ରାଜଗାଙ୍ଗପୁର: ରାଜଗାଙ୍ଗପୁର ସିଏଚ୍ସିରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଉଦ୍ଘାଟନ ହୋଇଗଲା ସତ, ହେଲେ ଏହା ଲୋକଙ୍କ କାମରେ ଆସୁନାହିଁ। କାରଣ ଉଦ୍ଘାଟନକୁ ମାସେ ବିତି ଯାଇଥିଲେ ମଧ୍ୟ ଏବେ ବି ଏଥିରେ ତାଲା ଝୁଲୁଛି।
୫ କୋଟି ଟଙ୍କା ଖର୍ଚ୍ଚରେ ନିର୍ମୀତ ୬୦ ଶଯ୍ୟାର ଏହି ୩ ମହଲା କୋଠାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ। ମନ୍ତ୍ରୀ ଆସିଲେ ଓ ଉଦ୍ଘାଟନ କରି ଚାଲିଗଲେ। ହେଲେ ଏହା କିପରି ଚାଲିଛି ତାହା ବୁଝିବାକୁ ବିଭାଗୀୟ ଅଧିକାରୀଙ୍କ ପାଖରେ ସମୟ ନଥିବା ଅଭିଯୋଗ ହେଉଛି। ଫଳରେ ଚିକିତ୍ସା ପାଇଁ ଏଠାକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି।
ସେହିପରି ଚିକିତ୍ସାଳୟରେ ଆହୁରି ମଧ୍ୟ ଏକାଧିକ ସମସ୍ୟା ରହିଛି। ଏଠାରେ କୌଣସି ଡାକ୍ତର ନାହାଁନ୍ତି, ଔଷଧ ମିଳୁନାହିଁ କି କୌଣସି ଯନ୍ତ୍ରାଂଶ ଉପଲବ୍ଧ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଡାକ୍ତର ଅଭାବ ଯୋଗୁଁ ରାଜ୍ୟରେ ମେଡିକାଲ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସ୍ଥାନୀୟ ବିଧାୟକ ମଙ୍ଗଳା କିଶାନ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
