Advertisment

କାହିଁକି ବିଶ୍ୱ କପ୍‌ରୁ ବାଦ ପଡ଼ିଲା ୱେଷ୍ଟଇଣ୍ଡିଜ?

ବିଶ୍ୱ କ୍ରିକେଟ୍‌ରେ ଏକଦା ରାଜୁତି କରୁଥିବା ଏବଂ ୫୦ ଓଭର ବିଶ୍ୱକପର ପ୍ରଥମ ଦୁଇ ସଂସ୍କରଣକୁ ଅପରାଜେୟ ହୋଇ ଜିତିଥିବା ୱେଷ୍ଟଇଣ୍ଡିଜ୍ ଦଳ ଏଥର ବିଶ୍ୱ କପ ପାଇଁ ଯୋଗ୍ୟତା ହାସଲ କରିପାରିନାହିଁ। ନିକଟରେ ଅନୁଷ୍ଠିତ ହୋଇଥିବା ବିଶ୍ୱ କପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ଅପେକ୍ଷାକୃତ ନବାଗତ ଦଳ ନେଦରଲ୍ୟାଣ୍ଡ ଏବଂ ସ୍କଟଲ୍ୟାଣ୍ଡ ପରି ଦଳଠୁ ପରାଜିତ ହୋଇ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିନାହିଁ।

West Indies Cricket Team

West Indies Cricket Team

Advertisment

ଏହା ଏପରି ଏକ ସତ୍ୟ, ଯାହା ସତରେ କେହି ବିଶ୍ୱାସ କରୁନାହାନ୍ତି। ଏହା ଏପରି ଏକ ବିସ୍ମୟ ଯାହା ଘଟିବ ବୋଲି କେହି ଆଶା କରି ନଥିଲେ ଅଥଚ ଏହା ଏପରି ଏକ ଦୁର୍ଘଟଣା ଯାହା ଦିନେ ନା ଦିନେ ଘଟିବ ବୋଲି ସମସ୍ତେ ଆଶଙ୍କା କରୁଥିଲେ। ଶେଷରେ ସେଇଆ ଘଟିଛି।

Advertisment

ବିଶ୍ୱ କ୍ରିକେଟ୍‌ରେ ଏକଦା ରାଜୁତି କରୁଥିବା ଏବଂ ୫୦ ଓଭର ବିଶ୍ୱକପର ପ୍ରଥମ ଦୁଇ ସଂସ୍କରଣକୁ ଅପରାଜେୟ ହୋଇ ଜିତିଥିବା ୱେଷ୍ଟଇଣ୍ଡିଜ୍ ଦଳ ଏଥର ବିଶ୍ୱ କପ ପାଇଁ ଯୋଗ୍ୟତା ହାସଲ କରିପାରିନାହିଁ। ନିକଟରେ ଅନୁଷ୍ଠିତ ହୋଇଥିବା ବିଶ୍ୱ କପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ଅପେକ୍ଷାକୃତ ନବାଗତ ଦଳ ନେଦରଲ୍ୟାଣ୍ଡ ଏବଂ ସ୍କଟଲ୍ୟାଣ୍ଡ ପରି ଦଳଠୁ ପରାଜିତ ହୋଇ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିନାହିଁ। ଏହା ବିଶ୍ୱର କ୍ରିକେଟପ୍ରେମୀଙ୍କ ମଧ୍ୟରେ ନିରାଶା ଭାବ ଖେଳାଇ ଦେଇଥିବାବେଳେ ୱେଷ୍ଟଇଣ୍ଡିଜ୍ କ୍ରିକେଟରମାନେ ଏବେ ସମାଲୋଚନାର ଶରବ୍ୟ ହେଉଛନ୍ତି।

