କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

  • Published: Thursday, 09 January 2025
  • , Updated: 09 January 2025, 07:35 PM IST

ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଆଇଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ କରିବା ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି । ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି । ଆଜି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ଏହାସହିତ ଓଡ଼ିଶାରେ ଏବେ ୭୦ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପ ନିର୍ମାଣାଧୀନ ରହିଥିବା ମଧ୍ୟ ସୂଚନା ଦେଇଛନ୍ତି ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ସହ ଓଡ଼ିଶାରେ ରେଳବାଇ ଓ ଆଇଟି କ୍ଷେତ୍ରରେ ବିକାଶ ଦିଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାକୁ ମେଗା ଆଇଟି ହବରେ ପରିଣତ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି । ଓଡ଼ିଶାରେ ଆଇଟି ଷ୍ଟାର୍ଟଅପର ବିକାଶ ପାଇଁ ୪ଟି ବୈଷୟିକ ଅନୁଷ୍ଠାନରେ ‘ଚିପ୍ ଟୁ ଷ୍ଟାର୍ଟଅପ୍‌’କାର୍ଯ୍ୟକ୍ରମ କରାଯାଉଛି । ଏହି ଅନୁଷ୍ଠାନଗୁଡ଼ିକ ହେଉଛି- ଆଇଆଇଟି ଭୁବନେଶ୍ୱର, ଏନଆଇଟି ରାଉରକେଲା, ଆଆଇଆଇଟି ଭୁବନେଶ୍ୱର ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ବ୍ରହ୍ମପୁର ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ।

ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଆଇଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ପାଇଁ ଜମି ସହିତ ଅନ୍ୟାନ୍ୟ ସବୁପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ସେମି କଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି । ଓଡ଼ିଶାରେ ଯେପରି ଅଧିକରୁ ଅଧିକ ଆଇଟି କମ୍ପାନୀ ପୁଞ୍ଜିବିନିଯୋଗ କରିବେ ସେଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସହଯୋଗ ଲୋଡ଼ିଛନ୍ତି । ଓଡ଼ିଶାରୁ ଅଧିକ ଲୋକ ମହାକୁମ୍ଭ ମେଳା-୨୦୨୫ ଦେଖିବାକୁ ଯିବା ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସବୁପ୍ରକାରର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଆଲୋଚନାବେଳେ ଓଡ଼ିଶାରେ ଏବେ ୪୮ଟି ନୂଆ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି ଓ ଏଥିରେ ୭୩୭୨୩କୋଟି ଟଙ୍କା ବିନିଯୋଗ କରାଯାଉଥିବା କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଥିଲେ । ଏବେ ନିକଟରେ କେନ୍ଦ୍ର କ୍ୟାବିନେଟ୍ ଆଉ ୮ଟି ନୂଆ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି । ଆସନ୍ତା ୫ବର୍ଷ ମଧ୍ୟରେ ଓଡ଼ିଶାରେ ଆହୁରି ଅନେକ ନୂଆ ରେଳପ୍ରକଳ୍ପ ହାତକୁ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେବା ସହ ୨୦୧୪ରୁ ୨୦୨୪ ମସିହା ମଧ୍ୟରେ ଓଡ଼ିଶାରେ ୧୮୨୭କିମି ଦୀର୍ଘ ରେଳମାର୍ଗ ନିର୍ମାଣ କରାଯାଇଛି, ଯାହାକି ଶ୍ରୀଲଙ୍କାର ରେଳ ନେଟୱାର୍କଠୁ ଅଧିକ । ଏହି ଅବଧି ମଧ୍ୟରେ ୪୨୭ଟି ରେଳ ଅଣ୍ଡରବ୍ରିଜ୍ ନିର୍ମାଣ କରାଯାଇଛି । ଓଡ଼ିଶାରେ ୬ଟି ବନ୍ଦେ ଭାରତ ଟ୍ରେନ ଚାଲୁଥିବାବେଳେ ଅମୃତ ଷ୍ଟେସନ ଯୋଜନାରେ ୫୯ଟି ଷ୍ଟେସନର ଉନ୍ନତି କରାଯିବ ବୋଲି ଆଲୋଚନାରୁ ଜଣାପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି ।

Related story