Shubhanshu Shukla
୧୯୮୪ ମସିହାର କଥା। କାଜାଖସ୍ତାନର ଗୋଟିଏ ଶୀତୁଆ ସକାଳ। ଆଉ ଏହି ସକାଳରେ ସୋଭିଏତ ସ୍ପେଶକ୍ରାଫ୍ଟ ଉଡ଼ାଣ ଭରିଥିଲା। ଏହା ଭିତରେ ଥିଲେ ଭାରତୀୟ ବାୟୁ ସେନାର ଜଣେ ଯୁବ ଅଫିସର। ସେହି ଅଫିସର ଜଣଙ୍କ ହେଉଛନ୍ତି ସ୍କ୍ୱାର୍ଡର୍ନ ଲିଡର ରାକେଶ ଶର୍ମା। ସୋୟୁଜ ଟ-୧୧ର ଇଞ୍ଜିନ ଝଡ଼ ଭଳି ଶବ୍ଦ କରି ଉଡ଼ାଣ ଭରିଥିଲା। ମାତ୍ର କିଛି ମିନିଟ ମଧ୍ୟରେ ମହାକାଶକୁ ଉଡ଼ାଣ ଭରିଥିଲେ ରାକେଶ ଶର୍ମା। ସେ ପ୍ରଥମ ଭାରତୀୟ ଭାବେ ମହାକାଶକୁ ଉଡ଼ାଣ ଭରିବାର ରେକର୍ଡ କରିଥିଲେ। ସେହି ସମୟର ଅନୁଭୂତି ବେଶ ସ୍ମରଣୀୟ ଥିଲା।
ଏବେ ୪୧ ବର୍ଷ ପରେ ସେହି ମୁହୂର୍ତ୍ତ ଫେରିଛି। ଭାରତର ମହାକାଶ ଯାତ୍ରାରେ ନୂଆ ଅଧ୍ୟାୟ ଯୋଡ଼ି ହୋଇ ଯାଇଛି। ଶୁଭାଂଶୁ ଶୁକ୍ଳା ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଉଡ଼ାଣ ଭରିଛନ୍ତି। ସେହିପରି ସେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ମିଶନରେ ସାମିଲ ହେବାର କୀର୍ତ୍ତିମାନ ମଧ୍ୟ ହାସଲ କରିଛନ୍ତି।
ରାକେଶ ଶର୍ମାଙ୍କ ଐତିହାସିକ ମହାକାଶ ଯାତ୍ରାର ଗୋଟିଏ ବର୍ଷ ପରେ ଅର୍ଥାତ ୧୯୮୫ ମସିହାରେ ଶୁଭାଂଶୁ ଶୁକ୍ଳା ଜନ୍ମ ଗ୍ରହଣ କରିଥିଲେ। ଏବେ ସେ ମହାକାଶକୁ ଉଡ଼ାଣ ଭରି ଇତିହାସ ସୃଷ୍ଟି କରିଛନ୍ତି। ଭାରତୀୟ ଏୟାର ଫୋର୍ସର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଏବେ ଜଣେ ମହାକାଶଚାରୀ। ସେ ସ୍ପେଶଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟ ଜରିଆରେ ଫ୍ଲୋରିଡାରେ ଥିବା କେନେଡୀ ସ୍ପେଶ ସେଣ୍ଟରରୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ଅଭିମୁଖେ ଉଡ଼ାଣ ଭରିଛନ୍ତି। ଆକ୍ସିଅମ ସ୍ପେଶ ଏଏକ୍ସ-୪ ମିଶନ ଜରିଆରେ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଭାବେ ଅନ୍ତରୀକ୍ଷକୁ ଯାଇଛନ୍ତି।
ଆଜି ଭାରତୀୟ ସମୟ ଦିନ ୧୨ଟା ୧ରେ ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ। କେନେଡୀ ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉତକ୍ଷେପଣ ହୋଇଛି ‘ସ୍ପେଶ୍ ଏକ୍ସ୍'ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍। ଡ୍ରାଗନ୍ ସ୍ପେଶ କ୍ୟାପସୁଲରେ ସ୍ପେଶ ଷ୍ଟେସନକୁ ଯାଇଛନ୍ତି ୪ ମହାକାଶଚାରୀ। ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଆକ୍ସିଅମ-୪ର ମିଶନ ପାଇଲଟ୍ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଛନ୍ତି।
ଏହି ମିଶନରେ ଭାରତ, ଆମେରିକା, ପୋଲାଣ୍ଡ୍ ଓ ହଙ୍ଗେରୀର ୪ ମହାକାଶଚାରୀ ସାମିଲ ହୋଇଛନ୍ତି । ୪ ଦଶନ୍ଧି ମଧ୍ୟରେ ଏହା ଭାରତ, ପୋଲାଣ୍ଡ୍ ଓ ହଙ୍ଗେରୀର ପ୍ରଥମ ମହାକାଶ ଅଭିଯାନ। ଶୁଭାଂଶୁଙ୍କ ବ୍ୟତୀତ ଆମେରିକାର ପେଗି ହ୍ୱିଟସନ୍, ହଙ୍ଗେରୀର ଟିବୋର୍ କାପୁ ଓ ପୋଲାଣ୍ଡର ସ୍ଲାବୋଜ୍ ଉଜନାସ୍କି ୱିସନାସ୍କି ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇଛନ୍ତି।
