Advertisment

ଡିସେମ୍ବର ସୁଦ୍ଧା ସବୁ ଗାଡ଼ିରେ ଲାଗିବ ଟ୍ରାକିଂ ଓ ସେଫ୍ଟି ଡିଭାଇସ: ବିନା ଡିଭାଇସରେ ଅକ୍ଟୋବରରୁ ନୂଆ ଗାଡ଼ି ପଞ୍ଜିକରଣ ମନା

କୌଣସି ପୁରୁଣା ଗାଡ଼ିରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ଭିଏଲଟିଡି ଡିଭାଇସ୍ ନଲାଗେ, ତା’ହେଲେ ସମ୍ପୃକ୍ତ ଗାଡ଼ିକୁ ଫିଟନେସ, ମାଲିକାନା ପରିବର୍ତ୍ତନ, ପରମିଟ୍ ଓ ନ୍ୟାସନାଲ ପରମିଟ୍ ଆଦି ସୁବିଧା ମିଳିବ ନାହିଁ ।

ଅଦ୍ୟତନ ହୋଇଛି
Vehicle Tracking System

Vehicle Tracking System

Advertisment

ରାଜ୍ୟରେ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ସମସ୍ତ ଗାଡ଼ିରେ ଏଣିକି ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ ଜରୁରୀ । ଏହି ଡିଭାଇସ୍ ନଥିଲେ ଆସନ୍ତା ଅକ୍ଟୋବର ପହିଲାରୁ କୌଣସି ନୂଆ ଗାଡ଼ି ପଞ୍ଜିକରଣ କରାଯିବ ନାହିଁ । ସେହିପରି ୨୦୨୩ ସେପ୍ଟେମ୍ବର ୩୦ତାରିଖ ପୂର୍ବରୁ ଯେଉଁ ଗାଡ଼ିଗୁଡ଼ିକ ପଞ୍ଜିକରଣ ହୋଇଛି ସମ୍ପୃକ୍ତ ଗାଡ଼ିର ମାଲିକମାନେ ୨୦୨୩ ଡିସେମ୍ବର ୩୧ତାରିଖ ସୁଦ୍ଧା ନିଜ ଗାଡ଼ିରେ ଏହି ଡିଭାଇସ୍ ଲଗାଇବାକୁ ବାଧ୍ୟ ।

Advertisment

ରାଜ୍ୟ ପରିବହନ କମିଶନର ମଙ୍ଗଳବାର ଦିନ ଏକ ସାର୍ବଜନୀନ ନୋଟିସ୍ ଜାରି କରି ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭେଙ୍କିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍‌(ଭିଏଲଟିଡି) ଓ ପାନିକ୍ ବଟନ୍ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି । ଏଥିପାଇଁ ସମୟସୀମା ମଧ୍ୟ ଧାର୍ଯ୍ୟ ହୋଇଛି । ବିଶେଷକରି ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ଉପରେ ନଜର ରଖିବା ଏବଂ ମହିଳା ଓ ଶିଶୁ ଯାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ସମସ୍ତ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିଗୁଡ଼ିକରେ ଏହି ଲୋକେସନ୍ ଟ୍ରାକିଙ୍ଗ୍ ଓ ସେଫ୍ଟି ଡିଭାଇସ୍ ଲଗାଇବାକୁ କୁହାଯାଇଛି ।

ଦୁଇଚକିଆ, ତିନିଚକିଆ ଓ ରିକ୍ସାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଗାଡ଼ି ଯଥା ବସ୍ , ଶିକ୍ଷାନୁଷ୍ଠାନ ବସ୍ , ଆମ୍ବୁଲାନ୍ସ, ସବୁପ୍ରକାରର କ୍ୟାବ୍ , ଓମିନି ବସ୍, ମୋଟର କ୍ୟାବ୍, ପ୍ରାଇଭେଟ୍ ସର୍ଭିସ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକରେ ଏହି ଭିଏଲଟିଡି ଡିଭାଇସ୍ ଲାଗିବ ।

Advertisment

ଅକ୍ଟୋବର ୧ ତାରିଖରେ ଅବା ଏହାପରେ ଯେଉଁ ନୂଆ ଗାଡ଼ିଗୁଡ଼ିକ କ୍ରୟ ହେବ ସେଥିରେ ପଞ୍ଜିକରଣ ସମୟରେ ଭିଏଲଟିଡି ଡିଭାଇସ୍ ଲଗାଇବା ଜରୁରୀ ।ସେହିପରି ଯେଉଁ ଗାଡ଼ିଗୁଡ଼ିକ ଚଳିତମାସ  ୩୦ତାରିଖ ମଧ୍ୟରେ କ୍ରୟ ହୋଇଛି ସେଗୁଡ଼ିକ ୨୦୨୩ ଡିସେମ୍ବର ୩୧ତାରିଖ ପୂର୍ବରୁ ଏହି ଡିଭାଇସ୍ ଲଗାଇବେ । ଯଦି କୌଣସି ପୁରୁଣା ଗାଡ଼ିରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ଭିଏଲଟିଡି ଡିଭାଇସ୍ ନଲାଗେ, ତା’ହେଲେ ସମ୍ପୃକ୍ତ ଗାଡ଼ିକୁ ଫିଟନେସ, ମାଲିକାନା ପରିବର୍ତ୍ତନ, ପରମିଟ୍ ଓ ନ୍ୟାସନାଲ ପରମିଟ୍ ଆଦି ସୁବିଧା ମିଳିବ ନାହିଁ । 

ଓଡ଼ିଶା ସରକାରଙ୍କ ପରିବହନ ବିଭାଗର ୱେବସାଇଟକୁ ଯାଇ କ୍ଷମତାପ୍ରାପ୍ତ ବିକ୍ରେତାଙ୍କୁ ଚୟନ କରି ଅବା ନିକଟସ୍ଥ ରେଟ୍ରୋ ଫିଟମେଂଟ ସେଂଟର(ଆରଏଫସି)କୁ ଯାଇ ଏହି ଡିଭାଇସ୍ ଗାଡ଼ିରେ ଲଗାଇ ପାରିବେ ।ଗାଡ଼ି ମାଲିକମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଯେକୌଣସି କମ୍ପାନୀର ଭିଏଲଟିଡି ଡିଭାଇସ୍ ଲଗାଇ ପାରିବେ । ଶେଷ ସମୟରେ ଭିଡ଼ ହ୍ରାସ ନିମନ୍ତେ ଗାଡ଼ିମାଲିକମାନେ ଧାର୍ଯ୍ୟ ସମୟସୀମା ପୂର୍ବରୁ ଭିଏଲଟି ଡିଭାଇସ୍ ଲଗାଇବାକୁ ପରିବହନ କମିଶନର ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁସାରେ ସମସ୍ତ ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଏହି ଡିଭାଇସ୍ ଲଗାଇବା ବାଧ୍ୟତାମୂଳକ । ପୂର୍ବରୁ ରାଜ୍ୟ ସରକାର ଏହି ଅବଧିକୁ ବାରମ୍ବାର ବୃଦ୍ଧି କରି ଆସୁଥିଲେ ।

Odisha New Motor Vehicle Rule
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe