Advertisment

ମାଟି କାମୁଡ଼ିଲେ ଭାରତର ଶୀର୍ଷକ୍ରମ ବ୍ୟାଟର, ଦକ୍ଷିଣ ଆଫ୍ରିକାକୁ ୧୨୫ ଟାର୍ଗେଟ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ମାଟି କାମୁଡ଼ିଲେ ଭାରତର ଶୀର୍ଷକ୍ରମ ବ୍ୟାଟର। ମଧ୍ୟକ୍ରମରେ ଛୋଟମୋଟ ଭାଗିଦାରୀ ବଳରେ ୧୨୪ ରନ କରିଛି ଭାରତ।

author-image
Debadatta Aryashrestha
India vs South Africa

India vs South Africa

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ। ଖାତା ଖୋଲି ପାରିଲେନି ପୂର୍ବ ମ୍ୟାଚର ହିରୋ ସଞ୍ଜୁ ସାମସନ୍। କାମ ଦେଲାନି ଅଧିନାୟକ ସୂର୍ଯ୍ୟଙ୍କ ଆକ୍ରାମକ ଅନ୍ଦାଜ। ମଧ୍ୟକ୍ରମରେ ଛୋଟମୋଟ ଭାଗିଦାରୀ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୨୪ ରନ କରିଛି। ମ୍ୟାଚି ଜିତି ସିରିଜରେ ବରାବର ସ୍ଥିତିକୁ ଫେରିବାକୁ ଦକ୍ଷିଣ ଆଫ୍ରିକାକୁ କେବଳ ୧୨୫ ରନ ଆବଶ୍ୟକ।

Advertisment

ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ ମାର୍କ୍ରମ। ଏହି ନିଷ୍ପତ୍ତି ଘରୋଇ ଦଳର ବୋଲରଙ୍କୁ  ସୁହାଇଥିଲା ମଧ୍ୟ। ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରି ଯାଇଥିଲେ ପୂର୍ବ ମ୍ୟାଚର ଶତକ ବୀର ସଞ୍ଜୁ ସାମସନ୍। ଏହାପରେ ଦ୍ୱିତୀୟ ଓଭରରେ ୪ ରନ କରି ନିଜ ୱିକେଟ ଫିଙ୍ଗିଥିଲେ ଅନ୍ୟତମ ଓପନର ଅଭିଷେକ ଶର୍ମା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୪ ରନ ହିଁ କରିବାରେ ସକ୍ଷମ ହୋଇଥିଲେ।

ଶୀର୍ଷ ୩ ଜଣ ବ୍ୟାଟର ବିଫଳ ହେବା ପରେ ଆରମ୍ଭରୁ ହିଁ ସଂକଟରେ ପଡ଼ିଥିଲା ଟିମ୍ ଇଣ୍ଡିଆ। ଏହାପରେ ତିଳକ ବର୍ମା ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଏକ ଭାଗିଦାରୀ ଦଳକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିଲା। ହେଲେ ଏହା ମଧ୍ୟ ବେଶୀ ସମୟ ତିଷ୍ଠି ପାରିନଥିଲା। ଦଳୀୟ ସ୍କୋର ୪୫ ରନ ହୋଇଥିବାବେଳେ ୨୦ ରନ କରି ପାଭିଲିୟନ ଫେରିଯାଇଥିଲେ ତିଳକ ବର୍ମା।

Advertisment

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କିଛି ସମୟ ସାଥ ଦେବାପରେ ୨୭ ରନ କରି ଅକ୍ଷର ପଟେଲ ରନ ଆଉଟ୍ ହୋଇ ପାଭିଲିୟନ ଫେରିଯାଇଥିଲେ। ରିଙ୍କୁ ସିଂ ୯ ରନ କରି ଆଉଟ ହୋଇଥିବାବେଳେ ୭ ରନର ଅପରାଜିତ ପାଳି ଖେଳିଛନ୍ତି ଅର୍ଶଦୀପ ସିଂ। ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ଦଳକୁ ୧୨୪ ରନରେ ପହଞ୍ଚାଇଥିଲେ। ସେ ୪୫ ବଲରେ ବ୍ୟକ୍ତିଗତ ୩୯ ରନର ପାଳି ଖେଳିଥିଲେ।

Hardik Pandya India Vs South Africa IND Vs SA 2nd T20