Advertisment

ସରକାରୀ ଚାକିରି, ୪ କୋଟି ଟଙ୍କା କିମ୍ବା ଗୋଟିଏ ପ୍ଲଟ: ୩ଟି ବିକଳ୍ପରୁ କ’ଣଟା ବାଛିବେ ଭିନେଶ ଫୋଗାଟ?

ରାଜ୍ୟ କ୍ରୀଡ଼ା ନୀତି ଅନୁସାରେ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ସରକାର ୪ କୋଟି ଟଙ୍କା, ଗୋଟିଏ ପ୍ଲଟ ଓ ଗ୍ରୁପ ଏ ବର୍ଗରେ ଚାକିରି ଦେବାର ପ୍ରାବଧାନ ରହିଛି।

Vinesh

Vinesh

Advertisment

କୁସ୍ତି ଯୋଦ୍ଧାରୁ କଂଗ୍ରେସର ବିଧାୟକ ହୋଇଥିବା ଭିନେଶ ଫୋଗାଟଙ୍କୁ ହରିୟାଣା ସରକାର ୩ଟି ବିକଳ୍ପ ଦେଇଛନ୍ତି। ସରକାରଙ୍କ କ୍ରୀଡ଼ା ନୀତି ଅନୁସାରେ ଭିନେଶଙ୍କୁ ୩ଟି ଲୋଭନୀୟ ଅଫର ଦିଆଯାଇଛି। ସେ ସରକାରଙ୍କ ପକ୍ଷରୁ ୪ କୋଟି ଟଙ୍କାର ନଗଦ ଟଙ୍କା, ହରିୟାଣା ସହରୀ ବିକାଶ ପ୍ରାଧିକରଣ(ଏଚଏସ୍‌ଭିପ) ଜରିଆରେ ଗୋଟିଏ ପ୍ଲଟ କିମ୍ବା ଗ୍ରୁପ ଏର ଚାକିରି ମଧ୍ୟରୁ ଗୋଟିଏ ଫାଇଦାର ଲାଭ ନିଜ ଇଚ୍ଛା ଅନୁସାରେ ଉଠାଇ ପାରିବେ।

Advertisment

ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଏପରି ନିଷ୍ପତ୍ତି ନେଇଛି। ସରକାରଙ୍କ କ୍ରୀଡ଼ା ନୀତି ଅଧୀନରେ ଅଲିମ୍ପିକ୍ସରେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିବା ଖେଳାଳିଙ୍କୁ ଏପରି ସୁବିଧା ମିଳିଥାଏ। ସମାନ ସୁବିଧା ଏବେ ସରକାର ଭିନେଶଙ୍କ ଆଗରେ ଉପସ୍ଥାପନ କରିଛନ୍ତି। ତେବେ ଭିନେଶ ଏବେ ରାଜ୍ୟର ଜୁଲାନା ଆସନରୁ ବିଧାନସଭାକୁ ଯାଇଛନ୍ତି। ତେଣୁ ସେ ୩ଟି ସରକାରୀ ସୁବିଧା ମଧ୍ୟରୁ ଗୋଟିଏ ଲାଭ ନେଇପାରିବେ। ସରକାରଙ୍କ ପକ୍ଷରୁ ଭିନେଶଙ୍କୁ ଏପରି ପ୍ରସ୍ତାବ ଦିଆଯାଇଥିଲେ ହେଁ ସେ ଏଯାଏ ଏହା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି। 

ମୁଖ୍ୟମନ୍ତ୍ରୀ ସୈନି କହିଛନ୍ତି, “ଭିନେଶ ଯେହେତୁ ଜଣେ ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି, ତେଣୁ ସେ ସରକାରଙ୍କ ପକ୍ଷରୁ କେଉଁ ସୁବିଧା ହାସଲ କରିବାକୁ ଚାହୁଁଛନ୍ତି, ସେକଥା ପଚରାଯିବ। ବିଧାନସଭାରେ ଭିନେଶ ଏହି ପ୍ରସଙ୍ଗ ଉଠାଇଥିଲେ। ଆଜି କ୍ୟାବିନେଟ ବୈଠକରେ ତାଙ୍କ ପ୍ରସଙ୍ଗକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଇଥିଲା। ଏଥିସହ କ୍ରୀଡ଼ା ନୀତି ଅନୁସାରେ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।”

Advertisment

ସୈନି ଏଠାରେ କହିଛନ୍ତି ଯେ ଭିନେଶ ଫୋଗାଟ ପ୍ୟାରିସି ଅଲିମ୍ପିକ୍ସରୁ ଗୋଟିଏ ପ୍ରକ୍ରିୟାତ୍ମକ ନିଷ୍ପତ୍ତି ଯୋଗୁ ଅଯୋଗ୍ୟ ବିବେଚିତ ହୋଇଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗାଟ ରେସଲିଂର ୫୦ କେଜି ବର୍ଗରେ ଭାଗ ନେଇଥିଲେ। ସେ ଅଗଷ୍ଟ ୬ ତାରିଖରେ ବ୍ୟାକ ଟୁ ବ୍ୟାକ ୩ଟି ମ୍ୟାଚ୍‌ ଖେଳି ଫାଇନାଲକୁ ଯାଇଥିଲେ। ଫାଇନାଲ ୭ ତାରିଖରେ ଅନୁଷ୍ଠିତ ହେବାର ଥିଲା। ରେସଲିଂରୁ ଭାରତକୁ ରୌପ୍ୟ ନଚେତ ସ୍ୱର୍ଣ୍ଣ ମିଳିବା ନେଇ ଭିନେଶଙ୍କ ସମେତ ଦେଶବାସୀ ଆଶାବାଦୀ ରହିଥିଲେ। ମାତ୍ର ଫାଇନାଲ ମ୍ୟାଚ୍ ଦିନ ସବୁ କିଛି ବଦଳି ଯାଇଥିଲା। ୫୦ କେଜି ଓଜନରୁ ଭିନେଶ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରା ଯାଇଥିଲା।

