ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଚାଲିଛି ଏକ ଐତିହାସିକ ଟେଷ୍ଟ ମ୍ୟାଚ୍। ପୋର୍ଟ ଅଫ ସ୍ପେନରେ ଆୟୋଜିତ ଦୁଇଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଛି। ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୮୪ ଓଭରରେ ୪ ୱିକେଟ୍ ହରାଇ ୨୮୮ ରନ୍ କରି ପାରିଛି। ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜା ବ୍ୟାଟିଂ ଜାରି ରଖିଛନ୍ତି।
ତେବେ ୱାଇ. ଜୟସୱାଲ, ରୋହିସ୍ ଶର୍ମା, ସୁଭମନ୍ ଗିଲ ଏବଂ ଅଜିଙ୍କ୍ୟ ରାହାଣେ ନିଜର ୱିକେଟ୍ ହରାଇଥିବା ବେଳେ କୋହଲି ୮୭ ଏବଂ ଜାଡେଜା ୩୬ ରନରେ ବାରି ସମ୍ଭାଳିଛନ୍ତି। ବାମହାତୀ ସ୍ପିନର୍ ଜୋମେଲ୍ ୱାରିକାନ୍ ରୋହିତଙ୍କୁ ବୋଲ୍ଡ କରି ଶତକରୁ ବଞ୍ଚିତ କରିଥିଲେ।
ଦୁଇ ଦେଶ ମଧ୍ୟରେ ଶତକୀୟ ଟେଷ୍ଟ୍ ଖେଳାଯାଉଥିବା ବେଳେ ଭାରତୀୟ ଯୋଡ଼ି ଶତକୀୟ ଭାଗୀଦାରିରୁ ଅଭିଯାନ ଆରମ୍ଭ କରି ଏହାକୁ ଅଧିକ ସ୍ମରଣୀୟ ରଖିଛନ୍ତି। ଟସ୍ ହାରି ବ୍ୟାଟିଂ ପାଇଥିବା ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ୍ ଓପନିଂ ଭାଗିଦାରୀରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ପୂର୍ବ ମ୍ୟାଚରେ ଘରୋଇ ଦଳର ପରାଜୟ ହୋଇଥିବା ବେଳେ ଅନ୍ତିମ ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ସୂଚନାଯୋଗ୍ୟ, ଡୋମିନିକାରେ ଗତ ସପ୍ତାହରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଉଭୟ ରୋହିତ ଏବଂ ଜୟସ୍ବାଲ ଶତକ ଅର୍ଜନ କରିବା ସହ ଓପନିଂ ଭାଗୀଦାରିରେ ୨୨୯ ରନ୍ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।