/odisha-reporter/media/post_attachments/uploads/2016/04/congress-1.jpg)
congress
ଭୁବନେଶ୍ୱର: ଚିଟ୍ଫଣ୍ଡ ଲିଙ୍କ୍ ଅଭିଯୋଗରେ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସିବିଆଇ ନୋଟିସ୍ କରିବା ପରେ ସେ ମନ୍ତ୍ରୀ ପଦରେ ରହିବାର ନୈତିକତା ହରାଇଛନ୍ତି, ତେଣୁ ତୁରନ୍ତ ଇସ୍ତଫା ଦିଅନ୍ତୁ। ନ ହେଲେ ଆସନ୍ତା ୨୬ ତାରିଖରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଜି ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀଙ୍କୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚେତାବନୀ ଦିଆଯାଇଛି।
ବୈଠକ ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ଚିଟ୍ଫଣ୍ଡ ମହା ଠକେଇ ମାମଲାରେ ସଞ୍ଜୟ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ପାଜେରୋ ଗାଡ଼ି ସମ୍ପର୍କିତ ଆରଟିଓ କାଗଜପତ୍ର ସେ ସିବିଆଇକୁ ଦେଇଛନ୍ତି। ସେ ମନ୍ତ୍ରୀ ଥିବାରୁ ସରକାର ଓ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି, ତେଣୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବାର ନୈତିକତା ହରାଇଛନ୍ତି। ସେ ଇସ୍ତଫା ନ ଦେଲେ କଂଗ୍ରେସ ପକ୍ଷରୁ ୨୬ ତାରିଖରେ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ଦିନ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।”
ସେ କହିଛନ୍ତି, “ଚିଟ୍ଫଣ୍ଡକୁ ନେଇ କଂଗ୍ରେସ ତା’ର ମତ ସ୍ପଷ୍ଟ କରି ସାରିଛି। ଏଥିରେ ଯିଏ ସମ୍ପୃକ୍ତ, ସେ ଯେଉଁ ଦଳର ହେଲେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିରେ କଂଗ୍ରେସ ଦଳର କେହି ସମ୍ପୃକ୍ତ ଥିବା ସିବିଆଇ ତଦନ୍ତରୁ ସାମାନ୍ୟତମ ସୁରାକ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଚିଟ୍ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟଧାରାକୁ ବିରୋଧ କରାଯିବାକୁ କି ପଦକ୍ଷେପ ନିଆଯିବ, ସେ ବିଷୟରେ ଆଲୋଚନା ହୋଇଛି।”
ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “କଂଗ୍ରେସ ପାଖରେ ଅନ୍ୟ ରାସ୍ତା ନାହିଁ, ଏମିତି ରାଜରାସ୍ତାରେ ହିଁ ବୁଲିବ। ସିବିଆଇ ଚିଟ୍ଫଣ୍ଡ ତଦନ୍ତ କରୁଛନ୍ତି। ସେ ଭାରତ ସରକାରଙ୍କ ସଂସ୍ଥା। ରାଜ୍ୟ ସରକାରଙ୍କ କୌଣସି କର୍ମଚାରୀ ତଦନ୍ତ ପ୍ରକ୍ରିୟାରେ ନାହାନ୍ତି। ତେଣୁ ତଦନ୍ତ ପ୍ରଭାବିତ ହେବାର କୌଣସି ସମ୍ଭାବନା ନାହିଁ। ରାଜ୍ୟ ସରକାର ସିବିଆଇକୁ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଛନ୍ତି। ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଛି। ଏବେ ସେ ମନ୍ତ୍ରୀ ରହିବେ କି ନାହିଁ ତା’ର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ। ଚିଟ୍ଫଣ୍ଡ ମାମଲାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ଛୋଟ ଜମାକାରୀ ସେମାନଙ୍କ ଟଙ୍କା କିପରି ପାଇବେ ତା’ ଉପରେ ବିଜେଡି ଗୁରୁତ୍ୱ ଦେଉଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
