/odisha-reporter/media/post_attachments/uploads/2017/02/pruthiraj.jpg)
pruthiraj
ଭୁବନେଶ୍ୱର: ବିଜେଡି ଚଞ୍ଚକତା କରି ବିଜେପିର ୩୪ଟି ଜିଲ୍ଲା ପରିଷଦ ଆସନକୁ ଛଡ଼ାଇ ନେଇଛି। ଏହା ବିରୋଧରେ ଦଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ। ଆଜି ଦଳର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।
ସେ କହିଥିଲେ,“ମତଦାନ ପରେ ପରେ ହୋଇଥିବା ଗଣତିରୁ ଯେଉଁ ରିପୋର୍ଟ ଆମ ପାଖରେ ପହଞ୍ଚିଥିଲା ସେ ଅନୁଯାୟୀ ୩୬ଟି ଜିଲ୍ଲା ପରିଷଦ ଜୋନ୍ରେ ଆମ ଦଳ ଅଳ୍ପ ସଂଖ୍ୟକ ଭୋଟ୍ରେ ଜିତିଥିଲା। ଉକ୍ତ ୩୬ଟି ଯାକ ଆସନକୁ ବିଜେପି ପାଖରୁ ଛଡ଼ାଇ ନେବାକୁ ବିଜୁ ଜନତା ଦଳର ସରକାର ପୂରା ଚେଷ୍ଟା କରିଛନ୍ତି।”
ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ,“ଗତକାଲି କାଉଣ୍ଟିଂ ବେଳେ ଅନେକ ଜାଗାରେ ବିଡିଓ ଓ କଲେକ୍ଟରମାନେ ବାସ୍ତବରେ ପୂରା ସରକାରୀ ଦଳର ଏଜେଣ୍ଟ୍ ଭାବେ କାମ କଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶାସନ କଳକୁ ଏଭଳି ଭାବେ ଉପଯୋଗ କରି ନିର୍ବାଚନ ଜିତିବାର ପ୍ରକ୍ରିୟା ବିଗତ କୌଣସି ନିର୍ବାଚନରେ ଦେଖାଯାଇ ନ ଥିଲା। ୨୦୧୭ରେ ପ୍ରଥମ ଥର ପାଇଁ ଓଡ଼ିଶା ଏହା ଦେଖିଲା। ତେଣୁ ନିର୍ଦ୍ଦିଷ୍ଟ ଭାବେ ଯେଉଁ ଆସନଗୁଡ଼ିକରେ ଚଞ୍ଚକତା କରାଯାଇଛି ବୋଲି ଆମ ପାଖରେ ତଥ୍ୟ ଅଛି ସେହି ଆସନଗୁଡ଼ିକରେ ଆମେ ହାଇକୋର୍ଟକୁ ଯିବୁ ବୋଲି ନିଷ୍ପତ୍ତି ନେଇଛୁ। ଆମେ ମୋଟ ୩୪ଟି ଆସନରେ କୋର୍ଟଙ୍କ ଦ୍ୱାରସ୍ଥ ହେବୁ।”
ସେ ଅଭିଯୋଗ କରିଥିଲେ,“ଅନେକ ଜାଗାରେ ରିକାଉଣ୍ଟିଂ ପାଇଁ ଅନୁମତି ଦିଆଯାଇ ନ ଥିଲା। ଅନେକ ଜାଗାରେ ରିକାଉଣ୍ଟିଂ କେବଳ ନିର୍ଦ୍ଦିଷ୍ଟ କେତୋଟି ବୁଥ୍ରେ ହେବ ବୋଲି କହିଛନ୍ତି। ଅନେକ ଗୁଡ଼ିଏ ଜାଗାରେ ନାକଚ ଭୋଟ୍ ଗୁଡ଼ିକୁ ପୁଣି ଥରେ ଯାଞ୍ଚ କରିବା ପାଇଁ ମନା କରିଛନ୍ତି। ଏଇଭଳି ଭାବେ ଯେଉଁ ସ୍ଥାନଗୁଡ଼ିକରେ କମ୍ ଭୋଟ୍ରେ ବିଜେପି ଜିତି ଥିଲା ସେହି ସବୁ ସ୍ଥାନରେ ଦଶ, ପନ୍ଦର, ପଚିଶ ଭୋଟ୍ରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଚେଷ୍ଟା କରିଛନ୍ତି। ବିଜେପିର ଶହେ ଦେଢ଼ ଶହ ଭୋଟ୍ କାଟି ତାହା କିପରି ବିଜୁ ଜନତା ଦଳ ସପକ୍ଷରେ ଯିବ ସେ ବ୍ୟବସ୍ଥା ବି କରାଯାଇଛି।”
ସୂଚନାଯୋଗ୍ୟ, ବିଜେପି ୨୯୮ଟି ଜିଲ୍ଲା ପରିଷଦ ଜୋନ୍ରେ ବିଜୟୀ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
