Advertisment

ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ

ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।

author-image
Debadatta Aryashrestha
Alexa launches Diwali Rocket

Alexa launches Diwali Rocket

ଦେଶରେ ଏବେ ଦୀପାବଳିର ମାହୋଲ। କିଏ କେତେ ପ୍ରକାର ବାଣ ଫୁଟାଇ ଏହାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରୁଛନ୍ତି। ହେଲେ ଓଡ଼ିଶାର ଜଣେ ଯୁବକ ଭିନ୍ନ ଏକ ଶୈଳୀରେ ବାଣ ଫୁଟାଇ ଏବେ ସାରା ଦେଶରେ ଚର୍ଚ୍ଚାରେ। ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଦୀପାବଳି ପୂର୍ବରୁ ରକେଟ୍ ବାଣ ଉଡ଼ାଇଥିବା ଏହି ଓଡ଼ିଆ ଯୁବକ ଜଣକ ହେଉଛନ୍ତି କେ.ମଣିକାନ୍ତ।

Advertisment

ମଣିକାନ୍ତଙ୍କ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ସେ କିପରି ନିଜେ ବାଣ ପାଖକୁ ନଯାଇ 'AI' ବ୍ୟବହାର କରି ବାଣ ଫୁଟାଇବାର ମଜା ନେଉଛନ୍ତି। ଏହି ଭିଡଓରେ ସେ ଆଲେକ୍ସା ଡିଭାଇସକୁ ନିର୍ଦ୍ଦେଶ ଦେଉଛନ୍ତି ରକେଟ୍ ବାଣ ଚଳାଇବାକୁ। ଏହାପରେ ଆଲେକ୍ସା ଡିଭାଇସ ମଧ୍ୟ ସେହି ନିର୍ଦ୍ଦେଶକୁ ଅନୁସରଣ କରି ପ୍ରତ୍ୟୁତ୍ତର ଦେବା ପରେ ରକେଟ ବାଣ ଉଡ଼ାଉଛି। ଇନଷ୍ଟାଗ୍ରାମରେ 23 ମିଲିୟନରୁ ଅଧିକ ଲୋକ ଦେଖିଥିବା ଏହି ଭିଡିଓ ଗତ ସପ୍ତାହରେ 'manisprojectslab' ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରିଥିଲେ ମଣିକାନ୍ତ। ଏହି ଭିଡିଓ ଦେଖି ଲୋକଙ୍କ ମନରେ ପ୍ରଶ୍ନ ନିଶ୍ଚିତ ଆସୁଥିବ ଯେ ଏସବୁ କିପରି ସମ୍ଭବ? କେବଳ ଏକ ଯନ୍ତ୍ର କାହା କଥା ଶୁଣି ବାଣ କିପରି ଫୁଟାଇ ପାରିବ?

Advertisment

ମଣିକାନ୍ତଙ୍କ ଏହି ଭିଡିଓରେ ବହୁ ସୋଶାଲ ମିଡିଆ ବ୍ୟବହାରକାରୀ ଏହି କୌଶଳ ଜାଣିବା ପାଇଁ ଆଗ୍ରହ ଦେଖାଇଥିଲେ। କିପରି ଏହି କୌଶଳ ସେ ପ୍ରସ୍ତୁତ କରିଛନ୍ତି ତାହା ପଚାରିଥିଲେ ନେଟିଜେନ୍ସ। ଏହାପରେ ନିଜ ୟୁଟ୍ୟୁବ୍ ଚ୍ୟାନେଲ 'Projects With Mani'ରେ ଏକ ଭିଡିଓ ପୋଷ୍ଟ କରି ଏହାକୁ ତିଆରି କରିବାର କୌଶଳ ବିଷୟରେ କହିଛନ୍ତି ମଣିକାନ୍ତ। ଆଲେକ୍ସା ମାଧ୍ୟମରେ ଭଏସ୍ କଣ୍ଟ୍ରୋଲ୍ ହୋଇଥାଏ। ଏହା ସହିତ ଆପଣ ଦେଉଥିବା ନିର୍ଦ୍ଦେଶ ଏକ ଉତ୍ତାପ ସୃଷ୍ଟି କରେ, ଯାହା ଏହି କୌଶଳ ବ୍ୟବହାର କରି ନିଆଁରେ ପରିଣତ ହୋଇପାରିବ ବୋଲି କହିଛନ୍ତି ମଣିକାନ୍ତ। ମଣିକାନ୍ତଙ୍କ ଏହି କୌଶଳକୁ ନିଜେ ଆମାଜନ ଇଣ୍ଡିଆ ମଧ୍ୟ ପ୍ରଶଂସା କରିଛି।

Amazon Alexa Alexa Launches Diwali Rocket