Advertisment

ଆଇପିଏଲ୍ ଅକ୍ସନରେ ୧୩ ବର୍ଷର ବାଳକ ବୈଭବ ସୂର୍ଯ୍ୟବଂଶୀ

ଆଇପିଏଲ୍ ଅକ୍ସନରେ ୧୩ ବର୍ଷର ବାଳକଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ ଗୁଡ଼ିକ ମଧ୍ୟରେ ଲାଗିବ ବିଡ୍-ଫାଇଟ୍। ଆଇପିଏଲରେ ପ୍ରବେଶ କରିବାରେ ସର୍ବକନିଷ୍ଠ ଖେଳାଳି ହେବେ ବୈଭବ ସୂର୍ଯ୍ୟବଂଶୀ।

author-image
Debadatta Aryashrestha
Vaibhav Suryavanshi

Vaibhav Suryavanshi

ଆଇପିଏଲରେ ଏପର୍ଯ୍ୟନ୍ତ ଅନେକ ରେକର୍ଡ ଏବଂ ଚମତ୍କାର ଆପଣ ଦେଖିଛନ୍ତି। କିନ୍ତୁ ଏଥର ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଏକ ଚମତ୍କାର ଘଟଣା ଘଟିବାକୁ ଯାଉଛି, ଯାହା ବୋଧହୁଏ ଆପଣ କଳ୍ପନା ମଧ୍ୟ କରିନଥିବେ। ବାସ୍ତବରେ, ଏଥର ଅକ୍ସନ ପାଇଁ ଜଣେ ୧୩ ବର୍ଷର ବାଳକଙ୍କ ନାଁ ସର୍ଟଲିଷ୍ଟେଡ ହୋଇଛି। ଆଇପିଏଲ୍ ଅକ୍ସନ ଇତିହାସରେ ସେ ସର୍ବକନିଷ୍ଠ। ଯଦି ତାଙ୍କୁ କେହି କିଣନ୍ତି, ତେବେ ସେ ଆଇପିଏଲରେ ପ୍ରବେଶ କରିବାରେ ମଧ୍ୟ ସର୍ବକନିଷ୍ଠ ଖେଳାଳି ହୋଇଯିବେ। 

Advertisment

ବିହାରର ଏହି ୧୩ ବର୍ଷର ବାଳକ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ୨୦୨୫ର ମେଗା ନିଲାମ ପାଇଁ ନିଜର ନାମ ପଞ୍ଜିକରଣ କରିଥିଲେ।​ ଆଇପିଏଲ୍ ବୋର୍ଡ ଦ୍ୱାରା ନିଲାମ ପାଇଁ ସର୍ଟଲିଷ୍ଟ ହୋଇଥିବା ଖେଳାଳି ତାଲିକାରେ ମଧ୍ୟ ବୈଭବଙ୍କ ନାମ ରହିଛି। ୩୦ ଲକ୍ଷ ଟଙ୍କା ବେସ୍ ପ୍ରାଇସ ସହିତ ନିଲାମରେ ପ୍ରବେଶ କରିବେ ବୈଭବ। ବିହାରର ତାଜପୁର ଗାଁରେ ୨୦୧୧ ମସିହାରେ ବୈଭବଙ୍କ ଜନ୍ମ। ଏତେ ଛୋଟ ବୟସରୁ ସେ ହାସଲ କରିଥିବା କ୍ରିକେଟ ରେକର୍ଡ ଓ ତାଙ୍କ ପ୍ରଭାବୀ କ୍ୟାରିୟର ତାଙ୍କ ଉପରେ ଟଙ୍କା ବର୍ଷା କରିବା ପାଇଁ ଫ୍ରାଞ୍ଚାଇଜ୍ ଗୁଡ଼ିକୁ ବାଧ୍ୟ କରିବ।

ବୈଭବଙ୍କ କ୍ୟାରିୟର
ମାତ୍ର ଚାରି ବର୍ଷ ବୟସରେ ବୈଭବ ବ୍ୟାଟ୍ ଉଠାଇଥିଲେ। ଅଳ୍ପ ବୟସରେ କ୍ରିକେଟ୍ ପ୍ରତି ପୁଅର ଅସୀମ ଆଗ୍ରହକୁ ଅନୁଭବ କରିପାରିଥିଲେ ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ। ପୁଅ ଖେଳିବା ପାଇଁ ଏକ ସ୍ୱତନ୍ତ୍ର ପିଚ୍ ନିର୍ମାଣ କରିଥିଲେ। ଚାରି ବର୍ଷ ପରେ ତାଙ୍କୁ ସମସ୍ତିପୁର କ୍ରିକେଟ୍ ଏକାଡେମୀରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ବର୍ଷ ତାଲିମ ନେବା ପରେ ସେ ଅଣ୍ଡର-୧୬ ଦଳରେ ଯୋଗ ଦେଇଥିଲେ। ସେତେବେଳେ ବୈଭବଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା। ସେହି ବୟସରେ ସେ ବିହାରର ସମସ୍ତ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଜିତିଥିଲେ। ଏହାପରେ ଭିନୋ ମଙ୍କଡ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ବୈଭବ। ଯାହା ବିହାର କ୍ରିକେଟ୍ ବୋର୍ଡର ଦୃଷ୍ଟି ଆକର୍ଷଣ କରିଥିଲା। ତେଣୁ ସେ ୨୦୨୪ରେ ବିହାର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ।

Advertisment

କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ପରେ ସେ ଟିମ୍ ଇଣ୍ଡିଆର ଅଣ୍ଡର-୧୯ ଦଳ ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ସେ ବର୍ତ୍ତମାନ ରଣଜୀ ୨୦୨୪-୨୫ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ବାମହାତୀ ବ୍ୟାଟର ବୈଭବଙ୍କର ବିଶେଷତ୍ୱ ​​ହେଉଛି ଆକ୍ରମଣାତ୍ମକ ଖେଳିବା। ଆଇପିଏଲ୍ ୨୦୨୫ର ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବରେ ଅନୁଷ୍ଠିତ ହେବ। ଏହି ନିଲାମରେ ବୈଭବ ସର୍ବକନିଷ୍ଠ ଖେଳାଳି ହୋଇଥିବାବେଳେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ (୪୨ ବର୍ଷ) ସବୁଠାରୁ ବୟସ୍କ ଖେଳାଳି।

Cricket Vaibhav Suryavanshi IPL 2025 IPL Mega Auction