Advertisment

ମହିଳା ପ୍ରିମିୟର ଲିଗ୍ ଅକ୍ସନ: ସିମ୍ରନ ଶେଖ୍ ସବୁଠୁ ମହଙ୍ଗା

୫ଟି ଦଳ ମୋଟ ୧୯ଜଣ ଖେଳାଳିଙ୍କୁ କିଣିଛନ୍ତି। କୋଟିଏରୁ ଅଧିକ ଟଙ୍କାରେ ବିକ୍ରି ହେଲେ ୪ ଜଣ ଖେଳାଳି।

author-image
Debadatta Aryashrestha
Representational Image

Representational Image

ମହିଳା ପ୍ରିମିୟର ଲିଗ୍ (WPL) ୨୦୨୫ ସଂସ୍କରଣ ପାଇଁ ଶେଷ ହୋଇଛି ନିଲାମ। ରବିବାର (ଡିସେମ୍ବର ୧୫) ବେଙ୍ଗାଲୁରୁରେ ଏହି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ୫ଟି ଦଳ ମୋଟ ୧୯ଜଣ ଖେଳାଳିଙ୍କୁ କିଣିଛନ୍ତି। ଏହି ୧୯ଜଣ ଖେଳାଳିଙ୍କ ପାଇଁ ମୋଟ ୯.୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ୧.୯ କୋଟିରେ ଗୁଜରାଟ ଜାଏଣ୍ଟ୍ସ କିଣିଥିବା ସିମ୍ରନ ଶେଖ ନିଲାମରେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି।

Advertisment

ସିମ୍ରନ ଶେଖ ସବୁଠୁ ମହଙ୍ଗା
ଅକ୍ସନରେ ୫ଟି ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ (MI), ଗୁଜରାଟ ଜାଏଣ୍ଟ୍ସ (GG), ୟୁପି ୱାରିୟର୍ସ (UPW), ଦିଲ୍ଲୀ କ୍ୟାପିଟାଲ୍ସ (DC) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ମଧ୍ୟରେ ନିଜ ନିଜ ଦଳ ସଜାଡ଼ିବା ପାଇଁ ଲାଗିଥିଲା ବିଡ୍-ୱାର୍। ଏଥର ନିଲାମରେ ୪ ଜଣ ଖେଳାଳି କୋଟିଏରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି। ତେବେ ୨୨ ବର୍ଷୀୟ ମିଡିଲ ଅର୍ଡର ବ୍ୟାଟର ସିମ୍ରନ୍ ଶେଖ ଡବ୍ଲୁପିଏଲ୍ ୨୦୨୫ ନିଲାମର ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହଇଛନ୍ତି। ଗୁଜରାଟ ଜାଏଣ୍ଟ୍ସ ତାଙ୍କୁ ୧.୯ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି। ସିମ୍ରନ୍ ମଧ୍ୟ ଜଣେ ପ୍ରଭାବୀ ଲେଗ୍ ସ୍ପିନର ଭାବେ ପରିଚିତ।

Advertisment

ସେହିଭଳି ସିମ୍ରନଙ୍କ ପରେ ଦ୍ୱିତୀୟ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ୱେଷ୍ଟଇଣ୍ଡିଜର ଡିଂଡ୍ରା ଡୋଟିନ୍। ତାଙ୍କୁ ମଧ୍ୟ ଗୁଜରାଟ ଜାଏଣ୍ଟ୍ସ କିଣିଛି। ଦ୍ରୁତ ବୋଲିଂ ଅଲରାଉଣ୍ଡର ଡିଂଡ୍ରାଙ୍କୁ ୧.୭ କୋଟି ଟଙ୍କାରେ କିଣିଛି ଗୁଜରାଟ। ଏହି ତାଲିକାର ତୃତୀୟରେ ରହିଛନ୍ତି ୧୬ ବର୍ଷୀୟା ୱିକେଟ୍ କିପର ଜି କମଳିନୀ। ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୬ କୋଟି ଟଙ୍କାରେ କିଣିଛି।

