/odisha-reporter/media/post_attachments/uploads/2016/04/pradeep-amata.jpg)
pradeep-amata
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ବାଚସ୍ପତି ଭାବେ ପ୍ରଦୀପ ଅମାତ ନିର୍ବାଚିତ ହୋଇଛନ୍ତି। ବାଚନିକ ଭୋଟ୍ରେ ପ୍ରଦୀପ ନିର୍ବାଚିତ ହେବା ପରେ ଉପ-ବାଚସ୍ପତି ସାନନ୍ଦ ମାରାଣ୍ଡି ତାଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।
ବାଚସ୍ପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋସନ ଆଣିଥିଲେ। ମୋସନକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ନିର୍ବାଚନ ସରିବା ପରେ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିଥିଲେ।
ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଦୀପ ଅମାତ। ସେ ୪ ଥର ବୌଦ୍ଧ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର ଭାବେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ହୋଇଥିଲେ। ୨୦୦୪ରୁ ସେ କ୍ରମାଗତ ୩ ଥର ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ନବୀନଙ୍କ ଦ୍ୱିତୀୟ ପାଳିର ଶେଷ ଭାଗରେ ଅର୍ଥାତ ୨୦୦୮ରୁ ୨୦୦୯ ପର୍ଯ୍ୟନ୍ତ ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ରହିଥିଲେ। ତେବେ ବିଜେଡି ସରକାରର ତୃତୀୟ ପାଳିରେ ପ୍ରଦୀପ ଅମାତଙ୍କୁ ବାଚସ୍ପତି କରାଯାଇଥିଲା। ୫ ବର୍ଷ ସେ ଏହି ଦାୟିତ୍ୱରେ ରହିଥିଲେ। ୨୦୧୪ରେ ନବୀନ ସରକାରଙ୍କ ଚତୁର୍ଥ ପାଳିରେ ମନ୍ତ୍ରିମଣ୍ଡଳକୁ ଫେରିଥିଲେ ଏହି ଭେଟେରାନ୍ ରାଜନେତା। ଏଥର ତାଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ଦାୟିତ୍ୱ ମିଳିଥିଲା। ୨୦୧୬ରେ ଅତନୁ ସବ୍ୟସାଚୀ ନାୟକଙ୍କ ଇସ୍ତଫା ପରେ ପ୍ରଦୀପ ଅମାତ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ।
ବାଚସ୍ପତି ନିର୍ବାଚନ ପରେ ବିରୋଧୀଦଳ ନେତା ନରସିଂହ ମିଶ୍ର ସରକାରକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ବାଚସ୍ପତି ନିର୍ବାଚନ ପୂର୍ବରୁ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା। ଏହାଦ୍ୱାରା ଉଚ୍ଚ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି ହୋଇଥାନ୍ତା।”
ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ କହିଛନ୍ତି,“ସରକାର କୌଣସି କ୍ଷେତ୍ରରେ ବିରୋଧୀଙ୍କ ସହ ଆଲୋଚନା କରନ୍ତିନି। ଏଥର ବାଚସ୍ପତି ନିର୍ବାଚନରେ ମଧ୍ୟ ଆଲୋଚନା କରିନାହାନ୍ତି। ଆଶା କରୁଛୁ ବାଚସ୍ପତି ନିରପେକ୍ଷ ଅବଲମ୍ୱନ କରିବେ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
