Advertisment

ଯୁକ୍ତ ଦୁଇ ଖାତା ଦେଖା: ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନରତ ଶିକ୍ଷକଙ୍କୁ ସମୟ ଦେଲା ସିଏଚ୍‌ଏସ୍‌ଇ

ଭୁବନେଶ୍ୱର/କଟକ: ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖିବା ପାଇଁ ଆନ୍ଦୋଳନରତ ଅଧ୍ୟାପକମାନଙ୍କୁ ଆଉ ଥରେ ଅନୁରୋଧ କରାଯିବ। ଏଥିପାଇଁ ସେମାନଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ଦିଆଯିବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସେମାନେ ଖାତା ମୂଲ୍ୟାୟନରେ ସାମିଲ ନ ହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ। ମଙ୍ଗଳବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ପରୀକ୍ଷା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। କମିଟିର ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି,“ଖାତା ଦେଖିବା […]

ଅଦ୍ୟତନ ହୋଇଛି
ଯୁକ୍ତ ଦୁଇ ଖାତା ଦେଖା: ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନରତ ଶିକ୍ଷକଙ୍କୁ ସମୟ ଦେଲା ସିଏଚ୍‌ଏସ୍‌ଇ

chhatoi

Advertisment

[caption id="attachment_77484" align="alignleft" width="300"]chhatoiସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ବାସୁଦେବ ଛାଟୋଇ[/caption]

Advertisment

ଭୁବନେଶ୍ୱର/କଟକ: ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖିବା ପାଇଁ ଆନ୍ଦୋଳନରତ ଅଧ୍ୟାପକମାନଙ୍କୁ ଆଉ ଥରେ ଅନୁରୋଧ କରାଯିବ। ଏଥିପାଇଁ ସେମାନଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ଦିଆଯିବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସେମାନେ ଖାତା ମୂଲ୍ୟାୟନରେ ସାମିଲ ନ ହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ। ମଙ୍ଗଳବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ପରୀକ୍ଷା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

କମିଟିର ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି,“ଖାତା ଦେଖିବା ପାଇଁ ଆନ୍ଦୋଳନରେ ବସିଥିବା ଶିକ୍ଷକମାନଙ୍କୁ ଆଉ ଥରେ ଅନୁରୋଧ କରିବା ପାଇଁ ଆଜି ପରୀକ୍ଷା ପରିଚାଳନା କମିଟି ନିଷ୍ପତ୍ତି ନେଇଛି।  ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନ ପ୍ରତ୍ୟାହାର କରି ଖାତା ମୂଲ୍ୟାୟନରେ ସହଯୋଗ କରିବାକୁ ଶିକ୍ଷକମାନଙ୍କୁ ଅନୁରୋଧ କରାଯିବ। ଯଦି ସେମାନେ ଅନୁରୋଧ ରକ୍ଷା ନ କରନ୍ତି, ତା’ହେଲେ ସରକାରୀ କଲେଜ, ସ୍ୱୟଂଶାସିତ କଲେଜ, ସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ, ଘରୋଇ ଡିଗ୍ରୀ କଲେଜ୍ ଓ ନୂଆକରି ଖୋଲିଥିବା ରମାଦେବୀ, ଖଲ୍ଲିକୋଟ ଓ ଜିଏମ୍‌ ବିଶ୍ୱବିଦ୍ୟାଳୟର ଯେଉଁ ଅଧ୍ୟାପକ, ଅଧ୍ୟାପିକମାନଙ୍କୁ କାଉନ୍‌ସିଲ୍ ପକ୍ଷରୁ ଖାତା ଦେଖିବା ପାଇଁ ନିଯୁକ୍ତି ଦିଆଯାଇ ନାହିଁ ସେମାନଙ୍କୁ ଖାତା ଦେଖିବା ପାଇଁ ଡକାଯିବ। ଏଥିପାଇଁ ସଂପୃକ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସେମାନଙ୍କୁ ରିଲିଭ୍ କରିବା ପାଇଁ କୁହାଯିବ। ଏହି ଅଧ୍ୟାପକ, ଅଧ୍ୟାପିକାମାନେ ସେମାନଙ୍କ ନିକଟତ ସିଏଚ୍‌ଏସ୍‌ଇ ଜୋନ୍‌ରେ ଯାଇ ରିପୋର୍ଟ କରିବେ। ଜୋନ୍ ସୁପରଭାଇଜର୍‌ମାନେ ସେମାନଙ୍କୁ ଖାତା ଦେଖିବା ପାଇଁ ନିଯୁକ୍ତି ଦେବେ। ଉକ୍ତ ନିଯୁକ୍ତି ସିଏଚ୍‌ଏସ୍‌ଇ ଦେଇଛି ବୋଲି ବିବେଚନା କରାଯିବ। ଯେଉଁ ସ୍ଥାନରେ ଖାତା ଦେଖିବା ପାଇଁ ଶିକ୍ଷକଙ୍କ ଅଭାବ ରହିଥିବା ଜୋନ୍‌ ସୁପରଭାଇଜର୍‌ ସେମାନଙ୍କୁ ସେହି ସ୍ଥାନକୁ ପଠାଇବେ।”

Advertisment

ସେ କହିଛନ୍ତି,“ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନରତ ଶିକ୍ଷକମାନଙ୍କୁ ସମୟ ଦିଆଯିବ। ସେମାନେ ଖାତା ଦେଖାରେ ସାମିଲ ନ ହେଲେ ଆମେ ସନ୍ଧ୍ୟା ସୁଦ୍ଧା ପଦକ୍ଷେପ ଗ୍ରହଣ କରିବୁ।”

