Advertisment

ଆଇଓସିଏଲ୍‌କୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ପାରାଦୀପ ଆଇଓସିଏଲ୍‌କୁ ସୁଧମୁକ୍ତ ଋଣ ପ୍ରତ୍ୟାହାର ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ତାଙ୍କ ଦଳ ଉପରେ, ପ୍ରଧାନମନ୍ତ୍ରୀଙ୍କ ଉପରେ ଓ ତାଙ୍କ ଉପରେ ରାଗ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା ବେଳେ ଶାସକ ବିଜେଡି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏ ପ୍ରକ୍ରିୟା ୨୦୧୧ରୁ ଆରମ୍ଭ ହୋଇଥିଲା […]

ଅଦ୍ୟତନ ହୋଇଛି
ଆଇଓସିଏଲ୍‌କୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

dharmapratap

Advertisment

ଭୁବନେଶ୍ୱର: ପାରାଦୀପ ଆଇଓସିଏଲ୍‌କୁ ସୁଧମୁକ୍ତ ଋଣ ପ୍ରତ୍ୟାହାର ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ତାଙ୍କ ଦଳ ଉପରେ, ପ୍ରଧାନମନ୍ତ୍ରୀଙ୍କ ଉପରେ ଓ ତାଙ୍କ ଉପରେ ରାଗ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା ବେଳେ ଶାସକ ବିଜେଡି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏ ପ୍ରକ୍ରିୟା ୨୦୧୧ରୁ ଆରମ୍ଭ ହୋଇଥିଲା ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଥିଲେ,“ରାଜନୀତି, ବାଦବିବାଦ ପ୍ରଜାତନ୍ତ୍ରର ଏକ ଅପରିହାର୍ଯ୍ୟ ଅଙ୍ଗ। ଗଣତନ୍ତ୍ରରେ ନିର୍ବାଚନର ଫଳାଫଳକୁ ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ। ଆଇଓସିଏଲ୍‌ ନେଇ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରୁ ନିବୃତ୍ତ ରୁହନ୍ତୁ। ଓଡ଼ିଶାର ସ୍ୱାର୍ଥର ଦୃଷ୍ଟିରୁ ରାଜ୍ୟ ସରକାର ଏହା ଉପରେ ବିଚାର କରିବାକୁ ମୋର ବିନମ୍ର ଅନୁରୋଧ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ,“ମୁଁ ନବୀନ ବାବୁଙ୍କ ମାନସିକ ସ୍ଥିତିକୁ ବୁଝି ପାରୁଛି। ମୋ ଦଳ, ପ୍ରଧାନମନ୍ତ୍ରୀଙ୍କ ଉପରେ ତାଙ୍କର ରାଗ ହେବା ସ୍ୱାଭାବିକ। ମୋ ଉପରେ ରାଗ ରଖି ଓଡ଼ିଆ ଯୁବକଙ୍କ ପେଟରେ ଲାତ ମାରନ୍ତୁନି। ଏ ପ୍ରକଳ୍ପ ଦ୍ୱାରା ବହୁ ଓଡ଼ିଆ ଯୁବକ ରୋଜଗାରର ମାଧ୍ୟମ ପାଇବେ।”

Advertisment

ଆଇଓସିଏଲକୁ ସୁଧମୁକ୍ତ ଋଣ ପ୍ରତ୍ୟାହାର କରି ରାଜ୍ୟ ସରକାର ଚୁକ୍ତି ଉଲ୍ଲଂଘନ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ,“୨୦୦୪ରେ ଆଇଓସିଏଲ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବୁଝାମଣା ବେଳେ ଆଇଓସିଏଲ୍‌କୁ ଟିକସ ଛାଡ଼ କଥା ସ୍ପଷ୍ଟ ଉଲ୍ଲେଖ ଥିଲା। ଯେଉଁ ଦିନ ଠାରୁ ଆଇଓସିଏଲ୍ ଉତ୍ପାଦନ ଆରମ୍ଭ କରିବ ସେବଠାରୁ ୧୧ ବର୍ଷ ପର୍ଯ୍ୟନ୍ତ ଆଇଓସିଏଲ୍ ଟିକସ ଦେବ ନାହିଁ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ ରାଜ୍ୟର ଟିକସ କୁଆଡ଼େ ଯିବନି। ୧୨ ବର୍ଷରେ ଆଇଓସିଏଲ୍‌ ସବୁ ଅର୍ଥ ସୁଧ ସହିତ ପରିଶୋଧ କରି ଦେବ। ଏବେ ଓଡ଼ିଶା ସରକାର ଏହି ଚୁକ୍ତିକୁ ଖିଲାପ କରୁଛନ୍ତି।”

ଅନ୍ୟପକ୍ଷରେ ଧର୍ମେନ୍ଦ୍ରଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଆଇଓସିଏଲକୁ ସୁଧମୁକ୍ତ ଋଣ ସୁବିଧାକୁ ପ୍ରତ୍ୟାହାର କରି ନିଆଯାଇଛି ବୋଲି ଯେଉଁ ଅଭିଯୋଗ କରାଯାଇଛି ତାହା ଆଦୌ ଠିକ୍ ନୁହେଁ। ସେ ଉପସ୍ଥାପନ କରିଥିବା ତଥ୍ୟ ସଂପୂର୍ଣ୍ଣ ଭାବେ ବିଭ୍ରାନ୍ତିକର। ପେଟ୍ରୋଲିୟମ୍ ମନ୍ତ୍ରୀଙ୍କଠାରୁ ଏଭଳି ଅଭିଯୋଗ ଆସିବା ଦୁର୍ଭାଗ୍ୟଜନକ।”

