Beta
ବେଟା ଟେକ୍ନୋଲଜିସର ଆଲିଆ ସିଏକ୍ସ ୩୦୦ ବିଶ୍ୱର ପ୍ରଥମ ସଂପୂର୍ଣ୍ଣ ବିଦ୍ୟୁତ ଚାଳିତ ଯାତ୍ରୀବାହୀ ବିମାନ ହୋଇପାରିଛି। ବେସାମାରିକ ବିମାନ ଚଳାଚଳ ଇତିହାସରେ ଏହା ପ୍ରଥମଥର ପାଇଁ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିବାକୁ ସକ୍ଷମ ହୋଇଛି। ବିମାନଟି ଆମେରିକାର ପୂର୍ବ ହାମ୍ପଟନରୁ ଜନ ଏଫ କେନେଡି ଏୟାରପୋର୍ଟ ଯାଏ ବେଶ ସଫଳତାର ସହ ଉଡ଼ାଣ ଭରିଛି। ବିମାନରେ ୪ ଜଣ ଯାତ୍ରୀ ରହିଥିବା ବେଳେ ଏହା ମାତ୍ର ୩୦ ମିନିଟରେ ୧୩୦ କିମି ରାସ୍ତା ଅତିକ୍ରମ କରିଛି।
୧୩୦ କିମି ପାଇଁ ବିମାନର ଖର୍ଚ୍ଚ ଥିଲା ମାତ୍ର ୮ ଡଲାର ବା ୬୯୪ ଟଙ୍କା। ସମାନ ରାସ୍ତା ପାଇଁ ଯଦି ହେଲିକପ୍ଟରର ବ୍ୟବହାର କରାଯାଇ ଥାଆନ୍ତା, ତା’ହେଲେ ଇନ୍ଧନ ଖର୍ଚ୍ଚ ବାବଦରେ ୧୬୦ ଡଲାର ବା ୧୩,୮୮୫ ଟଙ୍କା ଦେବାକୁ ପଡ଼ିଥାଆନ୍ତା। ଅତିରିକ୍ତ ଭାବେ ବିମାନରେ ବସିଥିବା ଯାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନାହାନ୍ତି। ବିନା କୌଣସି ଇଞ୍ଜିନ ଶବ୍ଦରେ ସେମାନେ ହସଖୁସିରେ ପରସ୍ପର ସହ କଥା ହେବାକୁ ମଧ୍ୟ ସକ୍ଷମ ହୋଇଛନ୍ତି।
ବେଟା ଟେକ୍ନୋଲୋଜିସର ପ୍ରତିଷ୍ଠାତା ତଥା ସିଇଓ କାୟଲ କ୍ଲାର୍କ କହିଛନ୍ତି, “ଏହା ୧୦୦% ବିଦ୍ୟୁତ ଚାଳିତ ବିମାନ। ଏହା ଯାତ୍ରୀଙ୍କୁ ଧରି ପୂର୍ବ ହାମ୍ପଟନରୁ ଜେଏଫକେ ଏୟାରପୋର୍ଟକୁ ଉଡ଼ାଣ ଭରିଥିଲା। ନ୍ୟୁୟର୍କ ପୋର୍ଟ ପ୍ରାଧିକରଣ ଓ ନ୍ୟୁୟର୍କ ଅଞ୍ଚଳରେ ଏପରି ବିଦ୍ୟୁତ ଚାଳିତ ଯାତ୍ରୀବାହୀ ବିମାନର ଉଡ଼ାଣ ପ୍ରଥମ ଘଟଣା। ଆମେ ପ୍ରାୟ ୩୦ ମିନିଟ ସମୟରେ ୧୩୦ କିମି ବାଟ ଅତିକ୍ରମ କରିଥିଲୁ। ଚାର୍ଜିଂ ଠାରୁ ଆରମ୍ଭ କରି ଉଡ଼ାଣ ପାଇଁ ଆମକୁ ୮ ଡଲାର ଖର୍ଚ୍ଚ କରିବାକୁ ପଡ଼ିଛି। ଅବଶ୍ୟ ପାଇଲଟ ଓ ବିମାନ ପାଇଁ ମଧ୍ୟ ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ଅନ୍ୟ ହେଲିକପ୍ଟରଗୁଡ଼ିକ ତୁଳନାରେ ଏହା ବହୁତ ଶସ୍ତା।”
୨୦୧୭ରେ ବେଟା ଟେକ୍ନୋଲୋଜିସ ପ୍ରତିଷ୍ଠା ହୋଇଥିଲା। କମ୍ପାନୀ ନିକଟରେ ୩୧୮ ମିଲିୟନ ଡଲାରର ପାଣ୍ଠି ଯୋଗାଡ଼ କରି ନିଜର ବୈଦ୍ୟୁତିକ ବିମାନର ଉତ୍ପାଦନ, ପ୍ରମାଣପତ୍ର ଓ ବ୍ୟବସାୟିକରଣ ପାଇଁ ଲାଗି ପଡ଼ିଛି। ବିଗତ ୬ ବର୍ଷ ଧରି କମ୍ପାନୀ ସିଏକ୍ସ୩୦୦ ମଡେଲ ଓ ଏହାର ଆଲିଆ ୨୫୦ ଇଭିଟିଓଏଲ ମଡେଲର ସୁରକ୍ଷିତ ଉଡ଼ାଣ ଓ ଅବତରଣ ଉପରେ କାମ କରୁଛି।
ଏବେ କମ୍ପାନୀ ସୁରକ୍ଷିତ ଭାବେ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିଛି। ତେଣୁ ଫେଡରାଲ ଆଭିଏସନ ଆଡମିନଷ୍ଟ୍ରେସନ ପକ୍ଷରୁ ଚଳିତ ବର୍ଷ ଶେଷ ସୁଦ୍ଧା କମ୍ପାନୀକୁ ସେବା ଯୋଗାଇ ପାଇଁ ଅନୁମିତ ମିଳିବ ବୋଲତ ରିପୋର୍ଟ ପ୍ରକାଶ ପାଇଛି।
ଗୋଟିଏ ଥର ଚାର୍ଜ କରି ବିମାନରେ କେମିତି ୪୬୩ କିମି ଯାଏ ଯାତ୍ରା କରି ହେବ, ତା’ ଉପରେ କମ୍ପାନୀ କାମ କରୁଛି। ଲୋକମାନେ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଯିବା ପାଇଁ ହେଲିକପ୍ଟର ବ୍ୟବହାର କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ତେଣୁ ବେଟା କମ ଖର୍ଚ୍ଚରେ ଉତ୍ତମ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Beta_1750678611.jpg)