Advertisment

Smriti Mandhana: ସ୍ମୃତି ଓ ପଳାଶଙ୍କ ବାହାଘର ଭାଙ୍ଗିଲା

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଲେ କ୍ରିକେଟର ସ୍ମୃତି ମନ୍ଧାନା ଓ ଗୀତିକାର ପଳାଶ ମୁଚ୍ଛଲ। ସେମାନଙ୍କ ବାହାଘର ଭାଙ୍ଗିଗଲା। ଉଭୟ ସୋଶାଲ ମିଡିଆରେ ପୃଥକ ପୃଥକ ପୋଷ୍ଟ କରି ଏହି କଥା ଜଣାଇଛନ୍ତି।

author-image
Jitendra Garnayak
Marriage

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଲେ କ୍ରିକେଟର ସ୍ମୃତି ମନ୍ଧାନା ଓ ଗୀତିକାର ପଳାଶ ମୁଚ୍ଛଲ। ସେମାନଙ୍କ ବାହାଘର ଭାଙ୍ଗିଗଲା। ଉଭୟ ସୋଶାଲ ମିଡିଆରେ ପୃଥକ ପୃଥକ ପୋଷ୍ଟ କରି ଏହି କଥା ଜଣାଇଛନ୍ତି। 

Advertisment

ସ୍ମୃତି ମନ୍ଧାନା ରବିବାର ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଗତ କିଛି ସପ୍ତାହ ଧରି ମୋ ଜୀବନକୁ ନେଇ ବହୁତ କଥା ଆଲୋଚନା କରାଯାଉଛି। ମୁଁ ଭାବୁଛି ଏବେ ମୋତେ ମୁହଁ ଖୋଲିବାକୁ ହେବ। ମୁଁ ଏହା ସ୍ପଷ୍ଟ କରି ଦେଉଛି ଯେ ବାହାଘର ଭାଙ୍ଗିଯାଇଛି। ମୁଁ ଏହିଠାରେ ଏହି ଘଟଣାକୁ ଶେଷ କରିବାକୁ ଚାହୁଁଛି। ମୁଁ ଭାବୁଛି ଆପଣମାନେ ମଧ୍ୟ ସେମିତି କରିବେ। ମୁଁ ଅନୁରୋଧ କରୁଛି ଯେ ଆପଣମାନେ ଉଭୟଙ୍କ ପରିବାରର ଘର କଥାକୁ ସମ୍ମାନ ଦିଅନ୍ତୁ ଓ ଆମକୁ ଆଗକୁ ବଢ଼ିବାକୁ ଦିଅନ୍ତୁ।  

ସେ ଆହୁରି ଲେଖିଛନ୍ତି, ମୁଁ ବିଶ୍ୱାସ କରେ ଯେ ଏକ ବଡ଼ ଉଦ୍ଦେଶ୍ୟ ଆମକୁ ଆଗକୁ ନିଏ। ମୋ ପାଇଁ ତାହା ହେଉଛି ସର୍ବୋଚ୍ଚ ସ୍ତରରେ ମୋ ଦେଶକୁ ପ୍ରତିନିଧିତ୍ୱ କରିବା। ମୁଁ ଆଶା କରୁଛି ଯେ ଯେତେଦିନ ସମ୍ଭବ ଭାରତ ପାଇଁ ଖେଳିବି ଓ ଟ୍ରଫି ଜିତିବି। ସବୁଦିନେ ତା’ ଉପରେ ମୋର ନଜର ରହିବ। ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ। ଏବେ ସମୟ ହେଉଛି ଆଗକୁ ବଢ଼ିବାର। 