ସେ କହିଥିଲେ,“ ଆଇଓସିଏଲ୍ ସଂପର୍କିତ ନିଷ୍ପତ୍ତିକୁ ପଞ୍ଚାୟତ ନିର୍ବାଚନ ସହିତ ଯୋଡ଼ିବା ହାସ୍ୟାସ୍ପଦ। ଆଇଓସିଏଲ୍‌କୁ ବିନା ସୁଧରେ ଆର୍ଥିକ ସହାୟତା ଯୋଗାଇ ନ ଦେବାର ପ୍ରକ୍ରିୟା ୨୦୧୧ରୁ ଆରମ୍ଭ ହୋଇଥିଲା।  ୨୦୧୧ରେ ସଞ୍ଜୀବ ହୋତା କମିଟି ଆଇଓସିଏଲ୍‌ ସହିତ ହୋଇଥିବା ଚୁକ୍ତିର ତର୍ଜମା କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହି ଚୁକ୍ତି ଦ୍ୱାରା ରାଜ୍ୟ ସରକାର ବହୁ ପରିମାଣରେ ଆର୍ଥିକ କ୍ଷତି ସହିବେ ବୋଲି କମିଟି କହିଥିଲେ। ୨୦୧୨ରେ ଆଡ୍‌ଭୋକେଟ୍ ଜେନେରାଲ୍‌ ବି କହିଲେ ଯେ ଏହି ଚୁକ୍ତି ଦ୍ୱାରା ରାଜ୍ୟ ସରକାରଙ୍କ ଆର୍ଥିକ ହାନି ହେଉଛି ଏବଂ ଏ ନେଇ କେସ୍ କରିବାର ଆବଶ୍ୟକତା ରହିଛି। ୨୦୧୬ ଡିସେମ୍ବର ୨୦ ତାରିଖରେ ରାଜ୍ୟ ସରକାର କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଲେ ଆଇଓସିଏଲ୍‌କୁ କାରଣ ଦର୍ଶାଅ ନୋଟିସ୍ ପଠାଇବା ପାଇଁ। ୨୦୧୬ ଡିସେମ୍ବର ୨୯ ତାରିଖରେ ଆଇଓସିଏଲ୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଗଲା। ଚଳିତ ବର୍ଷ ଜାନୁଆରୀ ୧୭ ତାରିଖରେ ଆଇଓସିଏଲ୍ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ୍‌ର ଜବାବ ରଖିଲେ। ଚଳିତ ମାସ ୨୨ ତାରିଖରେ ରାଜ୍ୟ ସରକାର ଆଇଓସିଏଲ୍‌କୁ ସୁଧମୁକ୍ତ ଋଣ ଚୁକ୍ତିକୁ ରଦ୍ଦ କଲେ।”

ପ୍ରତାପ ଦେବ କହିଥିଲେ,“ଆଇଓସିଏଲ୍ ପାରାଦୀପରେ ଯେଉଁ ପ୍ରକଳ୍ପ କରିଛି ତାହା ତିଷ୍ଠି ପାରିବକି ନାହିଁ ସେହି ବିଷୟକୁ ଦୃଷ୍ଟିକୁ ନେଇ ରାଜ୍ୟ ସରକାର ବିନା ସୁଧରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କହିଥିଲେ। କିନ୍ତୁ ଏବେ ଆଉ ସେ କଥା ନାହିଁ। ଆଇଓସିଏଲ୍ ପାଖାପାଖି ୧୫,୮୦୦ କୋଟି ଟଙ୍କାର ଲାଭ କରୁଛି। ତେଣୁ ୧୧ ବର୍ଷ ପାଇଁ ବିନା ସୁଧରେ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ଯେଉଁ ଚୁକ୍ତି କରିଥିଲେ ରାଜ୍ୟ ସରକାର ତାହାକୁ ପ୍ରତ୍ୟାହାର କରି ନେଲେ।”

ରାଜ୍ୟ ସରକାର ଓଡ଼ିଆ ଯୁବକଙ୍କ ପେଟରେ ଲାତ ମାରନ୍ତୁ ନାହିଁ ବୋଲି ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରି ପ୍ରତାପ ଦେବ କହିଛନ୍ତି,“୨୦୧୫ରୁ ଏଯାବତ ପାରାଦୀପ ଆଇଓସିଏଲ୍‌ରେ କେତେ ଓଡ଼ିଆ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି ସେ କଥା ପେଟ୍ରୋଲିୟମ୍ ମନ୍ତ୍ରୀ ଜଣାନ୍ତୁ। ଏହା ଏକ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳରେ ନିର୍ମିତ ପ୍ଲାଣ୍ଟ୍‌। ଏଠାରେ ଯେତେ ପରିମାଣରେ ନିଯୁକ୍ତି ହେବ ବୋଲି କୁହାଯାଉଛି ସେତିକି ହେବ ନାହିଁ।”

BjD Bjp IOCL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe