Advertisment

ରନର୍ସ ଅପ୍‌ ସହ ସରିଲା ସାନିଆ ମିର୍ଜାଙ୍କ ଟେନିସ କ୍ୟାରିୟର୍‌

୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିଲେ।

author-image
Hemant Lenka
sania Mirza

sania Mirza

ଭାରତର ସାନିଆ ମିର୍ଜାଙ୍କ ଟେନିସ କ୍ୟାରିୟର ଶେଷ ହୋଇଛି। ନିଜର ଶେଷ ଗ୍ଲାଣ୍ଡସ୍ଲାମ ଖେଳୁଥିବା ସାନିଆଙ୍କୁ ଫାଇନାଲରେ ପରାସ୍ତ ହେବାକୁ ପଡ଼ିଛି। ଏଥିସହ ସେ ଅଷ୍ଟ୍ରେଲିଆ ଓପନରେ ରନର୍ସଅପ୍‌ ସହ ନିଜ ଟେନିସ କ୍ୟାରିୟରକୁ ଅଲବିଦା କହିଛନ୍ତି। ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିଲେ।

Advertisment

ଅନ୍ୟତମ ଭାରତୀୟ ଷ୍ଟାର ରୋହନ ବୋପାନ୍ନାଙ୍କୁ ସାଥୀ କରି ସାନିଆ ଅଷ୍ଟ୍ରେଲିଆ ଓପନରେ ନିଜର ଦମ ଦେଖାଇଥିଲେ। ତେବେ ଫାଇନାଲ ମ୍ୟାଚ୍‌ରେ ଏହି ଭାରତୀୟ ଯୋଡ଼ିଙ୍କୁ ହାରିବାକୁ ପଡ଼ିଛି। ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସ ‍ଫାଇନାଲ ମ୍ୟାଚ୍‌ରେ ସାନିଆ-ବୋପାନ୍ନା ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ଭାରତୀୟ ଯୋଡ଼ି ପ୍ରଥମ ସେଟ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ୬-୭(୨)ରେ ହାରିଥିଲେ। ସେହିପରି ଦ୍ୱିତୀୟ ସେଟକୁ ଷ୍ଟେଫାନି ଓ ରାଫେଲ ଯୋଡ଼ି ୬-୨ରେ ବାଜିମାତ କରିଥିଲେ।

ଏହି ପରାଜୟ ସହ ସାନିଆ ଓ ବୋପାନ୍ନାଙ୍କୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସାନିଆ ଅଷ୍ଟ୍ରେଲିଆ ଓପନ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ସେ ମ୍ୟାଚ୍‌ ସରିବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଟେନିସକୁ ଅଲବିଦା କହିଛନ୍ତି।

Advertisment

ସାନିଆ ତାଙ୍କ ଦୀର୍ଘ ବର୍ଷର ଟେନିସ କ୍ୟାରିୟର ମଧ୍ୟରେ ୬ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ଏଥିରେ ୩ଟି ମହିଳା ଡବଲ୍ସ ଓ ୩ଟି ମିକ୍ସଡ ଡବଲ୍ସ ରହିଛି। ସାନିଆ ନିଜର ବିଦାୟୀ ଭାଷଣରେ କାନ୍ଦି ପକାଇଥିଲେ। ସେ କହିଥିଲେ ଯେ “ରୋହନ ହେଉଛନ୍ତି ମୋର ପ୍ରଥମ ମିକ୍ସଡ ଡବଲ୍ସ ପାର୍ଟନର। ମାତ୍ର ୧୪ ବର୍ଷ ବୟସରେ ଆମେ ଏକାଠି ଖେଳି ଟୁର୍ଣ୍ଣାମେଣ୍ଟ ଜିତିଥିଲୁ।

ପ୍ରାୟ ୨୨ ବର୍ଷ ତଳେ ମୁଁ କେବେ ଭାବି ନଥିଲି ଯେ ମୋତେ ଏମିତି ଜଣେ ସାଥୀ ଖେଳାଳି ମିଳିବେ। ସେ ମୋର ଜଣେ ଭଲ ବନ୍ଧୁ ଓ ସାଥୀ ଖେଳାଳି। ତାଙ୍କ ସହ ମୁଁ ମୋର କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବା ସହ ଫାଇନାଲରେ ପ୍ରବେଶ କରିଥିଲି।”

ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଥିବା ସାନିଆଙ୍କ ପୁଅ ଏଜହାନ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ତାଙ୍କ ଉଦ୍ଦେଶ୍ୟରେ ସାନିଆ କହିଛନ୍ତି, “ମୋ ପିଲା ସାମ୍ନାରେ ମୁଁ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବି ବୋଲି କେବେ ଭାବି ନଥିଲି। ତେଣୁ ମୋ ୪ ବର୍ଷର ପୁଅ ଓ ମୋ ବାପା ମା’ ଏଠାରେ ଉପସ୍ଥିତ ଥିବାରୁ ଏହି ଦିନଟି ଆହୁରି ସ୍ୱତନ୍ତ୍ର ହୋଇଛି।”

ସାନିଆ ପ୍ରଥମ ଭାରତୀୟ ଭାବେ ୨୦୦୫ରେ WTA ସିଙ୍ଗଲ୍ସ ଟାଇଟଲ୍ସ ଜିତିଥିଲେ। ସେହି ବର୍ଷ ଆମେରିକା ଓପନର ୪ର୍ଥ ରାଉଣ୍ଡରେ ସେ ପ୍ରବେଶ କରିଥିଲେ। ୨୦୦୭ ଯାଏ ସେ ନିଜର ପିକ୍‌ରେ ରହିଥିଲେ। କିନ୍ତୁ ରିଷ୍ଟ ଇଞ୍ଜୁରୀ ପରେ ସେ କିଛି ଦିନ ଟେନିସରୁ ଦୂରେଇ ରହିଥିଲେ। ଏହାପରେ ସ୍ୱିସ ଖେଳାଳି ମାର୍ଟିନା ହିଙ୍ଗିସଙ୍କୁ ସାଥୀ କରି କୋର୍ଟକୁ ଓହ୍ଲାଇଥିଲେ। ଏଥିସହ ୩ଟି ଗ୍ରାଣ୍ଡସ୍ଲାମ ମଧ୍ୟ ଜିତିଥିଲେ।