Advertisment

ସହିଦ ଜବାର ଓ ପ୍ରତ୍ୟାଶା ପାଇବେ ଓସ୍‌ଜା ବାର୍ଷିକ ପୁରସ୍କାର

ଗତବର୍ଷ ଅନେକ ସଫଳତା ଅର୍ଜନ କରିଥିବା ପ୍ରତ୍ୟାଶା ରାୟଙ୍କୁ ୨୦୨୪ ବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ଏବଂ ଭାରତୀୟ ମହିଳା ଫୁଟବଲ ଦଳର ସଫଳତାରେ ବିଶେଷ ଯୋଗଦାନ ଦେଇଥିବା ସହିଦ ଜବାରଙ୍କୁ ଜୀବନବ୍ୟାପୀ ସେବା ସକାଶେ ପୁରସ୍କାର ପ୍ରଦାନ କରାଯିବ।

Sahid Jabar and Pratyasha Roy

Sahid Jabar and Pratyasha Roy

Advertisment

ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟବଲ କୋଚ ମହମ୍ମଦ ସହିଦ ଜବାର ଓ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟ ଚଳିତ ବର୍ଷର ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ (ଓସ୍‍ଜା)ର ବାର୍ଷିକ ପୁରସ୍କାର ପାଇବେ। ଗତବର୍ଷ ଅନେକ ସଫଳତା ଅର୍ଜନ କରିଥିବା ପ୍ରତ୍ୟାଶା ରାୟଙ୍କୁ ୨୦୨୪ ବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ଏବଂ ଭାରତୀୟ ମହିଳା ଫୁଟବଲ ଦଳର ସଫଳତାରେ ବିଶେଷ ଯୋଗଦାନ ଦେଇଥିବା ସହିଦ ଜବାରଙ୍କୁ ଜୀବନବ୍ୟାପୀ ସେବା ସକାଶେ ପୁରସ୍କାର ପ୍ରଦାନ କରାଯିବ। ଜାନୁଆରୀ ୧୯ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ବାର୍ଷିକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଓସ୍‌ଜାର ସଭାପତି ସନ୍ଦିପ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Advertisment

ପିତା ତଥା ବିଶିଷ୍ଟ ଫୁଟବଲର ଅବ୍‌ଦୁଲ ଜବାରଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ମହମ୍ମଦ ସହିଦ ଜବାର ଓଡ଼ିଶା ଫୁଟବଲ ଦଳ ପକ୍ଷରୁ ଅନେକ ବର୍ଷ ପ୍ରତିନିଧିତ୍ୱ କରିଥିଲେ। ସେ ଜାତୀୟ ଜୁନିୟର ଏବଂ ଜାତୀୟ ସିନିୟର ସନ୍ତୋଷ ଟ୍ରଫିରେ ଓଡ଼ିଶା ପକ୍ଷରୁ ଅନେକ ବର୍ଷ ଖେଳିବା ସହ ଦୀର୍ଘ ୧୫ବର୍ଷ ଓଡ଼ିଶା ପୁଲିସ୍ ଦଳର ସଦସ୍ୟ ଭାବରେ ସର୍ବଭାରତୀୟ ପୁଲିସ ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଫୁଟବଲରୁ ଖେଳାଳି ଭାବେ ଅବସର ନେବା ପରେ କୋଚିଂ ପ୍ରତି ଧ୍ୟାନ ଦେଇଥିବା ସହିଦ ଜବାର ଭାରତୀୟ ମହିଳା ଫୁଟବଲ ଦଳର ବହୁବର୍ଷ ରହିଥିଲେ ମୁଖ୍ୟ କୋଚ। ତାଙ୍କ ଅଧୀନରେ ସାଫ୍‍ ଚମ୍ପିଆନ୍‌ସିପ୍ ଏବଂ ଅନେକ ବଡ଼ ବଡ଼ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ସହ ଟାଇଟଲ ଜିତିଥିଲା ଭାରତୀୟ ମହିଳା ଦଳ। ଏଥିସହ ସେ ଓଡ଼ିଶାର ବିଭିନ୍ନ ବୟସ ବର୍ଗର ଉଭୟ ପୁରୁଷ ଓ ମହିଳା ଦଳର କୋଚ ଭାବେ ମଧ୍ୟ ଦାୟିତ୍ୱ ସଂପାଦନ କରିଛନ୍ତି। ଏସିଆନ୍ ଫୁଟବଲ ସଂଘର କୋଚିଂ ତାଲିମ ମଧ୍ୟ ପୂର୍ଣ୍ଣ କରିଥିବା ସହିଦ ଜବାର ଏବେ ବି କୋଚ ଏବଂ ଫୁଟବଲ ପ୍ରଶାସକ ଭାବେ ଅଛନ୍ତି ସକ୍ରିୟ।