ଆକ୍ସିଅମ୍-୪ ମିଶନ ଏକ ଘରୋଇ ମହାକାଶ ଅଭିଯାନ। ଭାରତର ଶୁଭାଂଶୁଙ୍କ ସମେତ ୩ ମହାକାଶଚାରୀଙ୍କ ଏହା ପ୍ରଥମ ସ୍ପେଶ୍ ମିଶନ୍ । ୨୮ ଘଣ୍ଟାର ଯାତ୍ରା ପରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ସେମାନେ ପହଞ୍ଚିବେ। ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ଣ ପ୍ରାୟ ୪ଟା ୩୦ ବେଳେ ସ୍ପେଶ ଷ୍ଟେସନରେ ପହଞ୍ଚି ଏହା ଡକିଂ ହେବ। ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ପ୍ରାୟ ୧୪ ଦିନ ରହି ସମସ୍ତ ମହାକାଶଚାରୀ ପୃଥିବୀକୁ ଫେରିବ। ପ୍ରାୟ ୧୪ ଦିନ ରହଣୀ ଭିତରେ ୩୧ ଦେଶର ୬୦ଟି ଏକ୍ସପେରିମେଣ୍ଟ କରାଯିବ ବୋଲି ଜଣାପଡ଼ିଛି।
ଏହି ମିଶନର ନେତୃତ୍ୱ ଆମେରିକାର ଅଭିଜ୍ଞ ମହାକାଶଚାରୀ ପେଗି ହ୍ୱିଟସନ ନେଉଛନ୍ତି। ଭାରତର ଶୁଭାଂଶୁ ଶୁକ୍ଳା ପାଇଲଟ୍ ଦାୟିତ୍ୱରେ ରହିଛନ୍ତି। ପୋଲାଣ୍ଡର ୟୁରୋପୀୟ ସ୍ପେଶ ଏଜେନ୍ସିର ପ୍ରୋଜେକ୍ଟ ମହାକାଶଚାରୀ ସ୍ଲାଭୋଜ୍ ୱିସନିସ୍କି ଓ ହଙ୍ଗେରୀର ଟିବୋର୍ କାପୁ ମିଶନ ବିଶେଷଜ୍ଞ ଭାବେ ଏଥିରେ ରହିଛନ୍ତି। ଏହି ଘରୋଇ ମିଶନରେ ଭାରତୀୟଙ୍କୁ ମହାକାଶକୁ ପଠାଇବା ପାଇଁ ଭାରତ ପ୍ରାୟ ୫ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି। ନାସା, ଆକ୍ସିଅମ୍ ସ୍ପେସ ଓ ସ୍ପେସ ଏକ୍ସ ଓ ଇସ୍ରୋର ଏହା ଏକ ମିଳିତ ମିଶନ ।
ପ୍ରଥମେ ମେ ୨୯ରେ ଆକ୍ସିଅମ୍-୪ ଲଞ୍ଚ ପାଇଁ ତାରିଖ ସ୍ଥିର ହୋଇଥିବା ବେଳେ ଡ୍ରାଗନରେ ସମସ୍ୟା ଯୋଗୁ ଜୁନ ୮କୁ ଘୁଞ୍ଚା ଯାଇଥିଲା । ହେଲେ ଫାଲକନ-୯ ରକେଟ ପ୍ରସ୍ତୁତିରେ ବିଳମ୍ବ ହେବାରୁ ଜୁନ ୯ ତାରିଖକୁ ଘୁଞ୍ଚା ଯାଇଥିଲା। ହେଲେ ଖରାପ ପାଗ ଯୋଗୁ ପୁଣି ଜୁନ ୧୦କୁ ଘୁଞ୍ଚିଥିଲା ଆକ୍ସିଅମ୍-୪ ମିଶନ। ଜୁନ ୧୦ରେ ଫାଲକନ୍ ୯ ଲଞ୍ଚ ଯାନକୁ ଯାଞ୍ଚ କରିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ପରୀକ୍ଷଣ ସମୟରେ ପ୍ରପଲ୍ସନ ବେରେ ଲିକୁଇଡ ଅକ୍ସିଜେନ ଲିକେଜ ହେବାରୁ ଜୁନ ୧୧ ଓ ପରବର୍ତ୍ତୀ ସମୟରେ ଜୁନ ୧୨କୁ ଘୁଞ୍ଚା ଯାଇଥିଲା। ଏହିପରି ଭାବେ ମିଶନ ଜୁନ ୨୨ ପର୍ଯ୍ୟନ୍ତ ଘୁଞ୍ଚିଥିଲା।
ଯେଉଁ ରକେଟରେ ମହାକାଶଚାରୀମାନେ ଆଇଏସଏସ ଯାତ୍ରା କରିଛନ୍ତି, ତାହା ହେଉଛି ଫାଲକନ ୯ ରକେଟ । ଏହା ଏକ ପୁନଃବ୍ୟବହାର ଯୋଗ୍ୟ ରକେଟ। ଏହାର ପ୍ରଥମ ପର୍ଯ୍ୟାୟରେ ବୁଷ୍ଟର ମିଶନରୁ ଅଲଗା ହେବା ପରେ ପୃଥିବୀକୁ ଫେରିବ। ପୁନଃନିର୍ମାଣ ପରେ ପୁଣି ବ୍ୟବହାର କରାଯିବ। ଚଳିତ ବର୍ଷ ଏପ୍ରିଲରେ ଷ୍ଟାରଲିଙ୍କ ମିଶନରେ ଏହି ରକେଟ ବ୍ୟବହାର ପରେ ଆକ୍ସିଅମ୍-୪ ମିଶନରେ ଏହା ଦ୍ବିତୀୟ ଥର ବ୍ୟବହାର କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1750838272.jpg)