ଡିଗ୍ରୀ କଲେଜଗୁଡ଼ିକର ଅଧ୍ୟାପକମାନେ ଖାତା ମୂଲ୍ୟାୟନରେ ସାମିଲ ହେଲେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଖାତା ଦେଖା ଶେଷ ହୋଇପାରିବ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କର ଏକ ପ୍ରଶ୍ନର ଉତ୍ତରରେ ଛାଟୋଇ କହିଛନ୍ତି,“ଖାତା ଦେଖିବା ପାଇଁ ଗୋଟିଏ ପର୍ଯ୍ୟାୟରେ ୭୦୦୦ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ବର୍ତ୍ତମାନ ସୁଦ୍ଧା ଖାତା ଦେଖା ପ୍ରକ୍ରିୟାରେ ୧୪୦୦ ଶିକ୍ଷକ ସାମିଲ ହୋଇଛନ୍ତି। ଡିଗ୍ରୀ କଲେଜଗୁଡ଼ିକର ଅଧ୍ୟାପକମାନେ ଏଥିରେ ସାମିଲ ହୋଇଗଲେ ଠିକ୍ ସମୟରେ ଖାତା ଦେଖା ଶେଷ ହୋଇପାରିବ।”

ଡିଗ୍ରୀ କଲେଜର ଅଧ୍ୟାପକମାନଙ୍କ ପାଇଁ ଯୁକ୍ତ ଦୁଇ ଖାତା ଦେଖିବାରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କରାଯାଉଥିବା ଆଶଙ୍କା ଅମୂଳକ ବୋଲି କହିଛନ୍ତି ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ। ସେ କହିଛନ୍ତି,“ପୂର୍ବରୁ ଡିଗ୍ରୀ କଲେଜର ଅଧ୍ୟାପକମାନେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖୁଥିଲେ। ଗତବର୍ଷ ବି ଦେଖିଛନ୍ତି। ଯୁକ୍ତ ଦୁଇରେ ଯିଏ ପଢ଼ାଉ ନ ଥିବ ସିଏ ଖାତା ଦେଖିପାରିବ ନାହିଁ ବୋଲି ଲୋକଙ୍କ ମଧ୍ୟରେ ଏକ ଭ୍ରାନ୍ତ ଧାରଣା ରହିଛି। ଏହା ଦୂର ହେବା ଦରକାର।”

ଅବସରପ୍ରାପ୍ତ ଅଧ୍ୟାପକ ଅବା ଆବାସିକ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟାପକମାନଙ୍କୁ ପରୀକ୍ଷା ଖାତା ମୂଲ୍ୟାୟନରେ ନିୟୋଜିତ କରିବା ନେଇ ଆଜି କୌଣସି ଆଲୋଚନା ହୋଇନାହିଁ ବୋଲି ଛାଟୋଇ ସ୍ପଷ୍ଟ କରିଛନ୍ତି।

ପରୀକ୍ଷା ଖାତା ଦେଖାଯାଉଥିବା କେନ୍ଦ୍ରଗୁଡ଼ିକ ସମ୍ମୁଖରେ ପିକେଟିଂ କରି ଖାତା ଦେଖିବାକୁ ଆସୁଥିବା ଅଧ୍ୟାପକମାନଙ୍କୁ ଆନ୍ଦୋଳନକାରୀମାନେ ବାଧା ଦେଲେ ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ପୋଲିସ୍ କର୍ତ୍ତୃପକ୍ଷଙ୍କୁ କାଉନ୍‌ସିଲ୍ ତରଫରୁ ଜଣାଇ ଦିଆଯାଇଛି।

ଏନେଇ ଏଡିଜି (ଆଇନଶୃଙ୍ଖଳା) ସତ୍ୟଜିତ୍ ମହାନ୍ତି କହିଛନ୍ତି,“ସିଏଚ୍‌ଏସ୍‌ଇ ପୋଲିସ୍‌ର ସହଯୋଗ ଲୋଡ଼ିବା ପରେ ରାଜ୍ୟର ସମସ୍ତ ୪୯ଟି ମୂଲ୍ୟାୟନ କେନ୍ଦ୍ରରେ ସୁରକ୍ଷା ଯୋଗାଇ ଦିଆଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ମୋଟ ୧୦ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯିବା ସହ ସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାର ଏସ୍‌ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଯିଏ ବି ବିଭ୍ରାଟ ସୃଷ୍ଟି କରିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସରକାରଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ଯୁକ୍ତ ଦୁଇ ଖାତା ଦେଖାର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୪ରୁ  ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୧୬ ତାରିଖରୁ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଦାବିରେ ୬୬୨ ଓ ୪୮୮ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଆନ୍ଦୋଳନ ଜାରି ରଖିଥିବାରୁ ଗତକାଲିଠାରୁ ଖାତା ଦେଖାରେ ବାଧା ଉପୁଜିଛି। ଶିକ୍ଷକମାନେ ସେମାନଙ୍କ ଜିଦ୍‌ରେ ଅଟଳ ଅଛନ୍ତି। ସରକାରଙ୍କ କୌଣସି କାର୍ଯ୍ୟାନୁଷ୍ଠାନକୁ ସେମାନେ ଡରି ଯିବେ ନାହିଁ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe