ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଆସିବା ଦିନରୁ ମଣିଷର ନିଯୁକ୍ତି ହ୍ରାସକୁ ନେଇ ଚର୍ଚ୍ଚା ହେଉଛି। ଏହି କୃତ୍ରିମ ଉଦ୍ଭାବନ ମାନବର ଉଭୟ ଶାରୀରିକ ଏବଂ ସୃଜନାତ୍ମକ ଆବଶ୍ୟକତାକୁ ପୂରଣ କରିପାରିବାର କ୍ଷମତା ରଖିଛି। ଆଉ ଏହି କ୍ଷମତା ଯେ ଧୀରେ ଧୀରେ ମଣିଷର ବୃତ୍ତି ଛଡ଼ାଇ ନେବ ତା'ର ଆଶଙ୍କା କରାଯାଉଥିଲା। ବର୍ତ୍ତମାନ ଏହି ଆଶଙ୍କା ସତ ସାବ୍ୟସ୍ତ ହୋଇଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ନିର୍ମିତ ଚାଟ୍ ଜିପିଟି ଏବେ ଜଣେ କପି ରାଇଟରଙ୍କ ଚାକିରି ଛଡ଼ାଇ ନେଇଛି।
କୋଲକାତାର ୨୨ ବର୍ଷୀୟା ଶରଣ୍ୟା ଭଟ୍ଟାଚାର୍ଯ୍ୟ। ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚରେ ଜୈବ ବିଜ୍ଞାନ ବିଭାଗର ଛାତ୍ରୀ। ଅଧ୍ୟୟନ ସାଙ୍ଗକୁ ଶରଣ୍ୟା ଏକ ସୃଜନଶୀଳ(କ୍ରିଏଟିଭ୍) ଏଜେନ୍ସି ପାଇଁ କପି ରାଇଟର୍ ଏବଂ ଉପସ୍ଥାପକ ପାଇଁ ସ୍କ୍ରିପ୍ଟ ଲେଖକ ଭାବରେ କାମ କରୁଥିଲେ। ଏହି କାମ କରି ସେ ତାଙ୍କ ପଢ଼ା ସାଙ୍ଗକୁ ମାସକୁ ୨୦ ହଜାର ଟଙ୍କା ରୋଜଗାର କରିପାରୁଥିଲେ। ଶରଣ୍ୟାଙ୍କ ରୋଜଗାର ମଧ୍ୟ ପରିବାର ପାଇଁ ବେଶ୍ ଆବଶ୍ୟକ ଥିଲା। କାରଣ ଘର ଚଳାଇବା ପାଇଁ ତାଙ୍କ ମାଆ ଶାଢ଼ୀ ବ୍ୟବସାୟ କରୁଥିଲେ। କିନ୍ତୁ ଯେତେବେଳେ ଚାଟ୍ ଜିପିଟି ବୈଷୟିକ କ୍ଷେତ୍ରରେ ପ୍ରବେଶ କଲା, ଶରଣ୍ୟାଙ୍କ କର୍ମକ୍ଷେତ୍ର ପ୍ରଭାବିତ ହେଲା।
୨୦୨୨ ଶେଷ ସୁଦ୍ଧା, ଶରଣ୍ୟାଙ୍କ କାର୍ଯ୍ୟଭାର ଦ୍ରୁତ ଗତିରେ ହ୍ରାସ ପାଇଲା। ଏହା ଆସିବା ପରେ ସପ୍ତାହକୁ ସେ ଯେତିକି କାମ କରୁଥିଲେ ମାସକୁ ତାଠୁ ଆହୁରି କମ୍ କାମ ମିଳିଲା। କାରଣ କମ୍ପାନୀର ଆବଶ୍ୟକତାକୁ ପୂରଣ କରି ଦେଉଥିଲା ଚାଟ୍ ଜିପିଟି। ସହଜ ଏବଂ ଶୀଘ୍ର କାମ ହେଉଥିବା କାରଣରୁ କମ୍ପାନୀ ମଧ୍ୟ ଚାଟ୍ ଜିପିଟିକୁ ଭରସାଯୋଗ୍ୟ ଭାବେ ଗ୍ରହଣ କରିସାରିଥିଲେ। ଏହାର ପ୍ରଭାବ ସିଧାସଳଖ ଶରଣ୍ୟାଙ୍କ ରୋଜଗାର ଉପରେ ପଡ଼ିଲା। ତାଙ୍କ ରୋଜଗାର ୯୦ ପ୍ରତିଶତ ହ୍ରାସ ଘଟିଲା। ଫଳରେ ପରିବାରର ଆର୍ଥିକ ସଙ୍କଟ ବୃଦ୍ଧି ପାଇଲା। ଏହି କାରଣରୁ ଶରଣ୍ୟାଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ିଗଲା। ସେ ସବୁବେଳେ ଚିନ୍ତାରେ ରହିବାକୁ ଲାଗିଲେ।
ଏସବୁ ପରିସ୍ଥିତିରେ ଶରଣ୍ୟା କହିଛନ୍ତି ଯେ, 'କମ୍ପାନୀମାନଙ୍କୁ ଏଆଇ ଗ୍ରହଣ କରିବା ପୂର୍ବରୁ କର୍ମଜୀବୀଙ୍କ ବାବଦରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଭବିଷ୍ୟତରେ ମାନବ ଏବଂ ଏଆଇ ଭଲ ଫଳାଫଳ ପାଇବା ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ ଉପାୟରେ କାର୍ଯ୍ୟ କରାଯାଇପାରିବ। ମାନବ ସୃଜନଶୀଳତା ଏବଂ ଦକ୍ଷତାକୁ ଏଆଇ କିପରି ସହାୟକ ହେବ ସେ ଦିଗରେ କାର୍ଯ୍ୟ କରିବା ଉଚିତ୍।'
ଶରଣ୍ୟାଙ୍କ କାହାଣୀ ନିଶ୍ଚିତ ରୂପେ ଅନ୍ୟମାନଙ୍କ ପାଇଁ ସଙ୍କେତ ସ୍ୱରୂପ। କାରଣ ଏଆଇ ବିଶ୍ୱବ୍ୟାପୀ ଏକ ବିପ୍ଳବ ହୋଇସାରିଲାଣି। ସବୁ ପରେ ବି ଏହା ମନେ ରଖିବା ଜରୁରୀ ଯେ, ପ୍ରତ୍ୟେକ ପ୍ରଯୁକ୍ତିବିଦ୍ୟା ପଛରେ ମନୁଷ୍ୟର ହାତ ରହିଛି। କମ୍ପ୍ୟୁଟର ଯେତେ ଶକ୍ତିଶାଳୀ ହେଲେ ବି ତାକୁ ଚଳାଇବା ପାଇଁ ଜଣେ ମଣିଷ ଆବଶ୍ୟକ।