Advertisment

ବାଇଧର ନିଖୋଜ ମାମଲାର ପୁଣି ତଦନ୍ତ ଆରମ୍ଭ: ଡି’ବ୍ରଦର୍ସଙ୍କ ସହଯୋଗୀଙ୍କ ଉପରେ ସନ୍ଦେହ

କଟକ: ଖୋଲିବ ବହୁ ଚର୍ଚ୍ଚିତ ବାଇଧର ସାହୁ ନିଖୋଜ ଘଟଣାର ରହସ୍ୟ। ୧୧ ବର୍ଷ ତଳର ଏହି ମାମଲାରେ ପୁଣି ଛାନ୍‌ଭିନ୍ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍। ଡି-ବ୍ରଦର୍ସଙ୍କ ସହଯୋଗୀ ଭୋଲା ଭଗତ୍‌କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ସମୟରେ ବାଇଧର ନିଖୋଜ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ୍ ହାତରେ ଲାଗିଛି। ଏପରିକି ବାଇଧର ନିଖୋଜ ଘଟଣାରେ ଡି-ବ୍ରଦର୍ସ ଲିଙ୍କ୍‌ରେ ଗିରଫ ଭରତ, ଶିବ ଗୋଛି ଓ କୁନି ଦାସଙ୍କ ହାତ ଥିବା ପୋଲିସ ସନ୍ଦେହ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବାଇଧର ନିଖୋଜ ମାମଲାର ପୁଣି ତଦନ୍ତ ଆରମ୍ଭ: ଡି’ବ୍ରଦର୍ସଙ୍କ ସହଯୋଗୀଙ୍କ ଉପରେ ସନ୍ଦେହ

BAIDHAR SAHU

BAIDHAR SAHUକଟକ: ଖୋଲିବ ବହୁ ଚର୍ଚ୍ଚିତ ବାଇଧର ସାହୁ ନିଖୋଜ ଘଟଣାର ରହସ୍ୟ। ୧୧ ବର୍ଷ ତଳର ଏହି ମାମଲାରେ ପୁଣି ଛାନ୍‌ଭିନ୍ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍।

Advertisment

ଡି-ବ୍ରଦର୍ସଙ୍କ ସହଯୋଗୀ ଭୋଲା ଭଗତ୍‌କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ସମୟରେ ବାଇଧର ନିଖୋଜ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ୍ ହାତରେ ଲାଗିଛି। ଏପରିକି ବାଇଧର ନିଖୋଜ ଘଟଣାରେ ଡି-ବ୍ରଦର୍ସ ଲିଙ୍କ୍‌ରେ ଗିରଫ ଭରତ, ଶିବ ଗୋଛି ଓ କୁନି ଦାସଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି। ତେଣୁ ପୁଣି ଥରେ ତଦନ୍ତ ଆରମ୍ଭ କରିଛି ପୋଲିସ୍।

ପୋଲିସ୍‌ କମିଶନର ୱାଇ.ବି ଖୁରାନିଆ କହିଛନ୍ତି,“ଆମ ପାଖକୁ କିଛି ତଥ୍ୟ ଆସିଛି। ଏଥିରୁ ଆମକୁ ଲାଗୁଛି ଆମେ ବାଇଧର କେସ୍‌ ଉପରକୁ ପର୍ଦ୍ଦା ଉଠାଇପାରିବୁ। ସେଥିପାଇଁ ଆମେ କୋର୍ଟଙ୍କ ଅନୁମତି ନେଇ ମାମଲାର ତଦନ୍ତ ଆରମ୍ଭ କରି ଦେଇଛୁ।”

Advertisment

ଅନ୍ୟପକ୍ଷରେ ଆଜି କଟକ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ବାଇଧରଙ୍କ ଭାଇ ଓ ଭାଉଜଙ୍କର ବୟାନ ରେକର୍ଡ କରାଯାଇଛି। ଧାରା ୧୬୪ରେ ସେମାନଙ୍କ ବୟାନ ରେକର୍ଡ କରାଯାଇଛି।

ବାଇଧରଙ୍କ ଭାଇ ଜଗନ୍ନାଥ ସାହୁ କହିଛନ୍ତି,“ଆମେ ଗାଁରେ ରହୁଥିବା ବେଳେ ଭାଇ ସେତେବେଳେ ଏଠାରେ ବେପାରବଟା କରି ଚଳୁଥିଲେ। ମାସକୁ ୩ରୁ ୪ ଥର ଗାଁକୁ ଯିବା ଆସିବା କରିବା ସହ ଚଳିବା ପାଇଁ ପଇସାପତ୍ର ଦେଉଥିଲେ। ସେ ଗଲା ପରେ ଆମେ ତାଙ୍କ ଖୋଜ୍‌ ଖବର ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲୁ। ଥାନା କର୍ତ୍ତୃପକ୍ଷ ପଦକ୍ଷେପ ନେଉଛୁ ବୋଲି କହିଥିଲେ। କିନ୍ତୁ ଆମେ କିଛି ସୁଫଳ ପାଇପାରି ନ ଥିଲୁ।”

୨୦୦୫ ଫେବ୍ରୁଆରୀ ୯ ତାରିଖରେ ମଦ ଓ ସ୍କ୍ରାପ୍‌ ବ୍ୟବସାୟୀ ବାଇଧରଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ କରି ଥିଲେ ତାଙ୍କ ଭାଇ ଜଗନ୍ନାଥ। ଗଣ୍ଡପୁର ସ୍ଥିତ ନିଜ ମଦ ଦୋକାନରେ ଛିଡ଼ା ହୋଇଥିବା ବେଳେ କିଛି ଲୋକ କାରରେ ଆସି ତାଙ୍କୁ ଅପହରଣ କରି ନେଇଥିଲେ ବୋଲି ଜଗନ୍ନାଥ ଅଭିଯୋଗ କରିଥିଲେ। ତେବେ ତାଙ୍କର କୌଣସି ପତ୍ତା ନ ମିଳିବାରୁ ୨୦୧୩ରେ ପୋଲିସ୍ ମାମଲାଟିକୁ ବନ୍ଦ କରି ଦେଇଥିଲା।

ବାଇଧର ପ୍ରଥମେ ଏକ ମଦ ଦୋକାନ କରିଥିଲେ। ଏହା ପରେ ସେ ସ୍କ୍ରାପ ବେପାର ମଧ୍ୟ ଆରମ୍ଭ କରିଥିଲେ। ବାଇଧରଙ୍କ ସହ ଗଣ୍ଡରପୁରର ଭରତ, ଶିବ ଗୋଛି ଓ କୁନି ଦାସ ମିଶି ମଧ୍ୟ ସ୍କ୍ରାପ ବ୍ୟବସାୟ କରୁଥିଲେ। ଖୁବ୍ ଅଳ୍ପ ଦିନରେ ସ୍କ୍ରାପ୍ ବେପାରରୁ ବାଇଧର ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଏହା ଦେଖି ଅନ୍ୟମାନେ ତାଙ୍କୁ ସହି ପାରିନଥିଲେ ବୋଲି ଅଭିଯୋଗ ହୋଇଥିଲା।

ବ୍ୟବସାୟିକ କାରଣ ଯୋଗୁଁ ବାଇଧରଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ପୋଲିସ୍ ସନ୍ଦେହ କରୁଛି। ତେବେ ଏଥିରେ ଡି’ବ୍ରଦର୍ସଙ୍କ ହାତ ରହିଛି କି ନାହିଁ ସେ ଦିଗ ପ୍ରତି ମଧ୍ୟ ପୋଲିସ୍ ଅନୁଧ୍ୟାନ କରୁଛି।