steno rabindra
କଟକ/ଭୁବନେଶ୍ୱର: ପୂର୍ବତନ ଡିଜି ସଂଜୀବ ମାରିକଙ୍କ ତତ୍କାଳୀନ ଷ୍ଟେନୋ ରବୀନ୍ଦ୍ର କୁମାର ସେଠୀଙ୍କୁ ବଦଳି କରି ଦିଆଯାଇଛି। ତାଙ୍କୁ ଏଚ୍ଆରପିସିରୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଅଫିସ୍କୁ ବଦଳି କରାଯାଇଛି। ସେ ଗୋଟିଏ ଜାଗାରେ ୧୨ ବର୍ଷ ଧରି ଥିବାରୁ ତାଙ୍କୁ ବଦଳି କରାଯାଇଥିବା ଡିଜିପି କେ.ବି ସିଂହ କହିଛନ୍ତି। ତେବେ ରବୀନ୍ଦ୍ରଙ୍କର ଡି’ବ୍ରଦର୍ସଙ୍କ ସହିତ କୌଣସି ଲିଙ୍କ୍ ଅଛି ନା ନାହିଁ, ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
ଡି’ ବ୍ରଦର୍ସ ଗିରଫ ହେବା ପରେ ସେମାନଙ୍କୁ ରବୀନ୍ଦ୍ର ଭେଟିଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ଡି’ବ୍ରଦର୍ସଙ୍କୁ କଟକ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଗଲା ବେଳେ ରବୀନ୍ଦ୍ର ସେମାନଙ୍କୁ ଭେଟି ଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରବୀନ୍ଦ୍ର। ସେ କହିଛନ୍ତି, ‘ଘଟଣା ଦିନ ମୁଁ ବ୍ୟାଙ୍କକୁ ଯାଇଥିଲି। ଦେଖିଲି କୋର୍ଟ ବାହାରେ ଲୋକ ରୁଣ୍ଡ ହୋଇଛନ୍ତି। କ’ଣ ହୋଇଛି ବୋଲି ଦେଖିବାକୁ ଯାଇଥିଲି। ସେଠାରେ ଜାଣିବାକୁ ପାଇଲି ଧଳସାମନ୍ତ ଭ୍ରାତାଙ୍କୁ ଦେଖିବାକୁ ଲୋକ ଜମା ହୋଇଛନ୍ତି। ମୋର ବି ଦେଖିବାକୁ ଇଚ୍ଛା ହେଲା। ତେଣୁ ଗହଳି ଭାଙ୍ଗି ଆଗକୁ ଯାଇଥିଲି। ସେଠାରେ ପୋଲିସ୍ ଅଧିକାରୀ ପ୍ରମୋଦ ରଥ, ନାଉଗାଁ ଆଇଆଇସି ପ୍ରମୁଖ ଥିଲେ। ସ୍କୁଲ୍ରେ ପଢ଼ିବା ବେଳୁ ସେ ଧଳସାମନ୍ତ ଭ୍ରାତାଙ୍କୁ ଚିହ୍ନି ଥିବା ସେଠାରେ ପୋଲିସ୍ ଅଧିକାରୀମାନଙ୍କୁ କହିଥିଲି। ବାସ୍ କଥା ଏତିକି। ମୋର ସେମାନଙ୍କ ସହ କିଛି ଲିଙ୍କ୍ ନାହିଁ। ମୋତେ ମାଧ୍ୟମ କରି ତାଙ୍କୁ (ପୂର୍ବତନ ଡିଜିପି ସଂଜୀବ ମାରିକ) ବଦନାମ କରାଯାଉଛି। ସେ ଡିଜିପି ଥିଲେ। ମୁଁ ଜଣେ ସାଧାରଣ ଷ୍ଟେନୋ। ଯାହା ସବୁ ପ୍ରଚାର କରାଯାଉଛି ତାହା କ’ଣ ସମ୍ଭବ? ମୋ ନାଁରେ ମିଥ୍ୟା ପ୍ରଚାର କରାଯାଉଛି।’
ଅନ୍ୟପକ୍ଷରେ ରବୀନ୍ଦ୍ର ଗିରଫ ହେବା ପରେ ପୁଣି ଥରେ ପୂର୍ବତନ ଡିଜିପି ସଂଜୀବ ମାରିକଙ୍କ ଉପରେ ଆକ୍ରମଣ କରିଛନ୍ତି ପୂର୍ବତନ ପୋଲିସ୍ ଆଇଜି ଅନାଦି ସାହୁ। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମାରିକଙ୍କ ବେଆଇନ୍ ଅର୍ଥ କାରବାର କଥା ବୁଝୁଥିଲେ ଷ୍ଟେନୋ ରବୀନ୍ଦ୍ର ସେଠୀ। ଡି’ବ୍ରଦର୍ସଙ୍କୁ କୋର୍ଟ ପରିସରରେ ରବୀନ୍ଦ୍ର ଭେଟି ଥିଲେ ଓ ମାରିକଙ୍କ ସଂପର୍କରେ ପୋଲିସ୍କୁ କିଛି ସୂଚନା ନ ଦେବାକୁ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ ମାରିକ ଓ ଡି’ବ୍ରଦର୍ସଙ୍କ ମଧ୍ୟରେ ୭ କୋଟି ଟଙ୍କାର କାରବାର ହୋଇଛି। ଏପରିକି ଡି’ବ୍ରଦର୍ସଙ୍କ ଖୁଣ୍ଟକଟା ଫାର୍ମ ହାଉସ୍କୁ ମଧ୍ୟ ଯାଇଥିଲେ ମାରିକ୍।
ଅନ୍ୟପକ୍ଷରେ ଅନାଦିଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବତନ ପୋଲିସ୍ ଡିଜି ସଂଜୀବ ମାରିକ। ସେ କହିଛନ୍ତି,‘ଅନାଦିଙ୍କ ମତିଭ୍ରମ ହୋଇଯାଇଛି। ସେ ମାନସିକ ଭାରସାମ୍ୟ ହରାଇଛନ୍ତି। ସେଥିପାଇଁ ସେ ପାଗଳଙ୍କ ଭଳି କଥାବାର୍ତ୍ତା କରୁଛନ୍ତି। ଚାରି ଦିନରେ ଚାରି ପ୍ରକାର କଥା କହୁଛନ୍ତି।’
ରବୀନ୍ଦ୍ରଙ୍କ ସଂପର୍କରେ ସୂଚନା ଦେଇ ମାରିକ କହିଛନ୍ତି ଯେ ତାଙ୍କର ୩ ଜଣ ଷ୍ଟେନୋ ଥିଲେ। ରବୀନ୍ଦ୍ର ବେଶୀ କାମ ବୁଝାସୁଝା କରୁ ନ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/stano-rabindra.jpg)