ଏ ଖବର ସମସ୍ତଙ୍କୁ ବିସ୍ମିତ କରିଥିଲା। ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯିବା ନିଷ୍ପତ୍ତିରେ ଭିନେଶ ପୂରା ଭାଙ୍ଗି ପଡ଼ିଥିଲେ। ସେ ଏହାର କିଛି ଘଣ୍ଟା ପରେ ରେସଲିଂରୁ ଅବସର ଘୋଷଣା କରିଥିଲେ। ଏସବୁ ଭିତରେ ଭିନେଶ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CASରେ ଆବେଦନ କରିଥିଲେ। କୋର୍ଟ ସବୁ ରାୟ ଶୁଣିବା ପରେ ୯ ରିଖରେ ରାୟ ପ୍ରକାଶ କରିବାର ଥିଲା। କିନ୍ତୁ ଏହା ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ପରେ ୧୬ରେ ପ୍ରକାଶ ପାଇଥିଲା। ରାୟ ଭିନେଶଙ୍କ ବିରୋଧରେ ଯିବାରୁ ସେ ପଦକ ଜିତିବାକୁ ସକ୍ଷମ ହୋଇ ନଥିଲେ।

ଏହି ସମୟରେ ହରିୟାଣା ମୁଖ୍ୟମନ୍ତ୍ରୀ ସୈନି ଏକ୍ସରେ ଗୋଟିଏ ପୋଷ୍ଟ କରି ଭିନେଶ ସପକ୍ଷରେ ବାହାରିଥିଲେ। ସେତେବେଳେ ଭିନେଶ ରାଜନୀତି କିମ୍ବା କଂଗ୍ରେସକୁ ଆସି ନଥିଲେ। ସୈନି ସେ ସମୟରେ କହିଥିଲେ ଯେ “ହରିୟାଣର ଗର୍ବ ଭିନେଶ ଫୋଗାଟଙ୍କ ପରିଶ୍ରମ ଆଦୌ ବୃଥା ଯିବନି। ହରିୟାଣା ସରକାର ଭିନେଶଙ୍କୁ ଉପଯୁକ୍ତ ସମ୍ମାନ ଦେବେ।” ପରବର୍ତ୍ତୀ ଅବସ୍ଥାରେ ସୈନି ନିଜ କଥାକୁ ଭୁଲି ଯାଇଥିଲେ। ଭିନେଶ ମଧ୍ୟ କଂଗ୍ରେସ ଟିକେଟରୁ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ସମୟରେ ଭିନେଶ ଗୃହରେ ମୁଖ୍ୟମନ୍ତ୍ରୀ ସୈନିଙ୍କୁ ପୁରୁଣା କଥା ମନେ ପକାଇ ଦେଇଥିଲେ। ପଦକ ଜିତିବାରୁ ସେ ବଞ୍ଚିତ ହୋଇଥିଲେ ହେଁ ତାଙ୍କୁ ରାଜ୍ୟ ସରକାର ପଦକ ବିଜେତା ଭଳି ସମ୍ମାନୀତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା କଥା କୁଆଡ଼େ ଗଲେ ବୋଲି ଭିନେଶ ପ୍ରଶ୍ନ କରିଥିଲେ।

ବିଧାନସଭାରେ ସେ କହିଥିଲେ, “ମୁଖ୍ୟମନ୍ତ୍ରୀ କହିଥିଲେ ଭିନେଶ ହେଉଛି ଆମ ଝିଅ। ତା’କୁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତାଙ୍କ ଭଳି ସମ୍ମାନୀତ କରାଯିବ। ହେଲେ ଏହି ପ୍ରତିଶ୍ରୁତି ଏଯାଏ ପୂରଣ ହୋଇନି। ଏହା ଟଙ୍କାର କଥା ନୁହେଁ, ବରଂ ସମ୍ମାନର କଥା। ରାଜ୍ୟର ବିଭିନ୍ନ ପ୍ରାନ୍ତର ଲୋକ ମୁଁ ନିଶ୍ଚିତ ଭାବେ ଆର୍ଥିକ ପୁରସ୍କାର ପାଇବା ଦରକାର ବୋଲି କହିଛନ୍ତି।”

ଭିନେଶଙ୍କ ଏହି ବୟାନ ପରେ ରାଜ୍ୟର କ୍ଷମତାସୀନ ବିଜେପି ସରକାର ଏବେ ତାଙ୍କ ଆଗରେ ୩ଟି ବିକଳ୍ପ ରଖିଛନ୍ତି। ରାଜ୍ୟ କ୍ରୀଡ଼ା ନୀତି ଅନୁସାରେ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ସରକାର ୪ କୋଟି ଟଙ୍କା, ଗୋଟିଏ ପ୍ଲଟ ଓ ଗ୍ରୁପ ଏ ବର୍ଗରେ ଚାକିରି ଦେବାର ପ୍ରାବଧାନ ରହିଛି। ହେଲେ ଭିନେଶ ବିଧାୟକ ହୋଇଥିବାରୁ ୩ଟି ମଧ୍ୟରୁ କେବଳ ଗୋଟିଏର ଫାଇଦା ସରକାରଙ୍କ ଠାରୁ ନେଇ ପାରିବେ ବୋଲି କହିଛନ୍ତି।

Haryana News Vinesh Phogat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe