Advertisment

ଆନ୍ଦୋଳନ କରୁଥିବା ରେସଲରଙ୍କୁ ଭେଟିବେ କ୍ରୀଡ଼ାମନ୍ତ୍ରୀ, କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ବି ଦେଲେ

କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କୁ ଭେଟିବେ ବୋଲି କହିଛନ୍ତି। ଏଥିସହ କୁସ୍ତି ମହାସଂଘ ଓ ଏହାର ସଭାପତିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ ବୋଲି ସ୍ୱୀକାର କରିଛନ୍ତି।

author-image
Hemant Lenka
wrestlers

wrestlers

ଭାରତୀୟ କୁସ୍ତି ମହାସଂଘ ଓ ଏହାର ସଭାପତି ବ୍ରିଜ ଭୂଷରଙ୍କ ବିରୋଧରେ ପଦକ ବିଜେତା ରେସଲରମାନେ ଆଣିଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇଛି କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କୁ ଭେଟିବେ ବୋଲି କହିଛନ୍ତି। ଏଥିସହ କୁସ୍ତି ମହାସଂଘ ଓ ଏହାର ସଭାପତିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ସାଂଘାତିକ ବୋଲି ସ୍ୱୀକାର କରିଛନ୍ତି।

Advertisment

ଅନୁରାଗ ଠାକୁର ହିମାଚଳପ୍ରଦେଶର ହାମିରପୁରରେ ସରକାରୀ କାର୍ଯ୍ୟକ୍ରମ କରୁଥିବା ବେଳେ ଦିଲ୍ଲୀରେ ରେସଲରମାନେ କୁସ୍ତି ମହାସଂଘ ବିରୋଧରେ ଆନ୍ଦୋଳନ କରୁଛନ୍ତି। କାଲିଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଆଜି ୨୦୦ରୁ ଅଧିକ ଷ୍ଟାର ରେସଲର ଯୋଗ ଦେଇଛନ୍ତି। ଅଲିମ୍ପିୟାନ ଭିନେଶ ଫୋଗଟ, ରବି କୁମାର ଦାହିୟା, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ସହ ଅନେକ ରେସଲର ବିକ୍ଷୋଭ କରି ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଭିନେଶ ଫୋଗାଟ ଆଜି ମିଡିଆକୁ ସୂଚନା ଦେବା ବେଳେ ପୁଣି କାନ୍ଦି ପକାଇଛନ୍ତି। ଏଥିସହ ସେ କହିଛନ୍ତି ଯେ ଲକ୍ଷ୍ନୌରେ ଆୟୋଜିତ ନ୍ୟାଶନାଲ କ୍ୟାମ୍ପ ବେଳେ କିଛି କୋଚ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଇଥିଲେ। କୋଚ୍‌ ଓ ସଭାପତି ବ୍ରିଜ୍‌ ଭୂଷଣ ମିଳିତ ଭାବେ ଏପରି କାଣ୍ତ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ଯାଏ ରେସଲରମାନେ ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ଭିନେଶ ଚେତାବନୀ ଦେଇଛନ୍ତି।

Advertisment

ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ କ୍ରୀଡ଼ା ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ୭୨ ଘଣ୍ଟା ମଧ୍ୟରେ ଜବାବ ରଖିବାକୁ ନୋଟିସ କରିଥିଲା। ଏବେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, “ମୁଁ ଦିଲ୍ଲୀ ଯିବା ପରେ ଆନ୍ଦୋଳନ କରୁଥିବା ଖେଳାଳିଙ୍କୁ ଭେଟିବି। ସେମାନେ କରିଥିବା ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ ଓ ସାଂଘାତିକ। ଆମେ(କ୍ରୀଡ଼ା ମନ୍ତ୍ରଣାଳୟ) ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। ଦରକାର ପଡ଼ିଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।” ଅନୁରାଗ ଠାକୁର ତାଙ୍କ ବାସଭବନରେ ରେସଲରମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ରେସଲର ଭିନେଶ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ପଛରେ ଷଡ଼ଯନ୍ତ୍ର ଥିବା ବ୍ରିଜ୍ ଭୂଷଣ କହିଛନ୍ତି। ତାଙ୍କ କହିବା କଥା ଯେ ରେସଲରମାନେ ଜାତୀୟ ସ୍ତରରେ ଟ୍ରାଏଲ ଦେବାକୁ ଚାହୁଁ ନାହାନ୍ତି। ଏବେ ସେମାନେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି। ସମସ୍ତ ଅଭିଯୋଗର ତଦନ୍ତ ପାଇଁ ସେ ପ୍ରସ୍ତୁତ ଥିବା ବି ଦମ୍ଭୋକ୍ତି କରିଛନ୍ତି। ଏଥିସହ ଅଭିଯୋଗରେ ସତ୍ୟତା ଥିଲେ, ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ ବୋଲି ବ୍ରିଜ ଭୂଷଣ କହିଛନ୍ତି।

Protest Indian Wrestler