Advertisment

ନୂଆବର୍ଷରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲା ଟିମ୍ ଇଣ୍ଡିଆ

ବୁମ୍ରାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ। କୋହଲିଙ୍କ ସହ ଫଟୋ ସେୟାର କଲେ ସାମ୍ କୋନଷ୍ଟାସଙ୍କ ଭାଇ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Team India with Australia PM

Team India with Australia PM

ଶୁକ୍ରବାରଠାରୁ ଆରମ୍ଭ ହେବ ବର୍ଡର ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍। ଏହା ପୂର୍ବରୁ ବୁଧବାର ଦିନ ନୂଆବର୍ଷ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କିରିବିଲି ହାଉସ(ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ବାସଭବନ)ରେ ଯୋଗ ଦେଇଥିଲେ ଭାରତୀୟ ଦଳର ସମସ୍ତ ସଦସ୍ୟ। ଏହି କାର୍ଯ୍ୟକ୍ରମରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ ଓ ତାଙ୍କ ବାନ୍ଧବୀ ଯୋଡି ହେଡେନଙ୍କୁ ଭେଟିଛି। 

Advertisment

ସିଡନୀ ମର୍ନିଂ ହେରାଲ୍ଡର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଅଲବାନିଜ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ ଥଟ୍ଟା କରି କହିଛନ୍ତି, 'ଆମେ ଏଠାରେ ଏକ ନୂଆ ଆଇନ ପାରିତ କରିବା ଯେ ବୁମ୍ରାଙ୍କୁ ବାମ ହାତରେ ବା ଗୋଟିଏ ପାଦ ପଛରୁ ବୋଲିଂ କରିବାକୁ ପଡିବ। ଯେତେବେଳେ ବି ସେ ବୋଲିଂ କରନ୍ତି, ଏହା ବହୁତ ରୋମାଞ୍ଚକର ଲାଗେ।'

Advertisment

କେବଳ ସେତିକି ନୁହେଁ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆର ଯୁବ ଖେଳାଳି ସାମ କୋନଷ୍ଟାସ୍ ତାଙ୍କ ଆଇଡଲ୍ ବିରାଟ କୋହଲିଙ୍କ ସହ ଫଟୋ ଉଠାଇବାର ସୁଯୋଗ ପାଇଥିଲେ। ଯଦିଓ ସାମ୍ ଓ କୋହଲିଙ୍କ ଫଟୋ ଆମର ହସ୍ତଗତ ହୋଇନାହିଁ, ହେଲେ ତାଙ୍କ ଭାଇ ୱିଲ୍ଲି କୋନଷ୍ଟାସ କୋହଲିଙ୍କ ସହ ଉଠାଇଥିବା ଫଟୋକୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବକ୍ସିଂ ଡେ ଟେଷ୍ଟରେ କୋହଲି ଓ କୋନଷ୍ଟାସଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ କୋହଲିଙ୍କୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ଓ ପୂର୍ବତନ ଖେଳାଳି ବହୁତ ଟ୍ରୋଲ କରିଥିଲେ। ଏପରିକି କୋହଲିଙ୍କୁ ମ୍ୟାଚ୍ ଫି'ର ୨୫ ପ୍ରତିଶତ ଜୋରିମାନା ମଧ୍ୟ ଦେବାକୁ ପଡ଼ିଥିଲା।

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏଠାରେ ଅତିଥିମାନଙ୍କୁ ସମ୍ବୋଧିତ କରିବାର ଥିଲା, କିନ୍ତୁ ରୋହିତଙ୍କ ବଦଳରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସମ୍ବୋଧନ କରିଥିଲେ। ଗୌତମ କହିଥିଲେ ଯେ ଅଷ୍ଟ୍ରେଲିଆ ଭ୍ରମଣ ପାଇଁ ଏକ ସୁନ୍ଦର ଦେଶ, କିନ୍ତୁ ଏଠାରେ ଖେଳିବା ସବୁବେଳେ ଆହ୍ୱାନପୂର୍ଣ୍ଣ ଅଟେ। ଦର୍ଶକମାନେ ଚମତ୍କାର। ଆମର ଆଉ ଗୋଟିଏ ଟେଷ୍ଟ ମ୍ୟାଚ୍ ବାକି ଅଛି ଏବଂ ଆମେ ଆଶା କରୁଛୁ ଯେ ଭଲ ଭାବରେ ଦର୍ଶକଙ୍କ ମନୋରଞ୍ଜନ କରିପାରିବୁ।

India Vs Australia IND Vs AUS Test Team India New Year Celebration Virat Kohli Australia PM Sam Konstas