satyjit
ଭୁବନେଶ୍ୱର: ଜି ଟିଭିରେ ପ୍ରସାରିତ ହେଉଥିବା ସା ରେ ଗା ମା ପା ଲିଟିଲ୍ ଚାମ୍ପ୍ସର ଗତକାଲି ଏପିସୋଡ୍ଟି ଓଡ଼ିଆ ପୁଅ ସତ୍ୟଜିତ୍ ଜେନାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ଗତକାଲି ଏପିସୋଡ୍ରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ, ଗାୟକ ତଥା ଓସ୍କାର ବିଜେତା ଏ.ଆର୍. ରହମାନ୍। ସତ୍ୟଜିତ୍ ତାଙ୍କୁ ଇମ୍ପ୍ରେସ୍ କରିବାରେ ସଫଳ ହୋଇଥିଲେ। ସତ୍ୟଜିତ୍ଙ୍କ ମ୍ୟୁଜିକ୍ କଂପୋଜିସନ୍କୁ ରହମାନ୍ ପ୍ରଶଂସା କରିବା ସହିତ ତାଙ୍କ ଷ୍ଟୁଡିଓରେ ୭ ଦିନିଆ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଅର୍ଥାତ୍ ସତ୍ୟଜିତ୍ ତାଙ୍କ ଷ୍ଟୁଡିଓରେ ୭ ଦିନ ପାଇଁ ଶିକ୍ଷାନବିସ ଭାବେ ଯୋଗ ଦେବେ।
ଗତକାଲି ସତ୍ୟଜିତ୍ ‘ରୋଜା’ ଫିଲ୍ମର ଏକ ଗୀତ ‘ରୋଜା ଜାନେ ମନ୍....’ ଗାଇ ଥିଲେ। ଏହି ଗୀତଟି ଗାଇ ସେ ବିଚାରକମାନଙ୍କ ମନ ଜିତି ଥିଲେ ଓ ସେମାନଙ୍କଠାରୁ ୯୯% ଭୋଟ୍ ପାଇଥିଲେ। ସତ୍ୟଜିତ୍ ଏହି ଗୀତଟି ଗାଇ ସାରିବା ପରେ ରହମାନ ତାଙ୍କୁ କହିଥିଲେ, “ତୁମେ ମ୍ୟୁଜିକ୍ କଂପୋଜ୍ କର ବୋଲି ମୁଁ ଶୁଣିଛି। ତୁମ କଂପୋଜିସନ୍ ଗୁଡ଼ିକ ମଧ୍ୟରୁ ଗୋଟିଏ ଗୀତ ଗାଇ ଶୁଣାଅ।”
ରହମାନଙ୍କୁ ନିରାଶ କରି ନ ଥିଲେ ସତ୍ୟଜିତ୍। ସେ ତାଙ୍କ କଂପୋଜିସନ୍ରେ ପ୍ରସ୍ତୁତ ଏକ ଗୀତ ଗାଇ ଶୁଣାଇଥିଲେ। ଏହି ଗୀତଟିକୁ ଲେଖିଥିଲେ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ହିମେଶ ରେଶମିୟା। ଏହାର ମ୍ୟୁଜିକ୍ ଦେଇଥିଲେ ସତ୍ୟଜିତ୍। ସେ ଗୀତଟିକୁ ଗାଇବା ପରେ ରହମାନ ପଚାରିଥିଲେ,“ଗୀତଟିକୁ କିଏ ଲେଖିଛି?” ହିମେଶ ରେଶମିୟା ହାତ ଟେକି ଏହାର କ୍ରେଡିଟ୍ ନେବାକୁ ପଛାଇ ନ ଥିଲେ। ତା’ପରେ ରହମାନ ସତ୍ୟଜିତଙ୍କୁ କହିଥିଲେ,“ଆଉ ତୁମେ ଏହାର ଧୁନ୍ ପ୍ରସ୍ତୁତ କରି ଥିଲ? ତା’ହେଲେ ମୁଁ ତୁମକୁ ମୋ ଷ୍ଟୁଡିଓରେ ସପ୍ତାହେ ପାଇଁ ଇଣ୍ଟର୍ଣ୍ଣସିପ୍ କରିବାକୁ ଆମନ୍ତ୍ରଣ କରିବାକୁ ଚାହୁଁଛି।” ଏଥିପାଇଁ ସତ୍ୟଜିତ୍ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହା ତାଙ୍କ ପାଇଁ ନିଶ୍ଚିତ ଏକ ବଡ଼ ସୁଯୋଗ ସଂଗୀତ ବିଷୟରେ ଅନେକ କିଛି ଜାଣିବା ପାଇଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
