ଟି-୨୦ କ୍ରିକେଟରେ ଇତିହାସ ରଚିଲା ଜିମ୍ବାୱେ। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ବଡ଼ ସ୍କୋର କରିବାର ରେକର୍ଡ କରିଛି ଜିମ୍ବାୱେ କ୍ରିକେଟ ଦଳ। ଜାମ୍ବିଆ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ ଜିମ୍ବାୱେ ୨୦ ଓଭରରେ ମାତ୍ର ଚାରି ୱିକେଟ୍ ହରାଇ ୩୪୪ ରନର ବିଶାଳ ସ୍କୋର କରିଛି, ଯାହା ଟି-୨୦ କ୍ରିକେଟ ଇତିହାସରେ ପୂର୍ବରୁ କେବେ ହୋଇନଥିଲା।
ନେପାଳକୁ ପଛରେ ପକାଇଲା ଜିମ୍ବାୱେ
ଜିମ୍ବାୱେ ଏବଂ ଜାମ୍ବିଆ ମଧ୍ୟରେ ହୋଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୪୪ ରନ୍ ସଂଗ୍ରହ କରିଥିଲା। ଏହା ପୂର୍ବରୁ, ଟି-୨୦ ଇତିହାସରେ ୩୦୦ରୁ ଅଧିକ ସ୍କୋର କେବଳ ଥରେ ହୋଇଥିଲା। ୨୦୨୩ ମସିହାରେ ମଙ୍ଗୋଲିଆ ବିପକ୍ଷରେ ନେପାଳ କ୍ରିକେଟ ଦଳ ୩୧୪ ରନ୍ ସଂଗ୍ରହ କରିଥିଲା। ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ଏହି ରେକର୍ଡ ହୁଏତ ଆଉ କେବେ ଭାଙ୍ଗି ନପାରେ, କିନ୍ତୁ ବର୍ତ୍ତମାନ ଏହା ମଧ୍ୟ ଅତୀତ ହୋଇଯାଇଛି।
ଜିମ୍ବାୱେ ୩୪୪ ସ୍କୋର କରି ନେପାଳକୁ ପଛରେ ପକାଇଛି। ଯଦି ଆମେ ପ୍ରତିଷ୍ଠିତ ଟେଷ୍ଟ ଖେଳୁଥିବା ଦେଶ ବିଷୟରେ କଥା ହେବା, ତେବେ ଏହି ତାଲିକାରେ ପ୍ରଥମେ ଭାରତର ନାଁ ଆସିବ। କିଛିଦିନ ପୂର୍ବରୁ ବାଂଲାଦେଶ ବିପକ୍ଷରେ 6 ୱିକେଟ୍ ହରାଇ ୨୯୭ ରନ୍ ସ୍କୋର କରିଥିଲା ଟିମ୍ ଇଣ୍ଡିଆ।
ସିକନ୍ଦର ରାଜାଙ୍କ ବିସ୍ଫୋରକ ଶତକ
ଜିମ୍ବାୱେର ଏହି ଅବିଶ୍ୱସନୀୟ ରେକର୍ଡ ପଛରେ ଅଧିନାୟକ ସିକନ୍ଦର ରାଜାଙ୍କ ବିସ୍ଫୋରକ ଶତକୀୟ ପାଳି ସାମିଲ ରହିଛି। କେବଳ ୩୩ ବଲରୁ ଶତକ ହାସଲ କରିଥିବା ରାଜା ମାତ୍ର ୪୩ ବଲରେ ୧୩୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ପାଳିରେ ସେ ୧୫ ଛକା ଓ ୭ ଚୌକା ମାରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏହା ସହିତ ଗୋଟିଏ ଟି-୨୦ ମ୍ୟାଚରେ ସର୍ବାଧିକ ଛକା ମାରିଥିବା ବ୍ୟାଟରଙ୍କ ତାଲିକାରେ ସଂଯୁକ୍ତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ରାଜା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।