Advertisment

କେଉଁ ଅନଲାଇନ୍ ଗେମ୍ ବୈଧ?

ଭାରତରେ ଓ ଦେଶର ବିଭିନ୍ନ ରାଜ୍ୟ ଭିତରେ ଭିନ୍ନ ଭିନ୍ନ ଆଇନ ରହିଛି। ଗେମ୍ ଓ ଗାମ୍ବଲିଂ ବା ବେଟିଂ ଭିତରେ ଫରକ ରହିଛି।

author-image
Hemant Lenka
Online

Online

ଆପଣ ଜାଣନ୍ତି କି କେଉଁ ଅନଲାଇନ୍ ଗେମ୍ କେଉଁଠି ଖେଳିବା ଆଇନସମ୍ମତ? କେଉଁଟି କୌଶଳ ବା ବୁଦ୍ଧିର ଖେଳ ଆଉ କେଉଁଟି କେବଳ ଭାଗ୍ୟର ଖେଳ? ଅଥବା କେଉଁଟି କୌଶଳ ଭାଗ୍ୟର ମିଶାମିଶି ଖେଳ? କିଛି ବର୍ଷ ହେଲା ଅନଲାଇନ୍ ଗେମ୍‌ ଖେଳି ଅଳ୍ପ କିଛି ଲୋକ କୋଟିପତି ହୋଇଥିବାବେଳେ ଅଧିକାଂଶ ଲୋକ ସର୍ବସ୍ୱ ହରାଉଥିବା ଦେଖାଯାଉଛି। ଅନଲାଇନ ଗେମରେ କେହି କେହି ଲକ୍ଷାଧିକ ଟଙ୍କା ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ମଧ୍ୟ ନେଉଛନ୍ତି। 

Advertisment

ଏ ନେଇ ପୃଥିବୀ ଓ ଭାରତରେ ଓ ଦେଶର ବିଭିନ୍ନ ରାଜ୍ୟ ଭିତରେ ଭିନ୍ନ ଭିନ୍ନ ଆଇନ ରହିଛି। ଗେମ୍ ଓ ଗାମ୍ବଲିଂ ବା ବେଟିଂ ଭିତରେ ଫରକ ରହିଛି। ୧୮୬୭ରେ ଭାରତରେ ପବ୍ଲିକ୍ ଗାମ୍ବଲିଂ ଆକ୍‌ଟ ତିଆରି କରାଗଲା ବେଳେ ଧାରା-୧୨ରେ କୌଶଳ ବା ବୁଦ୍ଧିର ଖେଳକୁ ଆଇନସମ୍ମତ ରଖାଯାଇଥିଲା। ସେହି ଅନୁସାରେ ଅନେକ ରାଜ୍ୟରେ ଫାଣ୍ଟାସି ସ୍ପୋର୍ଟସ, ରମି, ପୋକର ଭଳି କାର୍ଡ ଖେଳକୁ କୌଶଳର ଖେଳ ବା ଆଇନସମ୍ମତ ଭାବେ ବିବେଚନା କରାଯାଏ।

ମାତ୍ର ସମ୍ବିଧାନର ଧାରା-୭ ଅନୁସାରେ `ଗାମ୍ବଲିଂ ଓ ବେଟିଂ’ ଏକ ରାଜ୍ୟ ପ୍ରସଙ୍ଗ ହୋଇଥିବାରୁ ଓଡ଼ିଶା, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟରେ ଅର୍ଥ ଲାଗିଥିବା ସବୁ ପ୍ରକାର ଖେଳକୁ ଗାମ୍ବଲିଂ ବା ଜୁଆ ଭାବରେ ବିବେଚନା କରାଯାଉଛି। ଓଡ଼ିଶା ସବୁ ପ୍ରକାର ଗାମ୍ବଲିଂକୁ ୧୯୫୫ର ଗାମ୍ବଲିଂ ପ୍ରଭିଭେନସନ୍ ଆକ୍ଟରେ ବେଆଇନ ଘୋଷଣା କରିଛି। ହେଲେ ଏବେ ବି ଗୋଆ ବା ସିକିମରେ କାସିନୋ ଖେଳ ପାଇଁ କିଛି ସଂସ୍ଥାଙ୍କୁ ଲାଇସେନ୍ସ ଦିଆଯାଉଛି।