ଓଡ଼ିଶା ସନ୍ତରଣର ମାର୍ଗଦର୍ଶକ ଭାବେ ପରିଚିତ ପ୍ରତ୍ୟାଶା ରାୟ ୨୦୨୪ରେ ଏକାଧିକ ବିଶେଷ ସଫଳତା ହାସଲ କରିଥିଲେ। ସେ ଗତବର୍ଷ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ। ଏଥିସହ ୨୦୨୪ରେ ସେ ଆନ୍ତର୍ଜାତିକସ୍ତରରେ ମଧ୍ୟ ଜିତିଥିଲେ ମେଡାଲ। ୨୦୨୪ରେ ଦକ୍ଷିଣର ଆଫ୍ରିକାର ପ୍ରିଟୋରିଆରେ ଅନୁଷ୍ଠିତ ପ୍ରିମିୟର ପ୍ରାଦେଶିକ ସନ୍ତରଣ ପ୍ରତିଯୋଗିତାରେ ସେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ପାଇଥିଲେ। ଏଥିସହ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳର ପ୍ରତିନିଧିତ୍ୱ କରି ଖେଲୋ ଇଣ୍ଡିଆ ଗେମ୍ସରେ ସେ ୪ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୨୪ମସିହାର ଏକଲବ୍ୟ ପୁରସ୍କାର ମଧ୍ୟ ମିଳିଥିଲା ପ୍ରତ୍ୟାଶା ରାୟଙ୍କୁ।

Advertisment

ଉଭୟ ସହିଦ ଜବାର ଏବଂ ପ୍ରତ୍ୟାଶା ରାୟଙ୍କୁ ଓସ୍‌ଜା ବାର୍ଷିକ ପୁରସ୍କାର ଆକାରରେ ନଗଦ ୨୫ହଜାର ଟଙ୍କା, ପ୍ରଶସ୍ତିପତ୍ର, ଉତ୍ତରୀୟ ଏବଂ ବିଶେଷ ଟ୍ରଫି ପ୍ରଦାନ କରାଯିବ। ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ଓସ୍‌ଜା ବା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ୨୦୧୮ମସିହାରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି। ପ୍ରଥମ ବର୍ଷର ବିଜେତା ଥିଲେ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ଓ ଫୁଟବଲର ଦେବ ସିଂହ। ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ବକ୍ସିଂ କୋଚ ବ୍ରଜଭୂଷଣ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ୨୦୨୦ରେ ପାରା-ଆଥଲେଟ୍ ପ୍ରମୋଦ ଭଗତ ଓ ବିଶିଷ୍ଟ ଆଥଲେଟିକ୍ସ କୋଚ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ୍ ଗ୍ରାଣ୍ଡ ମାଷ୍ଟର ସ୍ୱୟଂସ୍ ମିଶ୍ର ଓ ଆଥଲେଟିକ୍ସ କୋଚ ଅରୁଣ ଦାସ, ୨୦୨୨ରେ ବିଶିଷ୍ଟ ବାସ୍କେଟବଲ ଖେଳାଳି ଅରୂପାନନ୍ଦ ରାଉତରାୟ ଓ ହକି ଅଲିମ୍ପିଆନ୍ ବିରେନ୍ଦ୍ର ଲାକ୍ରା, ୨୦୨୩ରେ ସାଇକ୍ଲିଷ୍ଟି ସ୍ୱସ୍ତି ସିଂ ଓ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କୀ ତଥା ୨୦୨୪ରେ ଜାଭେଲିନ୍ ଷ୍ଟାର କିଶୋର କୁମାର ଜେନା ଏବଂ ଅର୍ଜୁନ ପୁରସ୍କାର ବିଜେତା ଭାରୋଉତ୍ତଳକ ବିଜୟ ଶତପଥିଙ୍କୁ ପ୍ରଦାନ କରାଯାଇଥିଲା ଓସ୍‌ଜା ବାର୍ଷିକ ପୁରସ୍କାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe