ବିଜେଡିରୁ କିଏ ହେବ ରାଜ୍ୟସଭା ପ୍ରାର୍ଥୀ? ନବୀନଙ୍କ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ଓଡ଼ିଶାରେ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା। ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୭ ଥିବାରୁ ଓଡ଼ିଶାରୁ ଖାଲି ପଡୁ ଥିବା ୩ଟି ରାଜ୍ୟସଭା ଆସନ ବିଜେଡି ଅକ୍ତିଆର କରିବା ଏକ ପ୍ରକାର ନିଶ୍ଚିତ। ଏଭଳି ସ୍ଥିତିରେ ବିଜେଡି କାହାକୁ ରାଜ୍ୟସଭାକୁ ପଠାଇବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପ୍ୟାରୀମୋହନ ମହାପାତ୍ର, ବୈଷ୍ଣବ ପରିଡ଼ା ଓ ଭୂପିନ୍ଦର ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଛି। ଏମାନଙ୍କ ମଧ୍ୟରୁ […]

naveen

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 03:16 PM IST

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ଓଡ଼ିଶାରେ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା। ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୭ ଥିବାରୁ ଓଡ଼ିଶାରୁ ଖାଲି ପଡୁ ଥିବା ୩ଟି ରାଜ୍ୟସଭା ଆସନ ବିଜେଡି ଅକ୍ତିଆର କରିବା ଏକ ପ୍ରକାର ନିଶ୍ଚିତ। ଏଭଳି ସ୍ଥିତିରେ ବିଜେଡି କାହାକୁ ରାଜ୍ୟସଭାକୁ ପଠାଇବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ପ୍ୟାରୀମୋହନ ମହାପାତ୍ର, ବୈଷ୍ଣବ ପରିଡ଼ା ଓ ଭୂପିନ୍ଦର ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଛି। ଏମାନଙ୍କ ମଧ୍ୟରୁ ଭୂପିନ୍ଦର ସିଂହ ଆଉ ଥରେ ରାଜ୍ୟସଭାକୁ ଯିବାର ସମ୍ଭାବନା ରହିଛି। ୨୦୧୪ ନିର୍ବାଚନ ଅବ୍ୟବହତି ପୂର୍ବରୁ କଂଗ୍ରେସ ଛାଡ଼ି ସେ ବିଜେଡିରେ ଯୋଗ ଦେଇଥିଲେ। ମାତ୍ର ଦୁଇ ବର୍ଷ ପାଇଁ ସେ ରାଜ୍ୟସଭାକୁ ଯାଇଥିଲେ। ତେଣୁ ତାଙ୍କୁ ଆଉ ଥରେ ରାଜ୍ୟସଭା ଯିବାର ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ସେ ପଶ୍ଚିମ ଓଡ଼ିଶାର ହୋଇଥିବା ବେଳେ ସେ ଅଞ୍ଚଳର ଆଉ ଜଣେ ବିଜେଡି ନେତାଙ୍କୁ ରାଜ୍ୟସଭା ପଠାଯିବାର ସମ୍ଭାବନା ମଧ୍ୟ ଅଧିକ ରହିଥିବା ନେଇ ଚର୍ଚ୍ଚା ହେଉଛି। ସେ ହେଉଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ।

ଏବେ ରାଜ୍ୟସଭାରେ ଦଳିତ ବର୍ଗରୁ ବିଜେଡିର କେହି ନାହାନ୍ତି। ତେଣୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ବିମ୍ବାଧର କୁଅଁରଙ୍କ ନାଁକୁ ନେଇ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ରାଜ୍ୟସଭା ରେସ୍‌ରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ମଧ୍ୟ ରହିଛନ୍ତି। ଦକ୍ଷିଣ ଓଡ଼ିଶାରୁ ଏବେ କେହି ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁ ନାହାନ୍ତି। ତେଣୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏନ୍‌.ଭାସ୍କର ରାଓଙ୍କ ନାଁକୁ ନେଇ କଳ୍ପନା,ଜଳ୍ପନା ଚାଲିଛି।  ଏପରିକି ବିଜେଡି ମୁଖପାତ୍ର ପ୍ରତାପ ଦେବ ବି ରେସ୍‌ରେ ଅଛନ୍ତି। ତେବେ ସବୁ କିଛି ନିର୍ଭର କରୁଛି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ।

