ଼ିଥିଲେ। ରୋହିତ ଆଉଟ ହେବାର କିଛି ସମୟ ପରେ ଗିଲ୍‌ ମଧ୍ୟ ୧୧୨ ରନ କରି ଟିକନେରଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେ ୭୮ ବଲରେ ୧୧୨ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୩ଟି ଚୌକା ଓ ୫ଟି ଛକା ବି ମାରିଛନ୍ତି।

ଉଭୟ ଓପନର ଆଉଟ ହେବା ପରେ ବିରାଟ କୋହଲି ଓ ଈଶାନ କିଶନ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ଈଶାନ ୨୪ ବଲରେ ୧୭ ରନ କରିଥିବା ବେଳେ ରନ ଆଉଟ ହୋଇଯାଇଥିଲେ। ବିରାଟ ୨୭ ବଲରେ ୩୬ ରନ କରିବାକୁ ସକ୍ଷମ ହୋଇଥିଲେ। ସୂର୍ଯ୍ୟ କୁମାର ଯାଦବ ୯ ବଲରେ ୧୪ ଓ ୱାଶିଂଟନ ସୁନ୍ଦର ୧୪ ବଲରେ ୯ ରନ କରି କ୍ରମାଗତ ଭାବେ ଆଉଟ ହେବାରୁ ରନ ସଂଗ୍ରହ ହାର ସାମାନ୍ୟ କମି ଯାଇଥିଲା।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୁଲ ଠାକୁର ୭ମ ୱିକେଟ ପାଇଁ ଗୋଟିଏ ଛୋଟିଆ ଭାଗିଦାରୀ କରିଥିଲେ। ଉଭୟ ମିଳିତ ଭାବେ ଦଳୀୟ ସ୍କୋରକୁ ୩୧୩ରୁ ଆଣି ୩୬୭ ରନରେ ପହଞ୍ଚାଇଥିଲେ। ଏତିକି ବେଳେ ୧୭ ବଲରେ ୨୫ ରନ କରିଥିବା ଶାର୍ଦ୍ଦୁଲ ଆଉଟ ହୋଇଯାଇଥିଲେ। ହାର୍ଦ୍ଦିକ ଆଉ ୧୨ ରନ ପରେ ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ଆଉଟ ହେବା ପୂର୍ବରୁ ସେ ୩୮ ବଲରେ ୫୪ ରନର ଇନିଂସ ଖେଳିଥିଲେ। ଇନିଂସର ଶେଷ ବଲରେ କୁଲଦୀପ ଯାଦବ(୩) ରନ ଆଉଟ ହେବାରୁ ଟିମ ଇଣ୍ଡିଆ ୯ ୱିକେଟ ହରାଇ ୩୮୫ ରନରେ ଅଟକି ଯାଇଥିଲା।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଜ୍ୟାକବ ଡୁଫୀ ଓ ବ୍ଲେୟାର ଟିକନେର ୩ ୱିକେଟ ଲେଖା ୱିକେଟ ନେଇଥିବା ବେଳେ ବ୍ରେସୱେଲଙ୍କ ଖାତାକୁ ଗୋଟିଏ ସଫଳତା ଯାଇଛି। ବାକି ୨ଟି ୱିକେଟ ରନ ଆଉଟରୁ ମିଳିଛି।

Bcci Indian Cricket Team Rohit Sharma