
Odisha pavilion at AI Summit 2026
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃ୍ତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଦେଶର ପରବର୍ତ୍ତୀ ଏଆଇ ପାୱାରହାଉସ୍ ଭାବେ ନିଜକୁ ଉପସ୍ଥାପିତ କରିଛି ଓଡ଼ିଶା। ଏନେଇ ରାଜ୍ୟ ସରକାର ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ଅନୁଷ୍ଠିତ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ-୨୦୨୬’ରେ ଓଡ଼ିଶା ଏଆଇ କ୍ଷେତ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଏହି ରୋଡମ୍ୟାପ୍ ସମ୍ପର୍କରେ ସୂଚନା ଦେଇଛି ।
ଏଆଇ(AI)କୁ ଏକ ମୌଳିକ ସେବା ଭାବରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ପ୍ରଯୁକ୍ତିବିଦ୍ୟାର ଉପଯୋଗ ଓ ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ଏହାର ସୁଫଳ ପହଂଚାଇବାକୁ ନିଜର ରୋଡମ୍ୟାପରେ ଗୁରୁତ୍ୱ ଦେଇଛନ୍ତି । ଏହି ପଦକ୍ଷେପ ଜରିଆରେ ଡିଜିଟାଲ ବିପ୍ଳବର ଲାଭ ପ୍ରତ୍ୟେକ ନାଗରିକଙ୍କ ପାଖରେ ବିଶେଷକରି ଗ୍ରାମାଂଚଳ, ଆଦିବାସୀ ଅଧ୍ୟୁଷ୍ୟିତ ଅଞ୍ଚଳ ଓ ସ୍ୱଳ୍ପ ପାଠ ପଢ଼ିଥିବା ସଂପ୍ରଦାୟ ପାଖରେ ପହଞ୍ôଚିପାରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି ।
ବିଶ୍ୱସ୍ତରୀୟ ସହଯୋଗ ପାଇଁ ଓଡ଼ିଶା ପ୍ରସ୍ତୁତ : ଆଇଟି ସଚିବ
ଓଡ଼ିଶା ପାଭିଲିୟନରେ ଗଣମାଧ୍ୟମ(AI summit India news)କୁ ସମ୍ବୋଧିତ କରି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଳ କୁମାର ଦେବ କହିଛନ୍ତି ଯେ, ଓଡ଼ିଶା ଏବେ ପ୍ରଯୁକ୍ତିବିଦ୍ୟା ବ୍ୟବହାରକାରୀରୁ ‘ପ୍ରଯୁକ୍ତିବିଦ୍ୟା ସ୍ରଷ୍ଟା’ ଭାବେ ଉଭା ହେଉଛି ଓ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ସ୍ପଷ୍ଟ ପ୍ରଶାସନ, ସ୍ୱତନ୍ତ୍ର ବଜେଟ୍ ଓ କାର୍ଯ୍ୟକାରୀ ଢ଼ାଂଚା ମାଧ୍ୟମରେ ଓଡ଼ିଶାରେ ଆମେ ଏଆଇକୁ ଏକ ସଂସ୍ଥାଗତ ରୂପ ଦେଉଛୁ। ଓଡ଼ିଶା ଏବେ କେବଳ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରୁଥିବା ରାଜ୍ୟରୁ ବାହାରି ନିଜେ ପ୍ରଯୁକ୍ତିବିଦ୍ୟା ତିଆରି କରୁଥିବା ରାଜ୍ୟ ଭାବେ ଉଭା ହେଉଛି । ଶିଳ୍ପ ଜଗତ, ଷ୍ଟାର୍ଟଅପ୍ ଓ ବିଶ୍ୱସ୍ତରୀୟ ସହଭାଗୀମାନଙ୍କ ସହ ମିଶି ଏହାକୁ ଦାୟିତ୍ୱର ସହ ବ୍ୟାପକ କରିବା ପାଇଁ ଓଡ଼ିଶା ସଂପୂର୍ଣ୍ଣ ପ୍ରସ୍ତୁତ।
ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ବିପର୍ଯ୍ୟୟ ପରିଚାଳନା ଓ ଗଭର୍ଣ୍ଣାନ୍ସ ପରି ୫ଟି ପ୍ରାଥମିକ କ୍ଷେତ୍ର ଉପରେ ଏହି ରୋଡମ୍ୟାପ୍ ପର୍ଯ୍ୟବସିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ଏଥିପାଇଁ ‘ଓଡ଼ିଶା ଏଆଇ ମିଶନ’ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ଓ ଏଆଇକୋଷରେ ୧୬୦୦ରୁ ଅଧିକ ଓଡ଼ିଆ ସାହିତ୍ୟିକ ତଥ୍ୟ ସାମିଲ କରାଯାଇଛି ଯାହା ଆଗାମୀ ଦିନରେ ଓଡ଼ିଆ ମାତୃଭାଷାରେ ଡିଜିଟାଲ ସେବାକୁ ଅଧିକ ସହଜ କରିବ । ‘ଡିଜିଟାଲ୍ ଓଡ଼ିଶା ଭିଜନ-୨୦୪୭'କୁ ଦୃଷ୍ଟିରେ ରଖି ଓଡ଼ିଶା ଏବେ ଦେଶର ଏକ ପ୍ରମୁଖ ଡାଟା ସେଂଟର ଓ ଆଇଟି ହବ୍ ଭାବେ ଉଭା ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି।
ଏଆଇ ରୋଡମ୍ୟାପ୍ ଓ ସରକାରଙ୍କ ଲକ୍ଷ୍ୟ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମତରେ ଓଡ଼ିଶା କେବଳ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ମଡେଲରେ ସୀମିତ ରହିବ ନାହିଁ, ବରଂ ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ସାଜିବ ଓ ଏଆଇ ମାଧ୍ୟମରେ ପ୍ରଶାସନ ଓ ଜନସେବାରେ ନୂଆ ମାନଦଣ୍ଡ ସ୍ଥାପନ କରିବ। ଓଡ଼ିଶା ଏବେ ଏଆଇ ପରୀକ୍ଷଣରୁ ବାହାରି ଏହାକୁ ବ୍ୟାପକ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମତ ରଖିଛନ୍ତି।
ସେହିପରି ଆଇଟି ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ମତରେ ଓଡ଼ିଶାର ଏଆଇ ଯାତ୍ରା କେବଳ ପରୀକ୍ଷାନିରୀକ୍ଷା ପାଇଁ ନୁହେଁ, ବରଂ ଏହା ପ୍ରଭାବ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ । ସରକାରଙ୍କ ମୁଖ୍ୟ ଫୋକସ୍ ହେଉଛି ସାଧାରଣ ସେବା ପ୍ରଦାନକୁ ଶକ୍ତିଶାଳୀ କରିବା, ନାଗରିକମାନଙ୍କୁ ସଶକ୍ତ କରିବା ଓ ନିଜସ୍ୱ ଡିଜିଟାଲ କ୍ଷମତା ବୃଦ୍ଧି କରିବା । ଆମେ ଏଭଳି ଏକ ଇକୋସିଷ୍ଟମ ପ୍ରସ୍ତୁତ କରୁଛୁ ଯେଉଁଠି ନବସୃଜନ, ଗଭର୍ଣ୍ଣାନ୍ସ ଓ ସମସ୍ତଙ୍କର ଅନ୍ତର୍ଭୁକ୍ତିକରଣକୁ ଏକାଠି କରି ଆଗକୁ ବଢ଼ିବୁ ବୋଲି ସେ ମତ ରଖିଛନ୍ତି ।