ପ୍ରତାପ ଦେବ କହିଛନ୍ତି,“ମୁଁ ଏନେଇ ଦଳର ମୁଖ୍ୟଙ୍କୁ କିଛି କହି ନାହିଁ କି ତାଙ୍କ ପକ୍ଷରୁ ମଧ୍ୟ ଏନେଇ କୌଣସି ଯୋଗାଯୋଗ କରାଯାଇନାହିଁ। ଏପରି କିଛି ଯୋଗାଯୋଗ ହେଲେ ମୁଁ ଜଣାଇବି।”

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି,“ନିର୍ମଳ ଭାବମୂର୍ତ୍ତି ଓ ଅପରାଧିକ ପୃଷ୍ଠଭୂମି ନ ଥିବା ବ୍ୟକ୍ତିଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରାଯିବ ବୋଲି ମୋର ଆଶା। ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ।”

ଜଣେ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ହେଲେ ପ୍ରଥମ ପସନ୍ଦର ୩୭ ଖଣ୍ଡ ଭୋଟ୍ ହାତେଇବା ଦରକାର। ବିଜେଡିର ସଂଖ୍ୟା ହେଉଛି ୧୧୭। ୩୭ ଖଣ୍ଡ ପ୍ରଥମ ପସନ୍ଦ ଭୋଟ୍ ଅନୁସାରେ ୩ଟି ଆସନ ପାଇଁ ୧୧୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଆଉ ଏହା ଏବେ ବିଜେଡି ପାଖରେ ଅଛି।

ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବ ନା ନାହିଁ ସେ ନେଇ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ। ଦଳୀୟ ନେତା ଗଣେଶ୍ୱର ବେହେରା କହିଛନ୍ତି,“ ଆବଶ୍ୟକ ସଂଖ୍ୟା ନାହିଁ ବୋଲି ଦଳ ପ୍ରାର୍ଥୀ ଦେବ ନାହିଁ ବୋଲି କୁହାଯିବାର କିଛି ମାନେ ନାହିଁ। ଦଳ ଏନେଇ ହାଇକମାଣ୍ଡଙ୍କ ପରାମର୍ଶ ନେବ। ଦଳ ପ୍ରାର୍ଥୀ ଦେଇପାରେ ଅବା ନ ଦେଇ ପାରେ। ଦୁଇଟି ଯାକର ସମ୍ଭାବନା ରହିଛି।”

ସୂଚନାଯୋଗ୍ୟ ଓଡ଼ିଶା ବିଧାନସଭାରେ ଏବେ କଂଗ୍ରେସର ମାତ୍ର ୧୬ ଜଣ ସଦସ୍ୟ ଅଛନ୍ତି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭା ନିର୍ବାଚନ ପାଇଁ ତାଙ୍କ ଦଳ ପ୍ରାର୍ଥୀ ଦେବ ନାହିଁ। ତେବେ କେହି ଜଣେ ଯୋଗ୍ୟ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଛିଡ଼ାହେଲେ ତାଙ୍କୁ ସମର୍ଥନ ଦେବା ନେଇ ଦଳର ରାଜ୍ୟ ଓ କେନ୍ଦ୍ର ନେତୃବୃନ୍ଦ ଚିନ୍ତା କରି ପାରନ୍ତି। ବିଜେପି ରାଜ୍ୟସଭା ନିର୍ବାଚନରେ ଆଦୌ ଭାଗ ନ ନେବାର ମଧ୍ୟ ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ବିଧାନସଭାରେ ବିଜେପିର ମାତ୍ର ୧୦ ଜଣ ସଭ୍ୟ ଅଛନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ ମେ’ ୩୧ରେ ନାମାଙ୍କନ ପତ୍ର ଦାଖଲ ହେବ। ଜୁନ୍ ୧୧ରେ ନିର୍ବାଚନ ହେବ।

Related story