Advertisment

ସ୍ମୃତି ମନ୍ଧାନାଙ୍କ ପରେ ପରେ ଗୀତିକାର ପଳାଶ ମୁଚ୍ଛଲ ଇନଷ୍ଟାଗ୍ରାମରେ ଏକ ବିବୃତ୍ତି ଜାରି କରି ସ୍ମୃତିଙ୍କ ସହିତ ତାଙ୍କର ସଂପର୍କ ଛିନ୍ନ କରିଥିବା ଜଣାଇଥିଲେ। ସେ ଲେଖିଥିଲେ, ମୁଁ ମୋ ଜୀବନରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। ମୁଁ ମୋ ବ୍ୟକ୍ତଗତ ସଂପର୍କକୁ ଛିନ୍ନ କରୁଛି। ଯେଉଁ ଜିନିଷଟି ମୋ ପାଇଁ ସବୁଠୁ ଅଧିକ ପବିତ୍ର ତାକୁ ନେଇ ଉଠିଥିବା ଗୁଜବ ଉପରେ ଲୋକେ ଅତି ସହଜରେ ପ୍ରତିକ୍ରିୟା ଦେବା ମୋ ପାଇଁ କଷ୍ଟଦାୟକ ଥିଲା। ଏହା ମୋ ଜୀବନର ସବୁଠାରୁ କଠିନ ସମୟ। ମୋର ନିଜ ଉପରେ ବିଶ୍ୱାସ ଅଛି ଏହି ସ୍ଥିତିକୁ ସମ୍ଭାଳି ନେବାକୁ।

ସେ ଆହୁରି ଲେଖିଛନ୍ତି ଯେ ଆମେ କାହା ସଂପର୍କରେ କିଛି କହିବା ପୂର୍ବରୁ ଥରେ ଭାବିବା ଦରକାର। ଗୁଜବ ଉପରେ ଭରସା କରି କିଛି କହିବା କଥା ନୁହେଁ। ଆମ ଶବ୍ଦଗୁଡ଼ିକ ଅନ୍ୟମାନଙ୍କୁ କେଉଁ ବାଟରେ କ୍ଷତି ପହଞ୍ଚାଇବ, ତାହା ଆମେ କେବେ ବୁଝିପାରନ୍ତିନାହିଁ। 

ଏହା ସହିତ ଯେଉଁମାନେ ତାଙ୍କୁ ନେଇ ମିଛ ତଥା ଅସମ୍ମାନସୂଚକ କଥା କହୁଛନ୍ତି, ସେମାନଙ୍କ ବିରଧରେ ତାଙ୍କ ଟିମ୍ ଆଇନ ଅନୁସାରେ ପଦକ୍ଷେପ ନେବ ବୋଲି କହିଛନ୍ତି ପଳାଶ ମୁଚ୍ଛଲ।

ତେବେ କାହିଁକି ଏହି ବିବାହ ଭାଙ୍ଗିଲା, ସେ ନେଇ ସ୍ମୃତି କିମ୍ବା ପଳାଶ କିଛି ଲେଖିନାହାନ୍ତି। ନଭେମ୍ବର ୨୩ ତାରିଖରେ ସେମାନଙ୍କ ବିବାହ ହେବାର ଥିଲା। ବିବାହ ପୂର୍ବରୁ ଅନ୍ୟ ସମସ୍ତ ରୀତିନୀତି ସଂପନ୍ନ ହୋଇସାରିଥିଲା। କିନ୍ତୁ ବିବାହ ଦିନ ସକାଳେ ସ୍ମୃତି ମନ୍ଧାନାଙ୍କ ବାପାଙ୍କ ହୃଦ୍‌ଘାତ ହୋଇଥିଲା। ତେଣୁ ଏହି ବିବାହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ପରେ ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। କିଛି ବଡ଼ ଘଟଣା ଘଟିଥିବା ଆଲୋଚନା ହେଲା। ସ୍ମୃତିଙ୍କୁ ପଳାଶ ଠକି ଥିବା ଭଳି ଅଭିଯୋଗ ହୋଇଥିଲା। ଅନ୍ୟ ଜଣେ ମହିଳାଙ୍କ ସହିତ ପଳାଶଙ୍କ ସଂପର୍କକୁ ନେଇ କଥା ଉଠିଥିଲା। ଏ ସଂପର୍କରେ କିଛି ହ୍ୱାଟସ୍‌ ଆପ୍ ଚାଟ୍ ଭାଇରାଲ ମଧ୍ୟ ହୋଇଥିଲା। କିନ୍ତୁ ଏସବୁ ଘଟଣା ସଂପର୍କରେ ସେମାନେ ମୁହଁ ଖୋଲି ନାହାନ୍ତି।