Advertisment

ସଞ୍ଜୟ ସିଂହଙ୍କ ନିଲମ୍ବନକୁ ସମର୍ଥନ ଜଣାଇଥିଲେ ସାକ୍ଷୀ ମଲ୍ଲିକ

ସରକାରଙ୍କ ତରଫରୁ ନିଆଯାଇଥିବା ପ୍ରାଥମିକ ପଦକ୍ଷେପକୁ ସେ ସମର୍ଥନ କରିଛନ୍ତି।

author-image
Madhupriya Mistry
Sakshi malik

Sakshi malik

କେନ୍ଦ୍ର ସରକାରଙ୍କ ତରଫରୁ କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂହଙ୍କ ନିଲମ୍ବନ ପରେ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଏହାକୁ ସମର୍ଥନ ଜଣାଇଛନ୍ତି ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ। ସରକାରଙ୍କ ତରଫରୁ ନିଆଯାଇଥିବା ପ୍ରାଥମିକ ପଦକ୍ଷେପକୁ ସେ ସମର୍ଥନ କରିଛନ୍ତି।

Advertisment

ସେ କହିଛନ୍ତି 'କୁସ୍ତିସଂଘର ଅଧ୍ୟକ୍ଷ ଜଣେ ମହିଳା ହେବା ଆବଶ୍ୟକ। ଏହା ଫଳରେ କୁସ୍ତିସଂଘ ପାଇଁ ଖେଳୁଥିବା ମହିଳା ଓ ଝିଅମାନେ ସୁରକ୍ଷିତ ରହିବେ। ଆମେ ପୂର୍ବରୁ ମଧ୍ୟ କହିଥିଲୁ ଯେ, ଏହା ଭଉଣୀ ଓ ଝିଅମାନଙ୍କ ଲଢ଼େଇ। ଏଥିପାଇଁ ଆମ ଲଢ଼େଇ ଜାରି ରହିବ। ସେହି ଦିଗରେ ଏହାହେଉଛି ପ୍ରଥମ ପଦକ୍ଷେପ। ସରକାର ଆମ ଦାବି ପୂରଣ କରିବେ ବୋଲି ମୋର ଆଶା।'

ଭାରତୀୟ କୁସ୍ତି ସଂଘକୁ ନେଇ ବିବାଦ ଓ କୁସ୍ତିଯୋଦ୍ଧାଙ୍କ ପ୍ରତିବାଦ ପରେ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ତରଫରୁ ଭାରତୀୟ କୁସ୍ତିସଂଘର ମାନ୍ୟତା ରଦ୍ଦ କରିବା ସହ ନବ ନିଯୁକ୍ତ କୁସ୍ତି ସଂଘର ଅଧ୍ୟକ୍ଷ ସଂଜୟ ସିଂହଙ୍କୁ ନିଲମ୍ବନ କରିଛନ୍ତି। କ୍ରୀଡା ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। ନବ ନିର୍ବାଚିତ ଭାରତୀୟ କୁସ୍ତିସଂଘ ତରଫରୁ ପର୍ଯ୍ୟାପ୍ତ ସମୟ ନ ଦେଇ ଅଣ୍ଡର-୧୫ ଓ ଅଣ୍ଡର-୨୦ ରାଷ୍ଟ୍ରୀୟ ଚାମ୍ପିୟନସିପ ଆୟୋଜନର ଘୋଷଣା କରାଯାଇଥିବା କାରଣରୁ କ୍ରୀଡା ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି।

Advertisment

କୁସ୍ତିସଂଘ ପାଇଁ ଡିସେମ୍ବର ୨୧ ତାରିଖରେ ହୋଇଥିବା ନିର୍ବାଚନରେ ପୂର୍ବ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ନିକଟତର କୁହାଯାଉଥିବା ସଂଜୟ ସିଂହ ଓ ତାଙ୍କ ପ୍ୟାନେଲ ବଡ ଅନ୍ତରରେ ବିଜୟଲାଭ କରିଥିଲା। ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀ କରି ଆଉ କେବେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ସେପଟେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ ଦେବାକୁ ଘୋଷଣା କରି ଏହାକୁ ରାସ୍ତାରେ ରଖି ପଳାଇ ଯାଇଥିଲେ।

Wrestling Federation WFI Sakshi Malik