Advertisment

ବିଶ୍ୱରେ ବ୍ରିଟେନ, କାନାଡ଼ା, ଅଷ୍ଟ୍ରେଲିଆ ଭଳି କିଛି ଦେଶରେ ଏବେ ଅନଲାଇନ ଗେମ ଆଇନ ସମ୍ମତ ରହିଛି। ହେଲେ ଚୀନ, ସାଉଦି ଆରବ ଓ ଦକ୍ଷିଣ କୋରିଆ ଭଳି କିଛି ଦେଶରେ ବେଆଇନ ରହିଛି। ଭାରତରେ ଅଧିକାଂଶ ରାଜ୍ୟରେ ଏବେ ଫାଣ୍ଟାସି ଗେମ୍ ଭଳି କୌଶଳ-ଭିତ୍ତିକ ଅନଲାଇନ୍ ଗେମ୍ ଆଇନସମ୍ମତ ରହିଛି। ମାତ୍ର ଓଡ଼ିଶାରେ ବେଟିଂ ଭଳି ଲାଗୁଥିବା କୌଣସି ଅର୍ଥଭିତ୍ତିକ ଗେମ ଆଇନସମ୍ମତ ନାହିଁ।

ଭାରତର ଅନ୍ୟ କିଛି ରାଜ୍ୟରେ ଅନଲାଇନ ଗେମ୍ କମ୍ପାନୀ ଖୋଲି Dream 11 ଓ My11 Circle ଭଳି ଗେମିଂ ଆପ୍ ଚଳାଇଥିବା ସଂସ୍ଥାର କେୱାଇସି ପ୍ରାୟତଃ ଠିକ୍ ରହିଥିବା ଦେଖାଯାଉଛି। କେୱାଇସି କହିଲେ, ସଂପୃକ୍ତ କମ୍ପାନୀର ସବୁ ତଥ୍ୟ ୱେବସାଇଟ ବା ଆପରେ ରହିଥିବାବେଳେ ଏଥିରୁ ଯେଉଁମାନେ ଖେଳିବା ପରେ କୋଟି କୋଟି ଟଙ୍କା ପୁରସ୍କାର ପାଉଛନ୍ତି, ସେମାନଙ୍କଠାରୁ ଆୟକର ଆଇନ ଅନୁସାରେ ୩୦% ଟିଡିଏସ ବା ଟାକ୍ସ ଡିଡକ୍ଟେଡ୍ ଆଟ୍ ସୋର୍ସ କାଟି ନିଆଯାଇ ସରକାରଙ୍କୁ ଦିଆଯାଉଛି।

ଏହାପରେ କମ୍ପାନୀ ଏଥରୁ ୧୮% ଜିଏସଟି କାଟି ସରକାରଙ୍କୁ ଦେଉଛି। ଉଦାହରଣସ୍ୱରୂପ 3 କୋଟି ଟଙ୍କା ପୁରସ୍କାର ଜିତିଥିବା ଜଣେ ବ୍ୟକ୍ତି ଆକାଉଣ୍ଟରେ ପ୍ରକୃତ ଟଙ୍କା ପାଇଲା ବେଳକୁ ତାହା ପାଖାପାଖି ୧ କୋଟି ୮୦ ଲକ୍ଷ ଟଙ୍କା ଭଳି ହୋଇଯାଉଛି।

ଅନେକ ଅନଇାଇନ୍ ଗେମ୍ ଚଳାଉଥିବା ସଂସ୍ଥାର ବ୍ୟାକସାଇଡ୍ ସଫ୍ଟଓ୍ବେର ସ୍ବଚ୍ଛ ନୁହେଁ, ଏଥିରେ ଗଡ଼ବଡ଼ିର ଆଶଙ୍କା ରହିଥିବା ଅଭିଯୋଗ ଆସୁଛି। କୌଶଳ ଓ ସ୍ବଚ୍ଛତା ବିନା ଅନଲାଇନ ଗେମ୍ ସମାଜରେ ଏକ ବିଷାକ୍ତ ପରିବେଶ ସୃଷ୍ଟି କରୁଛି।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

Online Fraud Online Game Online Gaming Fraud