/odisha-reporter/media/post_attachments/uploadimage/library/16_9/16_9_0/Spain_1692534993.jpg)
Spain
ପ୍ରଥମଥର ପାଇଁ ଫିଫା ମହିଳା ଫୁଟବଲ ବିଶ୍ୱକପ ଜିତିଛି ସ୍ପେନ। ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଆଜିର ଫାଇନାଲରେ ୱେମନ ଇନ ରେଡ୍ ଇଂଲଣ୍ଡକୁ ୧-୦ରେ ଗୋଲରରେ ପରାସ୍ତ କରିଛି। ସ୍ପେନର ଅଧିନାୟକ ଓଲଗା କାରମୋନାଙ୍କ ଗୋଲରେ ଦଳ ଟାଇଟଲ ହାତେଇବାକୁ ସକ୍ଷମ ହୋଇଛି।
ସିଡ୍ନୀରେ ଖେଳା ଯାଉଥିବା ଆଜିର ଗ୍ରାଣ୍ଡ ଫାଇନାଲରେ ସ୍ପେନ ତୁଳନାରେ ଇଂଲଣ୍ଡର ପଲା ଭାରି ଥିଲେ। ପୂର୍ବ ପ୍ରଦର୍ଶନ ଓ ହେଡ ଟୁ ହେଡ ମୁକାବିଲାର ଫଳାଫଳକୁ ଦେଖିଲେ ଲାଗୁଥିଲା ଇଂଲଣ୍ଡ ହିଁ ଫିଫା ମହିଳା ଫୁଟବଲ ବିଶ୍ୱକପ ଜିତିବ। କିନ୍ତୁ ଠିକଣା ସମୟରେ ସ୍ପେନ ସମସ୍ତଙ୍କୁ ଜଳକା କରିଛି। ଏଥିସହ ଦଳ ଲା ରୋଜାଙ୍କ ଦଳକୁ ହରାଇ ପ୍ରଥମଥର ଚାମ୍ପିୟନ ହୋଇଛି।
ମ୍ୟାଚ୍ ଆରମ୍ଭରୁ ଇଂଲଣ୍ଡ ତା’ର ଦବଦବା ଦେଖାଇଥିଲା। କିନ୍ତୁ ୨୯ତମ ମିନିଟରେ ଫିଲ୍ଡରେ ଦଳ ବଲ୍ର ପୋଜିସନ ମିସ୍ କରିଥିଲା। ଏହାର ଫାଇଦା ସ୍ପେନର ଅଧିନାୟକ କାରମୋନା ଉଠାଇଥିଲେ। ସେ ବେଶ ଚମତ୍କାର ଢଙ୍ଗରେ ତାଙ୍କୁ ମିଳିଥିବା ପାସ୍କୁ ଗୋଲରେ ପରିଣତ କରି ଫାଇନାଲରେ ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ।
ଦ୍ୱିତୀୟ ହାଫରେ ମଧ୍ୟ ସ୍ପେନକୁ ତା’ର ଲିଡ୍ ୨-୦ କରିବାକୁ ସୁଯୋଗ ମିଳିଥିଲା। ଡି’ ଭିତରେ କେଇରା ୱାଲଶ ହ୍ୟାଣ୍ଡବଲ ହେବାରୁ ସ୍ପେନକୁ ପେନାଲ୍ଟି ମିଳିଥିଲା। କିନ୍ତୁ ଜେନିଫର ହେରମୋସୋ ମାରିଥିବା ଶଟ୍କୁ ଇୟରପାସ୍ ବେଶ ଚମତ୍କାର ଢଙ୍ଗରେ ଅଟକାଇ ଦେବାକୁ ସକ୍ଷମ ହୋଇଥିଲେ।
ଏହାପରେ ଇଂଲଣ୍ଡ କମବ୍ୟାକ୍ କରିବାକୁ ବହୁ ଚେଷ୍ଟା କରିଥିଲା। ହେଲେ ସ୍ପେନର ଡିଫେଣ୍ଡ ଏସବୁକୁ ପଣ୍ଡ କରି ଦେଇଥିଲା। ଶେଷରେ ସ୍ପେନ ୧-୦ରେ ମ୍ୟାଚ୍ ସହ ଟାଇଟଲ କବଜା କରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାରମୋନା ଚଳିତ ବିଶ୍ୱକପର ସେମି ଫାଇନାଲ ଯାଏ ଦଳ ପାଇଁ କୌଣସି ଗୋଲ କରି ନଥିଲେ। କିନ୍ତୁ ସେମି ଓ ଫାଇନାଲରେ ସେ ନିର୍ଣ୍ଣାୟକ ଗୋଲ ଦେଇ ଦଳକୁ ଚାମ୍ପିୟନ କରାଇଛନ୍ତି।
ଅନ୍ୟପକ୍ଷରେ ଇଂଲଣ୍ଡ ମହିଳା ଟିମ ମଧ୍ୟ ପ୍ରଥମଥର ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା। ୟୁରୋପୀୟ ଚାମ୍ପିୟନ ଭଳି ଏଥିରେ ଇଂଲଣ୍ଡ ମଧ୍ୟ ଟ୍ରଫି ହାତେଇବ ବୋଲି ଆଶା ରଖିଥିଲା। କିନ୍ତୁ ବିଶ୍ୱକପ ଜିତିବା ସ୍ୱପ୍ନ ଏବେ ଅଧାରେ ରହି ଯାଇଛି। ଦଳର ବିଶ୍ୱ ଚାମ୍ପିୟନ ଅପେକ୍ଷା ଆହୁରି ବଢ଼ି ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
