/odisha-reporter/media/post_attachments/uploads/2015/12/dd.jpg)
minister
ଭୁବନେଶ୍ୱର: ଦୀର୍ଘ ୪ମାସର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପରେ ଆଜି ବିଦ୍ୟୁତ୍ ବିଭାଗର ମୃତ କର୍ମଚାରୀଙ୍କ ପରିବାର ଲୋକଙ୍କ ଧୈର୍ଯ୍ୟ ଭଙ୍ଗ ହୋଇଛି। ମୃତ ବିଦ୍ୟୁତ୍ କର୍ମଚାରୀ ସମିତି ପରିବାର ପକ୍ଷରୁ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସୂର୍ଯ୍ୟନଗର ସ୍ଥିତ ବାସଭବନରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ଘଟଣା ସ୍ଥଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଘଟଣାରେ ପୋଲିସ ୩୦ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି।
ସୂଚନାଯୋଗ୍ୟ, ମୃତକଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଦେବା ଦାବିରେ ମୃତ ବିଦ୍ୟୁତ୍ କର୍ମଚାରୀ ସମିତି ପରିବାର ପକ୍ଷରୁ ଲୋୟର ପିଏମଜିରେ ଆନ୍ଦୋଳନ ଚାଲିଛି। ଶକ୍ତି ବିଭାଗ ସହ ବାରମ୍ବାର ଆନ୍ଦୋଳନକାରୀଙ୍କ ଆଲୋଚନା ହୋଇଥିଲେ ମଧ୍ୟ କିଛି ଲାଭ ହେଉନାହିଁ। ଫଳରେ ଗତକାଲି ଆନ୍ଦୋଳନକାରୀମାନେ ଆଇନକୁ ହାତକୁ ନେବାକୁ ଚେତାବନୀ ଦେଇଥିଲେ। ଆଜି ସକାଳୁ ସମିତିର ଶତାଧିକ ସଦସ୍ୟ ଶୋଭାଯାତ୍ରାରେ ସୂର୍ଯ୍ୟନଗର ସ୍ଥିତ ବାସସଭନକୁ ଯାଇ ପ୍ରଥମେ ଅଣ୍ଡା ଓ ବିଲାତି ମାଡ କରିଥିଲେ। ପରେ ଶକ୍ତିମନ୍ତ୍ରୀଙ୍କ ଘର ଉପରକୁ ଢେଲାମାଡ଼ କରିବା ସହ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି, ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଦେବାର ନିୟମ ରହିଛି। ହେଲେ ୭ବର୍ଷ ହେଲା ମୃତ କର୍ମଚାରୀଙ୍କ ପରିବାର ଲୋକଙ୍କୁ ସରକାର ଚାକିରି ଦେଉନାହାନ୍ତି।
ଏ ନେଇ ସମିତିର ଜଣେ ସଦସ୍ୟ କହିଛନ୍ତି, ୪ମାସର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରୁ କିଛି ଲାଭ ହେଲା ନାହିଁ। ତେଣୁ ଶକ୍ତିମନ୍ତ୍ରୀଙ୍କୁ ଚେତାଇବାକୁ ଅଣ୍ଡାମାଡ କରିଛୁ। ଆଇନକୁ ହାତକୁ ନେବାକୁ ଆମର କୌଣସି ଅଭିପ୍ରାୟ ନାହିଁ। ହେଲେ ସରକାର ପୋଲିସ ଲଗାଇ ବହୁ ଲୋକଙ୍କୁ ଧରି ନେଇଛି। ଏପରି କି ପୋଲିସ ପକ୍ଷରୁ ଲାଠିମାଡ କରାଯିବାକୁ କିଛି ଆନ୍ଦୋଳନକାରୀଙ୍କ ମୁଣ୍ଡ ଫାଟିଯାଇଛି। ଏହାର ଜବାବ ଦିଆଯିବ ବୋଲି ସେ କହିଛନ୍ତି।
ଏ ନେଇ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଆଇନ ଅନୁଯାୟୀ କ୍ଷତିପୂରଣ ଓ ଥଇଥାନ କରାଯାଉଛି। ଆନ୍ଦୋଳନକାରୀମାନେ ରାଗରେ ଏପରି କରିଦେଇଛନ୍ତି। ଏ ନେଇ ମୋର କେସ୍ କରିବାର ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