୧୬ ବର୍ଷୀୟା କମଳିନୀଙ୍କ ବଢ଼ିଲା ଚାହିଦା
ଗୋଟିଏ ପଟେ ଡବ୍ଲୁପିଏଲ୍ ଅକ୍ସନ ଚାଲିଥିବାବେଳେ ଅନ୍ୟପଟେ ମହିଳା ଅଣ୍ଡର-୧୯ ଏସିଆ କପରେ କମଳିନୀ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ପାକିସ୍ତାନ ବିପକ୍ଷରେ କେବଳ ୨୯ ବଲରେ ୪୪ ରନର ବିସ୍ଫୋରକ ପାଳି ଖେଳିଥିଲେ। କମଳିନୀଙ୍କ ଏହି ଧୂଆଁଧାର ପାଳି ବଳରେ ଭାରତ କେବଳ ୪୭ ବଲରେ ହିଁ ମ୍ୟାଚ୍ ଜିତି ଯାଇଥିଲା। ଯାହା ଅକ୍ସନରେ ତାଙ୍କ ଚାହିଦା ବଢ଼ାଇ ଦେଇଥିଲା। ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ୧.୬ କୋଟି ଟଙ୍କାରେ କମଳିନୀଙ୍କୁ ନିଜ ଦଳରେ ସାମିଲ କରିଛି।

ଏହି ନିଲାମରେ କୋଟିପତି ହେବାରେ ପ୍ରେମା ରାୱତ ଚତୁର୍ଥ ତଥା ଶେଷ ଖେଳାଳି। ତାଙ୍କୁ ବେଙ୍ଗାଲୁରୁ ଫ୍ରାଞ୍ଚାଇଜ୍ ୧.୨ କୋଟିରେ ନିଜ ଦଳରେ ସାମିଲ କରିଛି। ୨୩ ବର୍ଷୀୟା ବୋଲିଂ ଅଲରାଉଣ୍ଡର ପ୍ରେମା ଜଣେ ଆକ୍ରାମକ ଲେଗ୍ ସ୍ପିନର ଓ ବ୍ୟାଟିଂରେ ବି ଦକ୍ଷ।

୫ ଫ୍ରାଞ୍ଚାଇଜ ପର୍ସରେ ଥିଲା ୧୫ କୋଟି
ନିଲାମରେ ସର୍ବାଧିକ ୧୯ ଖେଳାଳିଙ୍କୁ ହିଁ ବିକ୍ରି କରାଯିବାର ଥିଲା। ସେଥିମଧ୍ୟରୁ ୫ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ରହିଥିଲା। ଡବ୍ଲୁପିଏଲ୍ ନିଲାମରେ ୯୧ ଭାରତୀୟ ଏବଂ ୨୯ ବିଦେଶୀ ଖେଳାଳିଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ଭାରତୀୟ ଖେଳାଳିଙ୍କ ମଧ୍ୟରେ ୮ଜଣ ଅନକ୍ୟାପଡ୍ ଖେଳାଳି ମଧ୍ୟ ନିଲାମରେ ସାମିଲ ହୋଇଥିଲେ। ଏହି ନିଲାମ ପାଇଁ ଫ୍ରାଞ୍ଚାଇଜ ଗୁଡ଼ିକ ପାଖରେ ମୋଟ ବଜେଟ୍ ୧୫ କୋଟି ଟଙ୍କା ଥିଲା। ଏଥିରେ ଗୁଜରାଟ ଜାଏଣ୍ଟସ୍ ପାଖରେ ସର୍ବାଧିକ ୪.୪୦ କୋଟି ଟଙ୍କା ରହିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ସର୍ବନିମ୍ନ ୨.୫୦ କୋଟି ଟଙ୍କା ଥିଲା।

WPL 2025 WPL Auction Simran Shaikh Women Premiere League