/odisha-reporter/media/post_attachments/uploads/2015/11/bangalore-test.jpg)
bangalore-test
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ଦ୍ୱିତୀୟ ଦିନ। ତେବେ ବର୍ଷା ଯୋଗୁଁ ଦ୍ୱିତୀୟ ଦିନର ଖେଳ ବାତିଲ ହୋଇଯାଇଛି। ବର୍ଷା ଯୋଗୁଁ ଆଜି ଆଦୌ ଖେଳ ହୋଇ ପାରି ନ ଥିଲା।
ଦକ୍ଷିଣ ଆଫ୍ରିକାକୁ ବେଶ୍ ସହାୟକ ହୋଇଛି ବର୍ଷା। ବର୍ଷା ଯୋଗୁଁ ନିଶ୍ଚିତ ଭାବେ ଲାଭରେ ରହିଛି ଦକ୍ଷିଣ ଆଫ୍ରିକା ଟିମ୍। କାରଣ ପ୍ରଥମ ଦିନରେ ଦଳ କମ୍ ରନ୍ କରି ଅଲଆଉଟ୍ ହୋଇଯାଇଥିବା ବେଳେ ଭାରତର ଭଲ ଆରମ୍ଭ କରିଥିଲା। ଫଳରେ ଭ୍ରମଣକାରୀ ଦଳ ଚିନ୍ତାରେ ପଡ଼ି ଯାଇଥିଲା।
ଏହି ଟେଷ୍ଟ୍ ମ୍ୟାଚର ପ୍ରଥମ ଦିନରେ ଗତକାଲି ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୨୧୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଆ ଆଫ୍ରିକା ପ୍ରାରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସ୍ପିନରଙ୍କ ବଲକୁ ସାମ୍ନା କରି ନ ପାରି ଦଳ କ୍ରମାଗତ ୱିକେଟ ହରାଇଥିଲା। ଦଳ ପକ୍ଷରୁ ଅଧିନାୟକ ଏ.ବି ଡିଭିଲିୟର୍ସ ସର୍ବାଧିକ ୮୫ ରନ୍ କରିଥିବା ବେଳେ ଡିନ୍ ଏଲଗାର୍ ୩୮ ଏବଂ ମୋର୍ନି ମୋରକେଲ୍ ୨୨ ରନ୍ କରିଥିଲେ।
ଭାରତ ପକ୍ଷରୁ ଉଭୟ ରବୀନ୍ଦ୍ର ଜାଡେଜା ଏବଂ ଅଶ୍ୱିନ ଚାରିଟି ଲେଖାଏଁ ୱିକେଟ ହାସଲ କରିଥିଲେ। ବରୁଣ ଏରୋନ ଗୋଟିଏ ୱିକେଟ୍ ନେଇଥିଲେ।
ଗତକାଲି ଭାରତ ପ୍ରଥମ ଇନିଂସରେ ବିନା ୱିକେଟ ହରାଇ ୮୦ ରନ୍ କରିଥିଲା। ଶିଖର ଧାୱନ ୪୫ ଓ ମୁରଲୀ ବିଜୟ ୨୮ ରନ୍ କରି ଅପରାଜିତ ଅଛନ୍ତି। ଦଳ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାଠାରୁ ୧୩୪ ରନ୍ ପଛରେ ରହିଛି।
ମୋହାଲି ଟେଷ୍ଟରେ ସ୍ପିନରଙ୍କ ଦମଦାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମକୁ ୧୦୮ରନରେ ହରାଇଥିଲା। ଗତକାଲି ମଧ୍ୟ ଭାରତୀୟ ସ୍ପିନରମାନେ କମାଲ କରିଥିଲେ ଓ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ସହଜରେ କବଜା କରି ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
