ଚାଇନା ମାଷ୍ଟର୍ସ: ଫାଇନାଲରେ ଭାରତର ସାତ୍ତ୍ୱିକ-ଚିରାଗ ଯୋଡ଼ି

ସେମିଫାଇନାଲ୍‌ରେ ଭାରତୀୟ ଯୋଡ଼ି ଚାଇନାର ହି ଜି ଟିଙ୍ଗ୍‌-ରେନ୍‌ ଜିଆଙ୍ଗ ୟୁଙ୍କୁ ହରାଇ ଫାଇନାଲ ଟିକେଟ ହାତେଇଛନ୍ତି।

ଚିରାଗ ଓ ସାତ୍ତ୍ୱିକ

  • Published: Saturday, 25 November 2023
  • , Updated: 25 November 2023, 08:24 PM IST

ଏସିଆନ ଗେମ୍ସରେ ଭାରତର ପାଇଁ ରେକର୍ଡ ସ୍ୱର୍ଣ୍ଣ ଜିତିଥିବା ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚାଇନା ମାଷ୍ଟର୍ସ ସୁପର ୭୫୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ କମାଲ କରିଛନ୍ତି। ଆଜି ସେମିଫାଇନାଲ୍‌ରେ ଭାରତୀୟ ଯୋଡ଼ି ଚାଇନାର ହି ଜି ଟିଙ୍ଗ୍‌-ରେନ୍‌ ଜିଆଙ୍ଗ ୟୁଙ୍କୁ ହରାଇ ଫାଇନାଲ ଟିକେଟ ହାତେଇଛନ୍ତି। କ୍ୱାର୍ଟରଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆର ଲିଓ ରୋଲି କାର୍ଣ୍ଣାଡୋ ଓ ଡାନିଏଲ୍‌ ମାର୍ଟିନଙ୍କୁ ସିଧାସଳଖ ୨୧-୧୬ ଓ ୨୧-୧୪ରେ ପରାସ୍ତ କରିଥିଲେ।

ଆଜି ଚାଇନିଜ ଯୋଡ଼ି ହି ଜି ଟିଙ୍ଗ୍‌-ରେନ୍‌ ଜିଆଙ୍ଗ ୟୁଙ୍କୁ ମଧ୍ୟ ସାତ୍ତ୍ୱିକ ଓ ଚିରାଗ ସିଧାସଳଖ ୨-୦ରେ ହରାଇଛନ୍ତି। ଆଜି ମ୍ୟାଚ୍‌ର ପ୍ରଥମ ସେଟରେ ଭାରତୀୟ ଯୋଡ଼ି ପୂରା ଏକପାଖିଆ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ସେଟକୁ ଭାରତ ୨୧-୧୫ରେ ଜିତିଥିଲା।

ତେବେ ବିଶ୍ୱ ରାଙ୍କର ୫୦ତମ ସ୍ଥାନରେ ଥିବା ହି ଜି ଟିଙ୍ଗ୍‌-ରେନ୍‌ ଜିଆଙ୍ଗ ୟୁ ଦ୍ୱିତୀୟ ସେଟରେ କମବ୍ୟାକ କରିଥିଲେ। କିନ୍ତୁ ସାତ୍ତ୍ୱିକ ଓ ଚିରାଗ ଏହି ସେଟକୁ ମଧ୍ୟ ୨୨-୨୦ରେ ଜିତି ନେଇଥିଲେ। ସେଟ ସହ ମ୍ୟାଚ୍‌କୁ କବଜା କରି ଫାଇନାଲରେ ପ୍ରବେଶ କରିଥିଲେ। ମ୍ୟାଚ୍‌ଟି ୫୦ ମିନିଟ ଧରି ଚାଲିଥିଲା।

ଚଳିତ ବର୍ଷ ସାତ୍ତ୍ୱିକ ଓ ଚିରାଗ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟରେ ୬ଷ୍ଠ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛନ୍ତି। ରବିବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଚଳିତ ବର୍ଷ ଇଣ୍ଡୋନେସିଆ ସୁପର ୧୦୦୦, କୋରିଆ ସୁପର ୫୦୦ ଓ ସ୍ୱିସ୍‌ ସୁପର ୩୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ସାତ୍ତ୍ୱିକ ଓ ଚିରାଗ ଜିତି ସାରିଛନ୍ତି। ଏବେ ଏମାନଙ୍କ ଆଖି ଚାଇନା ମାଷ୍ଟର୍ସ ସୁପର ୭୫୦ ଉପରେ ରହିଛି।

Related story