Advertisment

ନିତୁଙ୍କ ପରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ସ୍ୱିଟି

ସ୍ୱିଟି ୭ମ ଭାରତୀୟ(ଉଭୟ ପୁରୁଷ ଓ ମହିଳା) ଭାବେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି।

author-image
Hemant Lenka
Saweety Boora

Saweety Boora

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତକୁ ଆଉ ଗୋଟିଏ ସ୍ୱର୍ଣ୍ଣ ମିଳିଛି। ସ୍ୱିଟି ବୋରା ୮୧ କେଜି ବର୍ଗରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ସେ ଫାଇନାଲ ମ୍ୟାଚ୍‌ରେ ଚାଇନାର ୱାଙ୍ଗ ଲିନାକୁ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି। ତାଙ୍କ ପୂର୍ବରୁ ୪୮ କେଜି ବର୍ଗରେ ନିତୁ ଘନଘାସ ଭାରତ ପାଇଁ ସ୍ୱର୍ଣ୍ଣ ପଦ ଜିତିଥିଲେ। ଏବେ ସ୍ୱିଟି ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି। ସ୍ୱିଟି ୭ମ ଭାରତୀୟ(ଉଭୟ ପୁରୁଷ ଓ ମହିଳା) ଭାବେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି।

Advertisment

ଚାଇନାର ୱାଙ୍ଗ ଲିନାଙ୍କ ବିପକ୍ଷ ମ୍ୟାଚ୍‌ର ପ୍ରଥମ ରାଉଣ୍ଡରୁ ହିଁ ସ୍ୱିଟି ଆଟାକିଂ ମୁଡକୁ ଚାଲି ଆସିଥିଲେ। ସେ ପଞ୍ଚ ପରେ ପଞ୍ଚ ମାରି ୱାଙ୍ଗକୁ ଘାଇଲା କରିଥିଲେ। ଏହି ରାଉଣ୍ଡକୁ ସେ ଗୋଟିଏ ପଏଣ୍ଟ ବ୍ୟବଧାନରେ ବାଜିମାତ କରିଥିଲେ। ତେବେ ଦ୍ୱିତୀୟ ରାଉଣ୍ଡରେ ୱାଙ୍ଗ କମବ୍ୟାକ କରି ସ୍ୱିଟିଙ୍କୁ ପଞ୍ଚ ଠିକ ସ୍ଥାନରେ ଲ୍ୟାଣ୍ଡ କରିବାକୁ ଦେଇ ନଥିଲେ। ଏହି ରାଉଣ୍ଡରେ ସ୍ୱିଟି ସାମାନ୍ୟ ବ୍ୟାକଫୁଟରେ ରହିଥିଲେ। ତଥାପି ୩-୨ରେ ସେ ଏହାକୁ ଜିତି ନେଇଥିଲେ।

ତେବେ ୩ୟ ରାଉଣ୍ଡରେ ସେ ପୁଣି ନିଜର ଦକ୍ଷତା ସମସ୍ତଙ୍କୁ ଦେଖାଇଥିଲେ। ତେବେ ରେଜଲ୍ଟ ଘୋଷଣା ହେବା ପୂର୍ବରୁ ଚାଇନା କୋଚ୍‌ ରିଭ୍ୟୁ ନେଇଥିଲେ। କିନ୍ତୁ ରିଭ୍ୟୁ ବିଫଳ ହେବା ସହ ଭାରତର ସ୍ୱିଟି ଗୋଟିଏ ପଏଣ୍ଟ ବ୍ୟବଧାନରେ ବିଶ୍ୱ ବିଜେତାର ଆଖ୍ୟା ପାଇଥିଲେ।

Advertisment

ସେ ବିଜୟ ସେଲିବ୍ରେସନକୁ ତ୍ରିରଙ୍ଗା ଉଡ଼ାଇ କରିଛନ୍ତି। ଦିଲ୍ଲୀର ଆଇଜି ଷ୍ଟାଡିୟମରେ ଉପସ୍ଥିତ ଭାରତୀୟ ସମର୍ଥକ ଏହି ବିଜୟ ପରେ ପୂରା ଖୁସିରେ ନାଚି ଉଠିଥିଲେ। ସ୍ୱିଟି ବାହାଘରର ମାତ୍ର ୧୦ ଦିନ ପରେ ଏହି ଚାମ୍ପିୟନଶିପ ପାଇଁ ଅଭ୍ୟାସ ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କ ସ୍ୱାମୀ ତଥା ଷ୍ଟାର କବାଡି ଖେଳାଳି ଦୀପକ ହୁଡ୍ଡା ସବୁ ପ୍ରକାରର ସହାୟତା କରିଥିଲେ। ବିଜୟ ପରେ ସ୍ୱିଟିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ଦିଲ୍ଲୀରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ଫାଇନାଲରେ ଭାରତର ୪ ଜଣ ବକ୍ସର ଫାଇନାଲରେ ପ୍ରବେଶ କରିଥିଲେ। ଆଜି ନିତୁ ଓ ସ୍ୱିଟି ଫାଇନାଲ ମ୍ୟାଚ୍‌ ଖେଳି ସ୍ୱର୍ଣ୍ଣ ଜିତିଛନ୍ତି। ଆସନ୍ତାକାଲି ଲଭଲୀନା ଓ ନିଖତ ଜରୀନ ନିଜ ନିଜ ୱେଟ କ୍ୟାଟାଗୋରୀରେ ଫାଇନାଲ ଲଢ଼େଇ ଲଢ଼ିବେ। ତେଣୁ ଉଭୟଙ୍କ ଠାରୁ ମଧ୍ୟ ଦେଶ ସ୍ୱର୍ଣ୍ଣ ଆଶା ରଖିଛି।

ସ୍ୱିଟିଙ୍କ ସ୍ୱର୍ଣ୍ଣକୁ ମିଶାଇ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୨ରେ ପହଞ୍ଚିଛି। ଏହି ୧୨ଟି ସ୍ୱର୍ଣ୍ଣ ପଦକରୁ କିମ୍ବଦନ୍ତୀ ବକ୍ସର ମ୍ୟାରିକମ ୬ଟି ଜିତିଛନ୍ତି। ସେ ୨୦୦୨, ୨୦୦୫, ୨୦୦୬, ୨୦୦୮,୨୦୧୦ ଓ ୨୦୧୮ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଥିଲେ। ତାଙ୍କ ବ୍ୟତୀତ ସରିତା ଦେବୀ(୨୦୦୬), ଜେନୀ ଆରଏଲ( ୨୦୦୬), ଲେଖା କେସି(୨୦୦୬), ନିଖତ ଜରୀନ(୨୦୨୨) ଓ ନିତୁ ଘନଘାସ(୨୦୨୩) ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି।

Boxing