Advertisment

ଅଣ୍ଡର ୧୯ ମହିଳା ବିଶ୍ୱକପ: ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲରେ ଭାରତ

ପ୍ରଥମଥର ପାଇଁ ଅଣ୍ଡର ଟି-୨୦ ମହିଳା ବିଶ୍ୱକପ ଖେଳା ଯାଉଥିବା ବେଳେ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି।

author-image
Hemant Lenka
Team India

Team India

ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ କମାଲ କରିଛନ୍ତି ଭାରତୀୟ ଦଳ। ପ୍ରଥମଥର ପାଇଁ ଅଣ୍ଡର ଟି-୨୦ ମହିଳା ବିଶ୍ୱକପ ଖେଳା ଯାଉଥିବା ବେଳେ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଆଜିର ସେମି ଫାଇନାଲ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଛି।

Advertisment

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ତ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ମାତ୍ର ୧୦୭ ରନ କରିଥିଲା। ଏହାର ଜବାବରେ ଭାରତୀୟ ମହିଳା ଦଳ ଓପନର ଶ୍ୱେତା ଶେରାୱତଙ୍କ ୪୫ ବଲରେ ଅପରାଜିତ ୬୧ ରନ ବଳରେ ୨ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଭାରତୀୟ ମହିଳା ଦଳକୁ ଫାଇନାଲ ଟିକେଟ ପାଇଁ ୩୫ ବଲରେ ୨ ରନ ଦରକାର ଥିବା ବେଳେ ଶ୍ୱେତା ଦମଦାର ଚୌକା ସହ ବିଜୟ ମୁଣ୍ଡି ମାରିଥିଲେ।

ତେବେ ବୋଲିଂରେ ଯାଦୁ ଦେଖାଇଥିବା ପାର୍ଶବୀ ଚୋପ୍ରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ସେ ୪ ଓଭରରେ ୨୦ ରନ ଦେଇ ୩ ୱିକେଟ ହାସଲ କରିଛନ୍ତି। ତାଙ୍କ ଘାତକ ବୋଲିଂ ଯୋଗୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଟିମ ସଙ୍କଟରେ ପଡ଼ିଥିଲା।

Advertisment

ଶେଫାଳୀ ବର୍ମାଙ୍କ ନେତୃତ୍ୱରେ ଅଣ୍ଡର ୧୯ ଟି-୨୦ ବିଶ୍ୱକପ ଖେଳୁଥିବା ଭାରତୀୟ ମହିଳା ଦଳକୁ ଦ୍ୱିତୀୟ ଓଭରେ ହିଁ ସଫଳତା ମିଳିଥିଲା। ମନତ କଶ୍ୟପ ନ୍ୟୁଜିଲ୍ୟାଣ୍ଡର ଆନ୍ନା ବ୍ରୋୱିଙ୍ଗକୁ ଆଉଟ କରିଥିଲେ। ୫ ରନରେ ଦଳ ଦ୍ୱିତୀୟ ୱିକେଟ ହରାଇଥିଲା। ତେବେ ଜର୍ଜିଆ ପ୍ଲିମେର ଓ ଇସାବେଲ ଗାଜେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ସେମାନେ ତୃତୀୟ ୱିକେଟ ପାଇଁ କେବଳ ୩୭ ରନ ଯୋଡ଼ି ପାରିଥିଲେ। ୨୬ ରନ କରିଥିବା ଇସାବେଲଙ୍କୁ ପାର୍ଶବୀ ଆଉଟ କରି ଏହି ଯୋଡ଼ି ଭାଙ୍ଗିଥିଲେ। ଏହାପରେ ବ୍ୟାଟିଂ କରିଥିବାକୁ ଆସିଥିବା ଅଧିନାୟକ ଇଜୀ ଶାର୍ପ କେବଳ ୧୩ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ମଧ୍ୟ ପାର୍ଶବୀ ନେଇଥିଲେ। ଇମାମ ଇରୱିନ(୩) ପାର୍ଶବୀଙ୍କ ତୃତୀୟ ଶିକାର ବନିଥିଲେ।

କେଟ ଇରୱିନ(୨)ଙ୍କୁ ଆଉଟ କରି ଭାରତର ଅଧିନାୟକ ଶେଫାଳୀ ବର୍ମା ନ୍ୟୁଜିଲ୍ୟାଣ୍ଡକୁ ୬ଷ୍ଠ ଝଟକା ଦେଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ଜର୍ଜିଆ ଲଢ଼େଇ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୯୧ ଥିବା ବେଳେ ତାଙ୍କୁ ଅର୍ଚ୍ଚନା ଦେବୀ ଆଉଟ କରି ଦେଇଥିଲେ। ଏହାପରେ ନ୍ୟୁଜିଲ୍ୟାଣ୍ଡ ଦୁଇଟି ୱିକେଟ ରନ ଆଉଟ ରୂପେ ହରାଇଥିଲା। ଶେଷରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୦୭ ରନ କରିବାକୁ ସକ୍ଷମ ହୋଇଥିଲା।

ଭାରତ ପକ୍ଷର ପାର୍ଶବୀ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ତିତାସ ସାନ୍ଧୁ, ଶେଫାଳୀ ବର୍ମା, ଅର୍ଚ୍ଚନା ଦେବୀ ଓ ମନତ କଶ୍ୟପ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ବ୍ୟାଟିଂ ପାଇଁ ଜଣାଶୁଣା ଭାରତୀୟ ଟିମ ପାଇଁ ୧୦୮ ରନର ଲକ୍ଷ୍ୟ ବେଶ ଛୋଟ ଥିଲା। ୧୦୮ ରନ ଟାର୍ଗେଟର ପିଛା କରୁଥିବା ଭାରତୀୟ ମହିଳା ଦଳ ୩୩ ରନରେ ପ୍ରଥମ ୱିକେଟ ହରାଇଥିଲା। ଅଧିନାୟକ ଶେଫାଳୀ ବର୍ମା ୧୦ ରନ କରି ବ୍ରୋୱିଙ୍ଗ ବଲରେ ଆଉଟ ହୋଇଥିଲେ। ୩ନଂ ବ୍ୟାଟିଂ କରିବାକୁ ଆସିଥିବା ସୌମ୍ୟା ତିୱାରୀ(୨୨)ଙ୍କୁ ସାଥୀ କରି ଶ୍ୱେତା ଶେରାୱତ ସ୍ଥିତି ସମ୍ଭାଳିଥିଲେ।

ଏଥିସହ ବିଶ୍ୱକପରେ ସେ ଆଉ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୯୫ ଥିବା ବେଳେ ସୌମ୍ୟା ଆଉଟ ହୋଇ ଯାଇଥିଲେ। ଏହାପରେ ଜି ତ୍ରିଶା ଓ ଶେରାୱତ ଆଉ ଭାରତକୁ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ବାକି ରନ ସଂଗ୍ରହ କରିବା ସହ ଦଳକୁ ୩୪ ବଲରୁ ପୂର୍ବରୁ ବିଜୟ ଭେଟି ଦେଇଥିଲେ।

ଏବେ ଭାରତର ମୁକାବିଲା ଫାଇନାଲରେ ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡ ସହ ହେବ। ଦ୍ୱିତୀୟ ସେମିରେ ଏହି ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି। ଲିଗ ପର୍ଯ୍ୟାୟରେ ଭାରତ ଓ ଅଷ୍ଟ୍ରେଲିଆ ଗୋଟିଏ ଥର ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଜିତିଥିଲା।

Bcci T20 World Cup