ରାଜ୍ୟରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ‘ସୋଭେରିନ୍ ଏଆଇ ହବ୍’
ଓଡ଼ିଶା ଏବେ କେବଳ ଭାରତର ଷ୍ଟିଲ ପାୱାରହାଉସ୍ ହୋଇ ରହିନାହିଁ, ଏହା ଏକ ବିଶାଳ ବୈଷୟିକ ଶକ୍ତି କେନ୍ଦ୍ର ଭାବେ ଉଭା ହେଇଛି। ରାଜ୍ୟ ସରକାର ଏବେ ଖଣି ଓ ଖଣିଜଭିତ୍ତିକ ଅର୍ଥନୀତିରୁ ବାହାରି ଏକ ପ୍ରଯୁକ୍ତିବିଦ୍ୟାଚାଳିତ ଅଭିବୃଦ୍ଧି ମଡେଲ ଆପଣେଇଛନ୍ତି। ଏହି କ୍ରମରେ ଓଡ଼ିଶା ନିଜକୁ ଦେଶର ପରବର୍ତ୍ତୀ ଏଆଇ ପାୱାରହାଉସ୍ ଭାବେ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଛି।
ଗତ ସପ୍ତାହରେ ଭୁବନେଶ୍ୱରରେ ଅନୁଷ୍ଠିତ ବ୍ଲାକସ୍ୱାନ୍ ସମ୍ମିଳନୀରେ ଓଡ଼ିଶାକୁ ଏକ ବୃହତ୍ ସଫଳତା ମିଳିଛି । ଓଡ଼ିଶା ଇତିହାସରେ ସବୁଠୁ ବଡ଼ ଟେକ୍ ଡିଲ୍ ଭାବେ ୨୦ହଜାର କୋଟି ଟଙ୍କା ବ୍ୟୟରେ ଦେଶର ପ୍ରଥମ ‘ସୋଭେରିନ୍ ଏଆଇ ହବ୍’ ସ୍ଥାପନ ହେବ। ଏଥିପାଇଁ ଓଡ଼ିଶା ସରକାର ଓ ବାଙ୍ଗାଲୋରସ୍ଥିତ ଏଆଇ କମ୍ପାନୀ ‘ସର୍ଭମ ଏଆଇ’ ମଧ୍ୟରେ ଏହି ୨.୩ ବିଲିୟନ ଡଲାର ବା ପ୍ରାୟ ୨୦ହଜାର କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଭିତ୍ତିଭୂମି ପ୍ରତିରକ୍ଷା ଟେକ୍ନୋଲୋଜି, ମହାକାଶ ଗବେଷଣା ଓ ଏଆଇ ଷ୍ଟାର୍ଟଅପକୁ ସହାୟତା କରିବ। ଏହି ଏମଓୟୁ ଫଳରେ ଓଡ଼ିଶାରେ ୨୫ହଜାର ଜିପିୟୁ କ୍ଷମତାବିଶିଷ୍ଟ ଏକ ଅତ୍ୟାଧୁନିକ କମ୍ପୁଟ୍ କ୍ଲଷ୍ଟର ସ୍ଥାପନ ହେବାକୁ ଯାଉଛି, ଯାହା ଭାରତର ନିଜସ୍ୱ ଏଆଇ କ୍ଷମତାକୁ ବଢ଼ାଇବାରେ ସହାୟକ ହେବ। ବ୍ଲାକ୍ ସ୍ୱାନ ସମ୍ମିଳନୀରେ ହୋଇଥିବା ଏହି ଏମଓୟୁ ଓଡ଼ିଶାକୁ ଦେଶର ଏଆଇ ମାନଚିତ୍ରରେ ଏକ ଶକ୍ତିଶାଳୀ ସ୍ଥାନ ଦେଇଛି।
ଏଥିପାଇଁ ରାଜ୍ୟ ସରକାର ଅତ୍ୟଧିକ ଆକର୍ଷଣୀୟ ନୀତି ଘୋଷଣା କରିଛନ୍ତି, ଯେଉଁଥିରେ ୨୦% କ୍ୟାପିଟାଲ୍ ସବସିଡି, ୧୦୦% ଷ୍ଟାମ୍ପ ଡ୍ୟୁଟି ଓ ଇଲେକ୍ଟ୍ରିସିଟି ଡ୍ୟୁଟି ଛାଡ଼ ସହିତ ୭ ବର୍ଷ ପାଇଁ ୧୦୦% ଏସଜିଏସଟି ରିଫଣ୍ଡ୍ ବ୍ୟବସ୍ଥା ରହିଛି। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ପ୍ରାୟ ୫ହଜାର ଉଚ୍ଚଦକ୍ଷତା ସମନ୍ନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