ଯଦିଓ ଏପରି ପ୍ରଥମ ଥର ପାଇଁ ଘଟୁଛି, ତେବେ ଏହା କେବେ ନା କେବେ ଘଟିବ ବୋଲି କ୍ରୀଡ଼ା ସମୀକ୍ଷକମାନେ ଆଗରୁ ଜାଣିଥିଲେ। କେବଳ ଟି-୨୦ ଫର୍ମାଟକୁ ଛାଡ଼ିଦେଲେ ବାକି ସବୁରେ ୱେଷ୍ଟଇଣ୍ଡିଜ କ୍ରିକେଟ୍ ବେଶ୍ ଅସ୍ଥିର ପ୍ରଦର୍ଶନ ଦେଇ ଆସୁଥିଲା। ଗତ ଦୁଇ ଦଶନ୍ଧି ଧରି ୱେଷ୍ଟ ଇଣ୍ଡିଜ୍‌କୁ ଆଉ କେହି ଶକ୍ତିଶାଳୀ ଟେଷ୍ଟ ଦଳର ମାନ୍ୟତା ଦେଉନଥିଲେ। ଦୁର୍ବଳ ଦଳ ବିପକ୍ଷରେ କାଁ ଭାଁ ସିରିଜ୍ ଜିତିବାକୁ ଛାଡ଼ିଦେଲେ ୱେଷ୍ଟଇଣ୍ଡିଜ୍ ଶକ୍ତିଶାଳୀ ଦଳ ବିପକ୍ଷରେ ନିଜ ଘରୋଇ ମାଟିରେ ଦୁର୍ବଳ ପ୍ରଦର୍ଶନ ଜାରୀ ରଖିଥିଲା। ସମୟକ୍ରମେ କାରବୀୟ ଯୁବଗୋଷ୍ଠୀ କ୍ରିକେଟ୍ ଅପେକ୍ଷା ଆଥଲେଟିକ୍ସ ଆଉ ବାସ୍କେଟବଲକୁ ଅଧିକ ଗୁରୁତ୍ୱ ଦେଉଥିଲେ। କାରଣ ଏହା ଖେଳିବା କମ୍ ସମୟ ଏବଂ କମ ବ୍ୟୟସାପେକ୍ଷ ଥିଲା। ଆଉ ଟେଷ୍ଟ କ୍ରିକେଟରେ ଅବନତି ଅର୍ଥ ଆପଣ ଏକ ଦିବସୀୟ ଫର୍ମାଟ ପାଇଁ ବୈଷୟିକ ଦୃଷ୍ଟିକୋଣରୁ ଶକ୍ତିଶାଳୀ ଥିବା ଖେଳାଳି ପାଇବେ ନାହିଁ। ଯେଉଁ ଦେଶରେ କ୍ରିକେଟର ଦୀର୍ଘ ଫର୍ମାଟ ଯେତେ ଶକ୍ତିଶାଳୀ ସେ ଦେଶରେ କ୍ରିକେଟର ମାନ ସେତେ ଉପରେ। ବୋଧହୁଏ ଏହି କଥାକୁ ୱେଷ୍ଟ ଇଣ୍ଡିଜ ଉପଲବ୍ଧ କରିପାରିନାହିଁ।

Advertisment

୨୦୧୦ ବେଳକୁ ବିଶ୍ୱ କ୍ରିକେଟରେ ଟି-୨୦ ଫର୍ମାଟ ତାହାର ମାୟାଜାଲ ବିଛାଇବାକୁ ଆରମ୍ଭ କଲାଣି। ଏହା ପରେ ପରେ ବିଭିନ୍ନ ଦେଶରେ ଲଗାତାର ଟି-୨୦ ଫର୍ମାଟରେ ଫ୍ରାଂଚାଇଜି ଭିତ୍ତିକ ଲିଗ୍ କ୍ରିକେଟ୍ ଆରମ୍ଭ ହେଲା। ୱେଷ୍ଟ ଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ନିଜ ଦଳର ଖେଳାଳିମାନଙ୍କୁ ଭଲ ପଇସା ଦେଇପାରୁ ନଥବାରୁ ଖେଳାଳିମାନଙ୍କୁ ଏହି ସବୁ ଲିଗରେ ଭାଗ ନେବାକୁ ଛାଡ଼ିବା ପାଇଁ ବାଧ୍ୟ ହେଲେ। ବର୍ଷ ସାରା ବିଭିନ୍ନ ଲିଗ୍‌ରେ ଭାଗନେଉଥିବାରୁ ଖେଳାଳିମାନେ ଆହତ ହେବା ସହ ଆଇସିସି ଇଭେଂଟ ବେଳକୁ କ୍ଲାନ୍ତ ହେବା କିମ୍ବା ନିଜକୁ ମ୍ୟାଚ୍ ଫିଟ୍ ରଖିବା କଷ୍ଟକର ହେଲା। ଏହା ଫଳରେ ପ୍ରମୁଖ ପ୍ରତିଯୋଗୀତା ସମୟରେ ବଡ଼ ନାମୀ ଖେଳାଳି ଟିମରେ ସ୍ଥାନ ପାଇଲେ ନାହିଁ। ଏହା ଯୋଗୁଁ ୱେଷ୍ଟ ଇଣ୍ଡିଜ୍ ଟିମ୍ କ୍ରମାଗତ ଭାବେ ହାରିବାକୁ ଲାଗିଲା।

