Advertisment

INDvsSA: ଦକ୍ଷିଣ ଆଫ୍ରିକାକୁ ଦାବି ଦେଲେ ପ୍ରସିଦ୍ଧ ଓ କୁଲଦୀପ

ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ପ୍ରସିଦ୍ଧ କୃଷ୍ଣ ୪ଟି ଲେଖାଏ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

author-image
Jitendra Garnayak
PRASIDH and KULDEEP

ପ୍ରସିଦ୍ଧ କୃଷ୍ଣ ଓ କୁଲଦୀପ ଯାଦବ

ବିଶାଖାପଟନମରେ ଶନିବାର ଖେଳା ଯାଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୦ ରନ୍ କରିଛି। ଦଳ ତରଫରୁ ଓପନର କ୍ୱିଣ୍ଟନ ଡି’କକ୍‌ ଶତକ ହାସଲ କରିଛନ୍ତି। 

Advertisment

ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳକୁ ପ୍ରଥମ ଓଭରରେ ହିଁ ମିଳିଥିଲା ପ୍ରଥମ ସଫଳତା। ପ୍ରଥମ ଓଭରରେ ପଞ୍ଚମ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ ରିୟାନ ରିକେଲଟନ। ଅର୍ଶଦୀପଙ୍କ ବଲ୍‌ରେ କେଏଲ ରାହୁଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ସେ। ଖାତା ଖୋଲି ନପାରି ପ୍ୟାଭିଲିୟନକୁ ଫେରିଯାଇଥିଲେ ସେ। 

କିନ୍ତୁ ତା’ପରେ ଡି’କକ୍‌ ଓ ଅଧିନାୟକ ତେମ୍ବା ବଭୂମାଙ୍କ ଯୋଡ଼ି କ୍ରିଜ୍‌ରେ ଜମି ଯାଇଥିଲେ। ଏହି ଯୋଡ଼ି ଭାଙ୍ଗିଥିଲା ୨୦.୬ ଓଭରରେ। ଆଉଟ୍ ହୋଇଥିଲେ ଅଧିନାୟକ ତେମ୍ବା ବଭୂମା। ସେ ୬୭ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ୪୮ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ବିରାଟ କୋହଲିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। 

Advertisment

ଅଧିନାୟକ ଆଉଟ୍ ହେବା ସତ୍ତ୍ୱେ ଡି’କକ୍ ଧୈର୍ଯ୍ୟର ସହିତ ତାଙ୍କର ଖେଳ ଜାରି ରଖିଥିଲେ। ତାଙ୍କୁ ବେଶ୍ ସହଯୋଗ କରିଥିଲେ ମାଥ୍ୟୁ ବ୍ରେଟଜକେ। ଏହି ଯୋଡ଼ି ଦଳୀୟ ସ୍କୋରକୁ ୧୬୮ ରନ୍‌ରେ ପହଞ୍ଚାଇଥିବା ବେଳେ ୨୮.୨ ଓଭରରେ ଆଉଟ ହୋଇଥିଲେ ବ୍ରେଟଜକେ। ସେ ୨୩ଟି ବଲ୍‌ରୁ ୨୪ ରନ୍‌ କରିଥିଲେ। ପ୍ରସିଦ୍ଧ କୃଷ୍ଣଙ୍କ ଦ୍ୱାରା ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହି ୱିକେଟ ସହିତ ଖେଳ ବଦଳି ଯାଇଥିଲା। ଦକ୍ଷିଣ ଆଫ୍ରିକା ଚାପରେ ରହିଥିଲା ଓ ଭାରତ ହାତକୁ ମ୍ୟାଚ୍ ଚାଲିଯାଇଥିଲା। 

୨୮.୨ ଓଭରରେ ବ୍ରେଟଜକେଙ୍କୁ ଏଲ୍‌ବିଡବ୍ଲ୍ୟୁ କରିବା ପରେ ସେହି ଓଭରର ଶେଷ ବଲ୍‌ରେ ଏଡେନ ମାର୍କରମଙ୍କୁ ଆଉଟ୍ କରିଥିଲେ ପ୍ରସିଦ୍ଧ କୃଷ୍ଣ। ତାଙ୍କ ବଲରେ ବିରାଟ କୋହଲିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ମାର୍କରମ। ସେ ମାତ୍ର ୧ ରନ୍ କରିଥିଲେ। 

୧୦୬ (୮୯ ବଲ୍‌, ୮ ଚୌକା ଓ ୬ ଛକା) ରନ୍ କରିଥିବା ବେଳେ ୩୨.୫ ଓଭରରେ ପ୍ରସିଦ୍ଧ କୃଷ୍ଣଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ ଡି’କକ୍‌। ସେ ଆଉଟ୍ ହେବା ପରେ ୫ ଓଭର ଧରି ସ୍ଥିତିକୁ ସମ୍ଭାଳିଥିଲେ ଡେୱାଲ୍ଡ ବ୍ରେବିସ ଓ ମାର୍କୋ ଜାନସେନ। କିନ୍ତୁ କୁଲଦୀପ ଯାଦବଙ୍କ ଗୋଟିଏ ଓଭରରେ ଉଭୟେ ଆଉଟ୍ ହୋଇଥିଲେ। ୩୮.୧ ଓଭରରେ କୁଲଦୀପ ଯାଦବଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ ବ୍ରେବିସ। ସେହି ଓଭରର ତୃତୀୟ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ ମାର୍କୋ ଜାନସେନ। ପରେ ପରେ କୋର୍ବିନ ବଚ (୯) ଓ ଲୁଙ୍ଗି ଏନଗିଡିଙ୍କ ୱିକେଟ ନେଇଥିଲେ କୁଲଦୀପ। ୪୭.୫ ଓଭରରେ ଓଟନୀଲ ବାର୍ଟମ୍ୟାନଙ୍କ ୱିକେଟ୍ ନେଇ ନିଜର ଚତୁର୍ଥ ୱିକେଟ୍ ହାସଲ କରିଥିଲେ ଗତ ମ୍ୟାଚ୍ ପାଇଁ ସମାଲୋଚନାର ଶିକାର ହୋଇଥିବା ପ୍ରସିଦ୍ଧ କୃଷ୍ଣ। 

ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ପ୍ରସିଦ୍ଧ କୃଷ୍ଣ ୪ଟି ଲେଖାଏ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।