ପୁଣି ରାଜନୈତିକ ଚାପ ହେଉ କିମ୍ବା ଆର୍ଥିକ କାରଣରୁ ହେଉ ବୋର୍ଡ ଆଉ ଖେଳାଳିମାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଲା। ଖେଳାଳିମାନଙ୍କୁ ପ୍ରତିନିଧିତ୍ୱ କରୁଥିବା କାରଣରୁ ଅନେକ ଖେଳାଳିଙ୍କୁ ଚୟନ ସମୟରେ ବୋର୍ଡ ନଜର ଅନ୍ଦାଜ କରୁଥିଲା। ଏହା ଖେଳାଳିଙ୍କ ମଧ୍ୟରେ ଏକ ଅସୁରକ୍ଷାର ବାତାବରଣ ତିଆରି କଲା। ତେଣୁ ଖେଳାଳିମାନେ ଜାତୀୟ ଦଳ ଅପେକ୍ଷା ନିଜ ନିଜର ଫ୍ରାଂଚାଇଜ୍ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଲେ। ଏହା ୱେଷ୍ଟ ଇଣ୍ଡିଜ୍ କ୍ରିକେଟ୍ ପାଇଁ କାଳ ସାଜିଲା।

ପୁଣି ୱେଷ୍ଟ ଇଣ୍ଡିଜ୍ କ୍ରିକେଟ୍ ଗତ କିଛି ବର୍ଷ ମଧ୍ୟରେ କୋଚ୍ ଏବଂ ଅଧିନାୟକ ବାରମ୍ବାର ପରିବର୍ତ୍ତନ କରିଛି। ଏହା ଦଳ ମଧ୍ୟରେ ସ୍ଥିରତା ଆଣି ଦେଇନାହିଁ। ତୃଣମୂଳ ସ୍ତରରେ ଅନେକ ପ୍ରତିଭାବାନ ଖେଳାଳି ଥିଲେ ବି ସେମାନେ ସିଧାସଳଖ ଜାତୀୟ ଦଳରେ ସ୍ଥାନ ପାଇପାରିନାହାନ୍ତି। ଏଥିପାଇଁ ମଧ୍ୟ ଦଳକୁ ମୂଲ୍ୟଦେବାକୁ ପଡ଼ିଛି।

ଅନିଶ୍ଚିତତାର ଖେଳ ହେଉଛି କ୍ରିକେଟ୍। ୱେଷ୍ଟ ଇଣ୍ଡିଜ୍ ଦଳ ପାଇଁ ଆଜି ଦୁର୍ଦ୍ଦିନ ଆସିଛି ସତ, ହେଲେ ସବୁକିଛି ଶେଷ ହୋଇଯାଇନାହିଁ। କ୍ରିକେଟରେ ମାତ୍ର କିଛି ଓଭର ଭିତରେ ଦଳର ଭାଗ୍ୟ ପରିବର୍ତ୍ତନ ହୋଇଥାଏ। ସେହିପରି ଗୋଟିଏ ଗୋଟିଏ ଦଳର ଭାଗ୍ୟ ବଦଳିବାକୁ ବେଶୀ ସମୟ ଲାଗେ ନାହିଁ। ଅତୀତରେ ଭାରତର ହକି ସହିତ ମଧ୍ୟ ଏପରି ହୋଇଥିଲା। ଏକାଧିକବାର ଅଲମ୍ପିକ୍ସ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତ ଏକଦା ଅଲମ୍ପିକ୍ସ ପାଇଁ କ୍ୱାଲିଫାଏ ମଧ୍ୟ କରିପାରିନଥିଲା। ତେବେ ପରେ ମାତ୍ର କିଛି ବର୍ଷ ଅନ୍ତରରେ ନିଜକୁ ଶକ୍ତିଶାଳୀ କରି ଭାରତ ପୁଣି ଅଲମ୍ପିକ୍ସରେ ବ୍ରୋଂଜ ପଦକ ଜିତିପାରିଥିଲା। ସେହିପରି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ରେ ଯେ ସବୁ କିଛି ସମାପ୍ତ ହୋଇଯାଇଛି ତାହା କହିଲେ ଭୁଲ ହେବ। ଦଳକୁ ଉପଯୁକ୍ତ ଭାବେ ପରିଚାଳନା କରିପାରିଲେ ୱେଷ୍ଟ ଇଣ୍ଡିଜ୍ କ୍ରିକେଟ୍ ପୁଣି ଟ୍ରାକକୁ ଫେରିବ। ଖେଳାଳିଙ୍କୁ ଉତ୍ତମ ପେମେଂଟ, ବିଶ୍ରାମ, ବୋର୍ଡ ଏବଂ ଖେଳାଳିଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ତୃଣମୂଳ ସ୍ତରରେ ବଛାଯାଇଥିବା ପ୍ରତିଭାଙ୍କୁ ଚୟନ ଏବଂ ସେମାନଙ୍କୁ ଜାତୀୟ ଦଳରେ ସାମିଲ କରିପାରିଲେ ୱେଷ୍ଟ ଇଣ୍ଡିଜ୍ ପୁଣି ଥରେ ବିଶ୍ୱ କ୍ରିକେଟକୁ ଚମକାଇ ପାରିବ।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୬୭୧୭୭୬

Cricket West Indies ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe